ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡିଲା ୨ ବର୍ଷର ନିଷ୍ପାପ ଶିଶୁକନ୍ୟା

ଅମ୍ବାଭୋନା: ଗତ ଏକ ମାସ ହେବ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ବେନିଆଁପାଲି ଗ୍ରାମର ଅଲେଖପୁର ପଡାରେ ଏକ ମାନସିକ ଅନଗ୍ରସ ଯୁବକ ନିଷ୍ପାପ ଶିଶୁକୁ କଚାଡି ମାରିଦେବା ପରେ ପୁଣି ଥରେ ସେହି ଅଞ୍ଚଳରେ ନିଷ୍ପାପ ଶିଶୁକନ୍ୟାକୁ କଚାଡି ମାରିବା ଘଟଣା ଘଟିଛି। ଏହି ଘଟଣା ଘଟିଛି କପାସିରା ଗ୍ରାମରେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇ ଜନ୍ମକଲା ବାପା ନିଜର ୨ବର୍ଷୀୟ ଝିଅକୁ କଚାଡି ମାରିଦେଇଛି।

ସୂଚନା ଅନୁସାରେ କୌଣସି କାରଣକୁ କପାସିରା ଗ୍ରାମର ରମେଶ ସତନାମୀ (୨୭) ଓ ତାଙ୍କ ସ୍ତ୍ରୀ ଯଶୋଦା ସତନାମୀ (୨୪)ଙ୍କ ମଧ୍ୟରେ ଦୀର୍ଘ ଦିନରୁ ଝଗଡା ହୋଇଆସୁଥିଲା। ଏ ନେଇ ସ୍ୱାମୀ-ସ୍ତ୍ରୀ ଝଗଡା ସମାଧାନ କରିବା ପାଇଁ ଯଶୋଦାଙ୍କ ବାପ-ମା’ଙ୍କ ଗାଁ ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟିକୁ ଯାଇଥିଲା । ସେଠାରେ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହାୟତାରେ ସମସ୍ୟାର ଆଶୁ ସମାଧାନ ଚାହିଁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା।

ଏହି ସମୟରେ ରମେଶ ନିଜର ୨ ବର୍ଷୀୟ ଝିଅ ଶ୍ରଦ୍ଧାକୁ ନେବାକୁ ମନା କରିଥିଲା। କିନ୍ତୁ ଯଶୋଦା ନିଜର ଝିଅକୁ ନେବା ପାଇଁ ଜିଦ କରି ନେଉଥିବା ଅବସ୍ଥାରେ ରମେଶ ମାନସିକ ଭାରସାମ୍ୟ ହରାଇ ନିଜର ଝିଅ ସନ୍ତାନ ଶ୍ରଦ୍ଧାକୁ ଟାଣି ଆଣି ତଳେ କଚାଡି ଦେଇଥିଲା। ଘଟଣାସ୍ଥଳରେ ହିଁ ଶ୍ରଦ୍ଧାର ମୃତ୍ୟୁ ହୋଇଥିଲା। ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ଏହାପରେ ଶାଶୁ ଘର ଲୋକେ ରମେଶକୁ ଉତ୍ତମ ମଧ୍ୟମ ଦେଇ ଅମ୍ବାଭୋନା ପୁଲିସକୁ ଖବର ଦେଇଥିଲେ।

ଅମ୍ବାଭୋନା ପୁଲିସ ଖବର ପାଇ ରମେଶ ସତନାମୀକୁ ଗିରଫ କରିଛି। ପୁଲିସ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ବରଗଡ ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ମାମଲା ରୁଜୁ କରି ଆହୁରି ତଥ୍ୟ ପାଇବା ପାଇଁ ରମେଶକୁ ଅଟକ ରଖି ତଦନ୍ତ କରୁଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର