ଭିଜିଲାନ୍ସ୍ ଜାଲରେ ଗୁଣୁପୁର କୋଟିପତି ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ 

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ରାସ୍ତା ଓ କୋଠାବାଡ଼ି ବିଭାଗ-୨ ଅଧୀନ ଗୁଣପୁର ସବ୍‌ଡିଭିଜନ୍‌ର ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ବ୍ରହ୍ମପୁର ଆର.ସି.ଦାସ ଲେନ୍‌ ସ୍ଥିତ ବାସଗୃହ ସମେତ ୪ଟି ସ୍ଥାନରେ ଚଢ଼ଉରୁ ୩୧ ପ୍ଲଟ୍‌, ୭୧୮ ଗ୍ରାମ ସୁନା, ନଗଦ ୨.୯୫ ଲକ୍ଷ ମିଶାଇ ୧କୋଟି ୧୩ଲକ୍ଷ ୪୭ହଜାର ୪୩୦ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରୁ ଜାରି ସର୍ଚ୍ଚ ୱାରେଣ୍ଟ୍‌ ବଳରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଶ୍ରୀ ପାଢୀ ୧୯୯୧ରୁ ପୂର୍ତ୍ତ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ବର୍ତ୍ତମାନ ଗୁଣପୁରରେ ଉପନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ। ବ୍ରହ୍ମପୁର କମାପଲ୍ଲୀ ନିକଟସ୍ଥ ଆର.ସି.ଦାସ ଲେନ୍‌ ସ୍ଥିତ ବାସଗୃହ, ଗୁଣପୁର ଅଫିସ କାର୍ଯ୍ୟାଳୟ, ଗୁଣପୁର ସ୍ଥିତ ସରକାରୀ କ୍ବାର୍ଟର୍ସ ଓ ଗଞ୍ଜାମ ଧରାକୋଟ ବ୍ଲକ୍‌ ଦୁର୍ଗାମାଧବପୁର ଠାରେ ଥିବା ଷ୍ଟୋନ୍‌ କ୍ରସର୍‌ ୟୁନିଟ୍‌ରେ ଚଢ଼ଉ ହୋଇଥିଲା। ବ୍ରହ୍ମପୁର ସହରର ବୈଦ୍ୟନାଥ ପୁର ମୌଜାର ଆର.ସି.ଦାସ ଲେନ୍‌ରେ ଶ୍ରୀ ପାଢୀଙ୍କ ୩ ମହଲା କୋଠାର ମୂଲ୍ୟ ୪୩ଲକ୍ଷ ୬ହଜାର ଟଙ୍କା ଆକଳନ କରାଯାଇଛି।

ସେହିପରି ତାଙ୍କ ପୁଅ କାହ୍ନୁଚରଣ ପାଢୀଙ୍କ ନାମରେ ଧରାକୋଟ ବ୍ଲକ ଦୁର୍ଗାମାଧବପୁର ଗ୍ରାମରେ ୩ଟି ପ୍ଲଟ୍‌ ଥିବା ବେଳେ ତାହାର ମୂଲ୍ୟ ୩ଲକ୍ଷ ୯୨ହଜାର ୯୭୦ଟଙ୍କା ଆକଳନ ହୋଇଛି। ଶ୍ରୀ ପାଢୀଙ୍କ ନାମରେ ୪ଟି, ପତ୍ନୀ ମଧୁମଞ୍ଜରୀଙ୍କ ନାମରେ ୫ଟି, ପୁଅ କାହ୍ନୁଙ୍କ ନାମରେ ୧୮ଟି ଓ ପୁଅ ଶ୍ୟାମସୁନ୍ଦରଙ୍କ ନାମରେ ୪ଟି ପ୍ଲଟ୍‌ ରହିଛି। ଏଗୁଡ଼ିକ ପୁରୁଷୋତ୍ତମପୁର, ସୋରଡ଼ା, ଧରାକ‌ୋଟ ଓ ହିଞ୍ଜଳିକାଟୁ ତହସିଲ ଇଲକାରେ ରହିଥିବା ବେଳେ ଏହାର ମୂଲ୍ୟ ୧୬ଲକ୍ଷ ୭ହଜାର ୨୩୦ଟଙ୍କା ଭିଜିଲାନ୍ସ ଆକଳନ କରିଛି। ସେହିପରି ପୁଅ କାହ୍ନୁଙ୍କ ନାମରେ ଏକ ‌ଷ୍ଟୋନ କ୍ରସର ରହିଛି, ଯାହାର ମୂଲ୍ୟ ୭ଲକ୍ଷ ୧୧ହଜାର ୫୬୨ଟଙ୍କା ଆକଳନ ହୋଇଛି। ତାଙ୍କ ଘରୁ ୧୧ଲକ୍ଷ ୭ହଜାର ୩୭୮ଟଙ୍କା ମୂଲ୍ୟର ଆସବାବପତ୍ର ଠାବ ହୋଇଛି।

୨୦୧୪ରେ ୫ଲକ୍ଷ ୫୦ହଜାର ୬୫୪ଟଙ୍କା ମୂଲ୍ୟରେ କିଣା ଯାଇଥିବା ହୁଣ୍ଡାଇ କାର୍‌, ୧ଲକ୍ଷ ଟଙ୍କା ମୂଲ୍ୟର ବୁଲେଟ୍‌ ମୋଟର ସାଇକେଲ, ୪୦ଲକ୍ଷ ଟଙ୍କା ମୂଲ୍ୟର ଷ୍ଟୋନ୍‌ କ୍ରସର ମେସିନ୍‌ ଠାବ ହୋଇଛି। ଏଥିସହ ତାଙ୍କ ଘରୁ ୭୧୮ ଗ୍ରାମ ଅର୍ଥାତ ୨୦ଲକ୍ଷ ୬୨ହଜାର ୨୬୦ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଠାବ ହୋଇଛି। ପୁଅ ଓ ପତ୍ନୀଙ୍କ ନାମରେ ୩୨ଲକ୍ଷ ୨ହଜାର ୫୮ଟଙ୍କା ମୂଲ୍ୟର ବିଭିନ୍ନ ବ୍ୟାଙ୍କ୍‌ ଓ ପୋଷ୍ଟ ଅଫିସରେ ଜମା ରହିଛି। ତାଙ୍କ ଘରୁ ନଗଦ ୨ଲକ୍ଷ ୯୫ହଜାର ୭୦ଟଙ୍କା ଠାବ ହୋଇଛି। କ୍ରସର୍‌ ଫ୍ୟାକ୍ଟ୍ରି ପରିସରରେ ୩୦ହଜାର ଟଙ୍କା ମୂଲ୍ୟର ଚିପସ୍‌ ଜମା ଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଅନୀଲ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର