ଦୁଇ ପୃଥକ ସଡକ ଦୁର୍ଘଟଣାରେ ୨ ଯୁବକ ମୃତ

ନବରଙ୍ଗପୁର: ପାପାଡ଼ାହାଣ୍ଡି ବ୍ଲକରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବାଇକ ଆରୋହୀ ପିଣ୍ଟୁ ପାଇକ (୩୬) ଓ ପିତବାସ ହରିଜନ(୨୫)।

ଖବର ନେବାରୁ ଜଣାପଡିଛି ଯେ ପାପଡାହାଣ୍ଡି ବ୍ଲକର ଜାମଗୁଡାରୁ ପିଣ୍ଟୁ ଗୋଟିଏ ବାଇକରେ ଓ ତାଙ୍କ ଭଉଣୀ ଏବଂ ଭିଣୋଇ ଅନ୍ୟ ଏକ ସ୍କୁଟିରେ ନବରଙ୍ଗପୁର ସହର ଉପକଣ୍ଠ ରଙ୍ଗମାଟିଗୁଡାକୁ ଆସୁଥିଲେ। ସଂଧ୍ୟା ପ୍ରାୟ ୭ଟା ବେଳକୁ ତାରାଗାଁ ନିକଟସ୍ଥ ଜାତୀୟ ରାଜପଥରେ ବିପରିତ ଦିଗରୁ ପାପଡାହାଣ୍ଡି ଅଭିମୁଖେ ଯାଉଥିବା ଏକ ବୋଲେର ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ପିଣ୍ଟୁ ପାଇକଙ୍କର ମୃତ୍ୟୁ ଘଟିଛି। ଖବର ପାଇଁ ଏଏସଆଇ ଅଶୋକ କୁମାର ଦେଓ ଓ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତ ଶରୀରକୁ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିଥିଲେ।

ସେହିପରି ଭାବେ ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ସାନମସିଗାଁ ପଞ୍ଚାୟତର ସିରାଗୁଡା ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସିନ୍ଧିଗାଁ ପଞ୍ଚାୟତର କୁମଝର ଗାଁର ପିତବାସ ହରିଜନ ଓ ସିରାଗୁଡା ଗାଁର ଖଗପତି ସିରା (୪୦) ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଆମ୍ବୁଲାନସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲରେ ପିତବାସ ହରିଜନକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର