ଶ୍ରାବଣ ଶେଷରେ କାଳ ବୈଶାଖୀ: ବଜ୍ରାଘାତରେ ଲିଭିଗଲା ଦୁଇ ଯୁବକଙ୍କ ଜୀବନ

ପ୍ରବଳ ବର୍ଷାରେ ବାସଗୃହ ଓ ଦୋକାନରେ ପସିଲା ପାଣି

ଚାନ୍ଦବାଲି: ଶ୍ରାବଣ ମାସର ଶେଷ ଦିନରେ ମୁଣ୍ଡଫଟା ଖରା ସହିତ ପ୍ରବଳ ଗରମ ଲାଗି ଲୋକେ ତ୍ରାହି ତ୍ରାହି ଡ଼ାକୁଥିବା ବେଳେ ଆଜି ଅପରାହ୍ନ ୨ଟାରେ ବଜ୍ରାଘାତ ହୋଇଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଂଚଳରେ ହୋଇଥିବା ଏହି ବଜ୍ରାଘାତ ଯୋଗୁଁ ୨ ଜଣ ଯୁବକଙ୍କର ଜୀବନ ଦୀପ ଲିଭିଯାଇଛି। ମୃତକମାନେ ହେଲେ ମଥୁରୀ ଦାସ  (୪୩) ଓ ରମାକାନ୍ତ ବେଜ (୪୦)।

ସୂଚନା ଅନୁସାରେ ବର୍ଷା ହେବାରୁ ଲୋକେ ଗରମରୁ ଆଶ୍ୱସ୍ତି ପାଇଛନ୍ତି। କିନ୍ତୁ ବାଲିଗାଁ ଦାସସାହିର ଗଙ୍ଗାଧର ଦାସଙ୍କ ସାନପୁଅ ମଥୁରୀ ଦାସ ବିଲରେ ଧାନ ତଳି ରୋଉ ଥିବା ବେଳେ ବଜ୍ରଘାତ ଯୋଗୁଁ ଜୀବନ ହରାଇଛନ୍ତି। ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ତାଙ୍କୁ ଅନ୍ୟ ଚାଷୀମାନେ ତୁରନ୍ତ ଏକ ଅଟୋ ସାହାଯ୍ୟରେ ଚାନ୍ଦବାଲି ମେଡ଼ିକାଲକୁ ନେଇଆସିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ ଜଣେ ଗରିବ ଚାଷୀ। ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି। ସହାକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

ସେହିପରି ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଓଳାଭର ବାସିନ୍ଦା ଦିନବଂଧୁ ବେଜଙ୍କ ପୁଅ ରମାକାନ୍ତ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଦେଉଳି ଗାଁରେ ଘର ନିର୍ମାଣ ପାଇଁ ସରାଞ୍ଜମ କିଣୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେ ଘଟଣାସ୍ଥଳରେ ଟଲିପଡ଼ିଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ରାସ୍ତା ଉପରୁ ଉଠାଇ ଦେଇ ଏକ ବାରଣ୍ଡାରେ ଶୁଆଇ ଦେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଚାନ୍ଦବାଲିରେ ବର୍ଷାର ବିତ୍ପାତ ଯୋଗୁଁ ଦୋକାନ ଘର ବାସଗୃହରେ ପାଣି ପ୍ରବେଶ କରିଛି। ଗାଁ ରାସ୍ତାରେ ଆଣ୍ଠୁଏ ପାଣି ହୋଇଛି। ଦୀର୍ଘ ୧ଘଂଟା ଧରି ପ୍ରବଳ ବର୍ଷାରେ ଘଡ଼ଘଡ଼ି ବଜ୍ରାଘାତ ଫଳରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇଯାଇଥିଲେ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଡ଼୍ରେନ ସଫା ହୋଇନଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରି ନଥିଲା ଫଳରେ ବଜାରରେ ଥିବା ବହୁ ଦୋକନରେ ପାଣି ପଶି ଜିନିଷ ପତ୍ର ନଷ୍ଠ ହୋଇଥିବା ବେଳେ ଗ୍ରାମାଂଚଳ ବାସିନ୍ଦାଙ୍କ ଘର ମଧ୍ୟରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି।

ସମ୍ବନ୍ଧିତ ଖବର