ସାମାଜିକ ସ୍ବୀକୃତି ନମିଳିବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତର ଚିକିଲାପାରା ଗ୍ରାମ ଶେଷ ମୁଣ୍ଡରେ ଥିବା ପାହାଡ଼ ତଳ ଜଙ୍ଗଲରୁ ଆଜି ସକାଳୁ ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିବା ଜଣାପଡିଛି l ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି l

ସୂଚନାଯୋଗ୍ୟ, ଦେବାଗାଁ ପଞ୍ଚାୟତର ଜଣେ ଯୁବତୀ ଏବଂ ଉକ୍ତ ପଞ୍ଚାୟତର ଅନ୍ୟ ଏକ ଗ୍ରାମର ଜଣେ ଯୁବକଙ୍କ ମଧ୍ୟରେ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ରହି ଆସିଥିଲା l ଉଭୟ ପ୍ରେମକୁ ପରିବାର ଲୋକେ ପସନ୍ଦ କରୁ ନଥିବା ବେଳେ ଦୁହେଁ ଦୁହିଁଙ୍କୁ ଛାଡି ରହି ପାରୁ ନଥିଲେ l ଗତକାଲି ରାତି ଖାଇ ସାରି ଦୁହେଁ କାହାକୁ କିଛି ନକହି ଘରୁ ବାହାରି ପଡିଥିଲେ l ଆଜି ବିରିସାଡ଼ି ଗ୍ରାମଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଚିକିଲାପାରା ଗ୍ରାମ ନିକଟରେ ଥିବା ପାହାଡ଼ ତଳ ଜଙ୍ଗଲର ଏକ ଚାକୁଣ୍ଡା ଗଛରେ ନାବାଳିକାର ପିନ୍ଧା ଓଢ଼ଣି ସାହାଯ୍ୟରେ ଦୁହେଁ ଆତ୍ମହତ୍ୟା କରିଥିଲେ। ଦୁହିଁଙ୍କୁ ଝୁଲନ୍ତା ଅବସ୍ଥାରେ କିଛି ଗ୍ରାମବାସୀ ଦେଖିଥିଲେ l

ଏହାପରେ ଗ୍ରାମବାସୀ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେl ସାମାଜିକ ସ୍ଵୀକୃତି ନପାଇ ଦୁହେଁ ଭୟରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଥିଲା l

ଖବର ପାଇ ରାଇଘର ଭାରପ୍ରାପ୍ତ ଥାନା ଅଧିକାରୀ ଅଭୟ କୁମାର ବେହରା ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାଇଘର ତହସିଲଦାର ଡ଼ଃ ତୁଷାର ଜ୍ୟୋତି ରଞ୍ଜନଙ୍କ ଉପସ୍ଥିତରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା l ଏ ନେଇ ରାଇଘର ଥାନାରେ ପୃଥକ ପୃଥକ ଭାବେ ଦୁଇଗୋଟି ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି l

ସମ୍ବନ୍ଧିତ ଖବର