ଗରମରୁ ମୁକ୍ତି କାଳ ହେଲା: ନଦୀରେ ବୁଡି ପ୍ରାଣ ହରାଇଲେ ୨ ଯୁବକ

ଯାଜପୁର: ଗରମରୁ ଆଶ୍ୱସ୍ତିି ନେଇଗଲା ଜୀବନ। ପ୍ରଚଣ୍ଡ ଖରାର ଗରମ ଲାଘବ ପାଇଁ ସାଙ୍ଗମାନେ ଏକତ୍ରିତ ହୋଇ ନଦୀକୁ ଗାଧୋଇ ଯାଇଥିଲେ। ହେଲେ ନଦୀ ସ୍ରୋତରେ ସେମାନେ ବୁଡି ଯାଇ ପ୍ରାଣ ହରାଇଛନ୍ତି। ଏପରି ଦୁଃଖ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦ୍ଵୟ ଯୁବକ ହୋଇଥିବାରୁ ଉଭୟଙ୍କ ପରିବାର ଲୋକ ମଧ୍ୟ ଭାଙ୍ଗି ପଡିଛନ୍ତି।

ସୂଚନା ଅନୁସାରେ ମୁସଲମାନ ସଂପ୍ରଦାୟର ରମଜାନ ମାସ ଚାଲିଛି। ଆଜି ଅପରାହ୍ନ ୨ଟାରେ ଯାଜପୁର ସହରସ୍ଥ ମସଜିଦରୁ ନମାଜ ପାଠ ସାରି ଗାଧୋଇବା ପାଇଁ ପରିବାର ଅଗୋଚରରେ ୫ ଜଣ ସାଙ୍ଗ ସହର ଠାରୁ ୧୦ କିମି ଦୂର ଆନିକଟକୁ ଯାଇଥିଲେ। ବର୍ତ୍ତମାନ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ହୋଇଥିବା ବେଳେ ଦୁଇ ଜଣ ସାଙ୍ଗ ପ୍ରଖର ସ୍ରୋତରେ ଭିତରକୁ ଚାଲି ଯାଇଥିଲେ।

ଅନ୍ୟ ସାଙ୍ଗ ଏନେଇ ସଙ୍ଗେସଙ୍ଗେ ଯାଜପୁର ଅଗ୍ନିଶମକୁ ଖବର ଦେଇଥିଲେ। ଯାଜପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇ ମୃତକଙ୍କୁ ଉଦ୍ଧାର କରିଥିଲେ। ମୃତକ ଦ୍ଵୟ ହେଲେ ଯାଜପୁର ଟାଉନ ଅଞ୍ଚଳର ଅନୱର ହୋଦା(୨୦) ଓ ଅନ୍ୟ ଜଣକ ହେଲେ ହରିପୁର ନିକଟ ରନ୍ଦରପୁର ଗ୍ରାମର ମୋଜ ସମ୍‌(୨୬)। ମୃତ୍ୟୁ ଖବର ପାଇ ଶହଶହ ମୁସଲମାନ ସଂପ୍ରଦାୟର ଭାଇମାନେ ଡାକ୍ତରଖାନାରେ ଏକତ୍ରିତ ହୋଇଥିଲେ।

ସମ୍ବନ୍ଧିତ ଖବର