ନବମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ୱା ହେବା ଘଟଣାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ: ମାଟ୍ରନ୍‌ ବହିଷ୍କୃତ ଓ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଜଣେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ୱା ହେବା ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସ୍କୁଲର ମାଟ୍ରନ୍‌କୁ ବହିଷ୍କୃତ ସହିତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନରେ ଥିବା ଏକ ଆଶ୍ରମ ବିଦ୍ୟାଳୟରୁ ନବମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ୱା ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଛାତ୍ରୀ ଜଣକ କପ୍ତିପଦା ଥାନା ଅଞ୍ଚଳରୁ ଆସି ଆଶ୍ରମ ସ୍କୁଲରେ ପଢୁଥିଲେ। ତେବେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ବାରିପଦା ପିଆରଏମ୍‌ ମେଡିକାଲ କଲେଜକୁ ନାବାଳିକାକୁ ଡାକ୍ତରି ମାଇନା ପାଇଁ ପଠାଯାଇଛି। ନାବାଳିକା ଜଣେ କେମିତି ଅନ୍ତସତ୍ତ୍ୱା ହୋଇଛି, ତାହାର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି।

ଉଲ୍ଲେଖଯୋଗ୍ୟ, ଦାରିଙ୍ଗବାଡ଼ି ପରେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ୱା ହେବା ଖବର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି। ଗତକାଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ଆସିଥିଲା। ନାବାଳିକା ଜଣକ ହଠାତ୍‌ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ସମ୍ବନ୍ଧିତ ଖବର