ବିସ୍ମୟକର କୁନି ପ୍ରତିଭା ରିତମ୍ଭରାକୁ ଯିଏ ଶୁଣୁଛି, ସିଏ ଆଶ୍ଚର୍ଯ୍ୟ ହେଉଛି

ସୁନ୍ଦରଗଡ଼: ରିତମ୍ଭରା, ବୟସ ମାତ୍ର ଦୁଇ। ଖନେଇଖନେଇ ଅବୁଝା ଭାଷାରେ କଥା କହିବାର ବୟସ। କିନ୍ତୁ ରିତମ୍ଭରାର ଜିଭ ଅଗରେ ଇଂରାଜି ବର୍ଣ୍ଣମାଳା ଠାରୁ ଆରମ୍ଭ କରି ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ନାଁ। କେବଳ ସେତିକି ନୁହେଁ, ଚିତ୍ର ଦେଖି ଇଂରାଜିରେ ତା’ ନାଁ ଓ ରଙ୍ଗ କହି ଦେଉଛନ୍ତି। କିଛି ପଚାରିବା କ୍ଷଣି ଚଟକିନା କହି ଦେଉଛନ୍ତି ଉତ୍ତର।

ସୁନ୍ଦରଗଡ଼ ସହର ଆରଆରଆଇଟି କଲୋନିର ରିତମ୍ଭରାକୁ ଯିଏ ଶୁଣୁଛି, ସିଏ ଆଶ୍ଚର୍ଯ୍ୟ ହେଉଛି। ଏ ବୟସରେ ରିତମ୍ଭରାର ସାଧାରଣଜ୍ଞାନ ତାଙ୍କୁ ସହରରେ ବିସ୍ମୟକର ପ୍ରତିଭାର ପରିଚୟ ଦେଇଛି। କଲୋନିର ସୁମନ୍ତ ପଟେଲ ଓ ତାଙ୍କ ପତ୍ନୀ ରଶ୍ମିତା ପଟେଲଙ୍କ ଝିଅ ରିତମ୍ଭରାକୁ ବର୍ଷକର ହୋଇଥିବା ବେଳେ ତାଙ୍କ ଜିଜ୍ଞାସୁ ମନୋଭାବ ଓ ଅନେକ କିଛି ଶିଖିବାର ପ୍ରବଳ ଆଗ୍ରହ ଜଣାପଡ଼ିଥିଲା। ତାଙ୍କ ମା’ କହିବା କଥା ଥରେ ଶୁଣିଦେଲେ କି କୌଣସି ଜିନିଷ ଥରେ ଦେଖିଦେଲେ ତାକୁ ସହଜରେ ମନେ ରଖିବାର ଚମକପ୍ରଦ କ୍ଷମତା ତାଙ୍କର ରହିଛି। ଏତିକି ନୁହେଁ, ପ୍ରତିଦିନ ସେ ୪ରୁ ୫ ଘଣ୍ଟା ବହି ଖେଳାଇ ବସି ଯାଉଥିବା ବେଳେ ମା’ଙ୍କୁ ପଢ଼ାଇବାକୁ ବାଧ୍ୟ କରନ୍ତି।

ମା’ ପଢ଼ାଇ, ବୁଝାଇ ଥକି ଯାଆନ୍ତି, କିନ୍ତୁ ରିତମ୍ଭରା ମୁହଁରେ ସାମାନ୍ୟ କ୍ଲାନ୍ତି ନଥାଏ। ଝିଅର ଆଗ୍ରହ ଓ ପ୍ରଖର ସ୍ମୃତିଶକ୍ତି ଦେଖି ବାପାମାଙ୍କ ସମେତ ମାମୁ ରୋଶନ ପଟେଲ ତାଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବାକୁ ଉଦ୍ୟମ ଚଲାଇଛନ୍ତି। କୁନି ପ୍ରତିଭାକୁ ଆଗକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡକୁ ପହଞ୍ଚାଇବାକୁ ଚେଷ୍ଟା କରାଯାଉଥିବା ମାମୁ ରୋଶନ ପ୍ରକାଶ କରନ୍ତି। ଖେଳିବା ବୁଲିବାର ଚଞ୍ଚଳମନା ବୟସରେ ରିତମ୍ଭରା ଏକ ବିରଳ ଓ ବିସ୍ମୟକର ବ୍ୟତିକ୍ରମ ନିଶ୍ଚୟ।

ସମ୍ବନ୍ଧିତ ଖବର