ମୃତ୍ୟୁ ଏମିତି ଆସେ: ଗାଧୋଇବାକୁ ଯାଉଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଯିବାରୁ ୨ ଯୁବକ ମୃତ, ୨ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ ଅଚାନକ ଢଳି ପଡ଼ିବାରୁ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୨ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କଳିଙ୍ଗାବାଡ଼ି ଗାଁର ରଞ୍ଜନ ପ୍ରଧାନ ଓ ଲିକୁ ପ୍ରଧାନ।

ସୂଚନା ଅନୁସାରେ ଆଜି ରଞ୍ଜନ ଓ ଲିକୁ ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ପୋଖରୀକୁ ଯିବା ସମୟରେ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ସେମାନଙ୍କ ଉପରରେ ଢଳି ପଡ଼ିଥିଲା। ଫଳରେ ସେମାନେ ରାସ୍ତା ଉପରେ ଛଟପଟ ହେଉଥିଲେ। ଘଟଣା ସମୟରେ ସେହି ରାସ୍ତା ଦେଇ ଜଳେନ୍ଦ୍ର ଓ ସୁରଜ ଯାଉଥିଲେ। ରଞ୍ଜନ ଓ ଲିକୁଙ୍କୁ ଉଦ୍ଧାର କରିବାକୁ ଯାଇ ଜଳେନ୍ଦ୍ର ଓ ସୁରଜ ବିଦ୍ୟୁତ୍‌ ଆଘାତ ପାଇଥିଲେ। ସ୍ଥାନୀୟ ଲୋକେ ୪ ଜଣ ଯୁବକଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ରଞ୍ଜନ ଓ ଲିକୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏକ ଅଭାବନୀୟ ମୃତ୍ୟୁକୁ କଳିଙ୍ଗାବାଡ଼ି ଗାଁର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କଳିଙ୍ଗାବାଡ଼ି ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।

ସମ୍ବନ୍ଧିତ ଖବର