ପରକୀୟା ପ୍ରୀତିର କରୁଣ ପରିଣତି: ପ୍ରେମିକ ସହ ମିଶି ୨ ବର୍ଷ ଶିଶୁ ପୁତ୍ରକୁ ହତ୍ୟା କଲା ମା’

ରାୟଗଡ଼ା: ପ୍ରେମ ପାଇଁ ତୁଚ୍ଛ ହେଲା ନିଜ ଜନ୍ମ କଲା ପୁଅ। ଦୁନିଆକୁ ଆଣିଥିବା ମା’ ହିଁ ସାଜିଲା ୨ବର୍ଷର ଶିଶୁପୁତ୍ରର ହତ୍ୟାକାରୀ। ପରକୀୟା ପ୍ରୀତି ଯୋଗୁ ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରରେ। ଏହି ଘଟଣାରେ ଟାଉନ୍ ଥାନା ପୁଲିସ ମୃତ ଶିଶୁ ପୁତ୍ରର ମା’ ସହ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଭୁବନେଶ୍ବରରେ ରହୁଥିବା ଦମ୍ପତି ବିବେକ ଓ ଐଶ୍ବର୍ଯ୍ୟା (ଛଦ୍ମନାମ) ମୀନାବଜାରରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କର ୨ବର୍ଷର ପୁଅ ଥିବା ବେଳେ ଉଭୟେ ମୀନାବଜାର ନେଇ ବିଭିନ୍ନ ପର୍ବପର୍ବାଣିକୁ ଯାଇଥାନ୍ତି। କିଛି ବର୍ଷ ହେଲା ଏମାନେ ରାୟଗଡ଼ାକୁ ଆସି ବ୍ୟବସାୟ କରୁଥିଲେ। ଏମିତି ନିୟମିତ ରାୟଗଡ଼ା ଆସିବା ଭିତରେ ଐଶ୍ବର୍ଯ୍ୟାଙ୍କ ସହ ରାୟଗଡ଼ାର ଏକ ବେସରକାରୀ ଟେଲିକମ୍ କଂପାନିରେ କାମ କରୁଥିବା ଯୁବକଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସ୍ବାମୀଙ୍କ ଅଜାଣତରେ ମୀନାବଜାର ନାଁରେ ଐଶ୍ବର୍ଯ୍ୟା ଶିଶୁପୁତ୍ରକୁ ନେଇ ରାୟଗଡ଼ା ଆସି କିଛି ଦିନ ରହି ପୁଣି ଭୁବନେଶ୍ବର ଫେରି ଯାଉଥି‌ଲେ। ଐଶ୍ବର୍ଯ୍ୟ‌ାଙ୍କ କାର୍ଯ୍ୟକଳାପକୁ ନେଇ ସ୍ବାମୀ ବିବେକ କୌଣସି ସନ୍ଦେହ କରୁନଥିଲେ। ନିକଟରେ ରାୟଗଡ଼ାରେ ହୋଇଥିବା ଗଜଲକ୍ଷ୍ମୀ ପୂଜାରେ ମୀନାବଜାର ଖୋଲିବା ନାଁରେ ଐଶ୍ବର୍ଯ୍ୟା ପୁଣି ରାୟଗଡ଼ା ଆସିବା ସହ ଉକ୍ତ ଯୁବକଙ୍କ ସହ ମିଳିମିଶି ରହିଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହେବା ପରେ ପ୍ରେମିକଠାରୁ ଅଲଗା ହୋଇ ରହିବାକୁ ଚାହୁଁ ନ ଥିଲେ ଐଶ୍ବର୍ଯ୍ୟା। ତେବେ‌ ଶିଶୁପୁତ୍ର ଥିବା କାରଣରୁ ସ୍ବାମୀଙ୍କୁ ଐଶ୍ବର୍ଯ୍ୟା ଛାଡ଼ି ପାରୁନଥିଲେ। ତେଣୁ ଶିଶୁପୁତ୍ରକୁ ରାସ୍ତାରୁ ହଟାଇବା ଯୋଜନା କରି ପିଟି ପିଟି ମାରି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ ଦୃଢ଼ୀଭୂତ ହୋଇଛି।
ଗତ ୨୪ ତାରିଖରେ ସଂକଟାପନ୍ନ ଅବସ୍ଥାରେ ଶିଶୁଟିକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ଖବର ପାଇ ବିବେକ ରାୟଗଡ଼ାରେ ପହଞ୍ଚିବା ପରେ କ୍ଷତ ଚିହ୍ନକୁ ଦେଖି ସନ୍ଦେହ କରିବା ସହ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ପ୍ରାଥମିକ ତଦନ୍ତରେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବାରୁ ପୁଲିସ ଐଶ୍ବର୍ଯ୍ୟାକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣା ପଦାକୁ ଆସିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଗାଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ସମୟରେ ଐଶ୍ବର୍ଯ୍ୟା କହିଥିଲେ ଯେ ପୁଅ ବାରମ୍ବାର କାନ୍ଦିବା କାରଣରୁ ସେ ତା’ର ପିଠିକୁ ବାଡ଼େଇଥିଲେ। ଆଉ ମାଡ଼ ଖାଇ ଶିଶୁଟି ଗୁରୁତର ହୋଇ ପଡ଼ିବାରୁ ତା’କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ କ୍ଷତ ଚିହ୍ନକୁ ନେଇ ପୁଲିସର ସନ୍ଦେହ ବଢ଼ୁଥିବାରୁ ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ ଟାଉନ୍ ଥାନା ପୁଲିସ୍ ବିବେକ, ଐଶ୍ବର୍ଯ୍ୟାଙ୍କ ସହ ପ୍ରେମିକକୁ ଅଟକ ରଖିଛି। ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କା କରି ପୁଲିସ ଘଟଣା ସଂପର୍କରେ କୌଣସି ସୂଚନା ଦେବାକୁ ମନା କରିଛି। ଏ ନେଇ ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚାଲିଛି। ମାମଲା ରୁଜୁ ହେବା ପରେ ସ୍ପଷ୍ଟ ସୂଚନା ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର