ବନ ବିଭାଗର ଚଢ଼ଉ: ୩ ଲକ୍ଷ ଟଙ୍କାର ୨ଟି ହାତୀ ଦାନ୍ତ ଜବତ, ୨ ଗିରଫ 

ଦେବଗଡ଼: ଦେବଗଡ଼ ବନଖଣ୍ଡର ଅନୁଗୁଳ ଜିଲ୍ଲାର ପାଳଲହଡ଼ା-ଖମାର ଫରେଷ୍ଟ ରେଞ୍ଜ ସୀମାନ୍ତ ବାଲିପଶି ଗ୍ରାମ ନିକଟରୁ ଦେବଗଡ଼ ବନ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଚଢ଼ଉ କରି ୨ଟି ହାତୀ ଦାନ୍ତ ଜବତ କରିଛି। ଅଭିଯୋଗରେ ୨ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ବନ୍ୟଜନ୍ତୁ ଶିକାର ହେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଡିଭିଜନ୍‌ର ଏକ ସ୍କ୍ୱାଡ୍‌ ରେଞ୍ଜ୍‌ ଅଫିସର୍‌ ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ହାତୀ ଦାନ୍ତ ରାକେଟ୍‌କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଶୁକ୍ରବାର ରାତି ୯ଟା ବେଳେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଖେମଳା ପଞ୍ଚାୟତ ଶୁକଦେବପୁର ଗ୍ରାମର ଜଙ୍ଗଲ ନିକଟରେ ଦୁଇ ଯୁବକ ରୋହିଲା ଗ୍ରାମର ରାଜେଶ ବେହେରା ଓ କୁରୁମୁଲା ଗ୍ରାମର ରାଜୁ ଖଣ୍ଡାଳ ଏକ ବାଇକ୍‌ରେ ଦୁଇଟି ହାତୀ ଦାନ୍ତ ନେଉଥିବା ବେଳେ ସ୍କ୍ୱାଡ୍‌ ଚଢ଼ଉ କରିଥିଲା। ସେମାନଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲା। ଜବତ ହୋଇଥିବା ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ବନ ବିଭାଗର ପକ୍ଷରୁ ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ, ଗତ ୨୦୧୯ ଜୁନ ୧୯ରେ ବାରକୋଟ ଥାନା ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ ଦ୍ୱାରା ବେଆଇନ ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ପରେ ୨୨ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ବେଆଇନ ବାଘ ଛାଲ ବ୍ୟବସାୟରେ ସଂପୃକ୍ତି ଥିବା ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ ୨୯ ତାରିଖ ଦିନ ପୁଣି ୪ଜଣ ବ୍ୟବାସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଦେବଗଡ଼ ବନ ବିଭାଗ ବାଘ ଛାଲ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ଏବଂ ବ୍ୟବସାୟ ଜାରି ରହିଥିବା ବେଳେ ଏଥିପ୍ରତି ବନବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର