କେନାଲରେ ଗାଧୋଇବା ସମୟରେ ୨ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: କେନାଲରେ ଗାଧୋଇବା ସମୟରେ ସାଙ୍ଗକୁ ବଂଚାଇବାକୁ ଯାଇ ନିଜେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଅନୁଗୁଳ ଥାନା ଅନ୍ତର୍ଗତ ହେମସୁରପଡ଼ା କେନାଲରେ ଗାଧୋଉଥିବା ବେଳେ ଆଜି ଅପରାହ୍ନରେ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବୃନ୍ଦାବନ ସେଠୀ ଓ ବାବୁ ମହାନ୍ତି । ଉଭୟ ଯୁବକ ସ୍ଥାନୀୟ ଅଂଚଳର ବୋଲି ପୁଲିସ କହିଛି ।

ସୂଚନା ଅନୁସାରେ ବୃନ୍ଦାବନ ଓ ବାବୁ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ କେନାଲକୁ ଗାଧୋଇବାକୁ ଯାଇଥିଲେ । କେନାଲର ପାଣି ପ୍ରଖର ଥିଲା । ଫଳରେ ସେମାନେ ଜାଣପାରି ନଥିଲେ । ପ୍ରଥମେ ବୃନ୍ଦାବନଙ୍କର ଗୋଡ଼ ଖସିଯିବାରୁ ସେ କେନାଲର ପାଣି ସୁଆରେ ପଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ବାବୁ କେନାଲକୁ ପଶି ଯାଇଥିଲେ । ତେବେ ଉଭୟ ପାଣିରୁ ବାହାରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ ।

ବୃନ୍ଦାବନ ଓ ବାବୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକଙ୍କର ସନ୍ଦେହ ଜାତ ହୋଇଥିଲା । ପରିବାର ଲୋକେ କେନାଲକୁ ଆସି ବାବୁ ଓ ବୃନ୍ଦାବନର କପଡ଼ା ବାହାରେ ପଡ଼ିଥିବା ଦେଖି ଦମକଳ ବାହିନୀ ଓ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳକୁ ପହଂଚିଥିଲା । ପୁଲିସ କେନାଲରୁ ଉଦ୍ଧାର୨ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସମ୍ବନ୍ଧିତ ଖବର