ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ବେଆଇନ ଭାବେ କାଠ ଚୋରା ଚାଲାଣ କରୁଥିବା ଅଭିଯୋଗରେ ବନ ବିଭାଗ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

Advertisment

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଫଲସାମାଲ- ଡୁମେରଝରନ ରାସ୍ତାରେ ମହଦାଶୁନୀ ସଂରକ୍ଷିତ ଜଙ୍ଗଲରୁ ଟ୍ରାକ୍ଟର ଦ୍ୱାରା କାଠ ଚୋରା ଚାଲାଣ ହେଉଥିବା ବନ ବିଭାଗ ଖବର ପାଇଥିଲେ। ଲୋଇସିଂହା ଫରେଷ୍ଟ ରେଞ୍ଜର ରାଜକିଶୋର ନାଏକଙ୍କ ନିର୍ଦେଶକ୍ରମେ ସରଗାଡ଼ ଫରେଷ୍ଟର ଗୋବର୍ଦ୍ଧନ ପଟେଲ ଓ ବନରକ୍ଷୀ ରାଜକୁମାର ଭୁଏ ଚଢ଼ଉ କରିବା ସହିତ ଟ୍ରାକ୍ଟର (ଓଡି ୦୩ ସି ୪୭୨୩)କୁ ଜବତ କରିଥିଲେ।

ଏ ନେଇ ବନବିଭାଗ ଏକ ୟୁଡି କେସ୍ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲେ। ଟ୍ରାକ୍ଟରରେ ମୋଟ ୧୩୫ ଖଣ୍ଡ ବଲିଗଛ ରହିଥିଲା। ଅନ୍ଧାରର ସୁଯୋଗ ନେଇ ସେତେବେଳେ ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ସମେତ କାଠ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିଲେ।

ବନ ବିଭାଗ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ। ଘଟଣାର ଦେଢ଼ମାସ ପରେ ବୁଧବାର ଲୋଇସିଂହା ବ୍ଲକ୍ କୁଶଙ୍ଗ ଗ୍ରାମର କାଠ ମାଫିଆ ସାମନ୍ତ ବେହେରା ଓ ଟ୍ରାକ୍ଟର ମାଲିକ ତାଳଜୁରୀ ଗ୍ରାମର ସୁରେଶ ସାହୁଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପୂର୍ବରୁ ଅନେକ କାଠ ଚୋରା ଚାଲାଣରେ ଉଭୟେ ସମ୍ପୃକ୍ତ ଥିବା ରେଞ୍ଜର ନାଏକ ସୂଚନା ଦେଇଛନ୍ତି।