ସୁନ୍ଦରଗଡ଼: ଏକ ଫିଟର ମିସ୍ତ୍ରି ଠାରୁ ୫ ହଜାର ଲାଞ୍ଚ ନେବା ମାମଲାରେ ସୋମବାର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ପୂର୍ବତନ ମୁଖ୍ୟ କିରାଣୀ ଦ୍ରୁପଦ ସାହାସିଆଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ ଦଣ୍ଡ ୩ ମାସ ବୃଦ୍ଧି ହେବ ବୋଲି ଅଦାଲତ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ବ୍ଲକ ଅଧୀନରେ କାର୍ଯ୍ୟରତ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଫିଟର ମିସ୍ତ୍ରି ନିରଞ୍ଜନ ସ୍ବାଇଁଙ୍କ ଠାରୁ ବିନା ଅନୁମତିରେ ୧୪.୨.୨୦୧୦ ଠାରୁ ୧୪.୯.୨୦୧୦ ପର୍ଯ୍ୟନ୍ତ ୮ ମାସ ଅନୁପସ୍ଥିତ ଥିବା ଅଭିଯୋଗ ରହିଥିଲା। ଏହି ସମୟର ଛୁଟି ମଞ୍ଜୁର କରିବାକୁ ସେ କିରାଣୀ ଦ୍ରୁପଦ ସାହାସିଆଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ କିରାଣୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ମିସ୍ତ୍ରି ଏ ନେଇ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ମାମଲା ରୁଜୁ କରି ଭିଜିଲାନ୍ସ ଜାଲ ବିଛାଇ କିରାଣୀଙ୍କୁ ଗତ ୨୦୧୧ ନଭେମ୍ବର ୨୭ ତାରିଖରେ ଲାଞ୍ଚ ନେବା ବେଳେ ଧରିଥିଲା। ତତ୍କାଳୀନ ଭିଜିଲାନ୍ସ ଡିଏସପି ସାମୁଏଲ ପ୍ରଧାନ ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଭିଜିଲାନ୍ସ ସ୍ବତନ୍ତ୍ର ପିପି ଶ୍ୟାମସୁନ୍ଦର ମିଶ୍ର ମାମଲାର ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ପୂର୍ବତନ କୁତ୍ରା ବିଡିଓ ତଥା ବର୍ତ୍ତମାନର ସମ୍ବଲପୁର ବନ୍ଦୋବସ୍ତ ଅଧିକାରୀ ପ୍ରଦୀପ କୁମାର ନାଏକ କୋର୍ଟରେ ଅଯାଚିତ ଭାବେ ସାକ୍ଷ୍ୟ ଦେଇ ବିବାଦକୁ ଆସିଥିଲେ।