କୋରାପୁଟ: ମୋବାଇଲ ନଦେବାରୁ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋରାପୁଟ ସହର ଗୌତମନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ରଙ୍କ ନାମ ମନୋହର ରାଓ ବୟସ ୧୩ବର୍ଷ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଶ୍ରୀନିବାସ ରାଓଙ୍କ ୧୩ ବର୍ଷିୟ ପୁଅ ମନୋହର ସେଣ୍ଟ ଜାଭିୟର ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । କରୋନା ଯୋଗୁଁ ପିଲାଙ୍କୁ ବିଦ୍ୟାଳୟ ଯିବା ବନ୍ଦ ଥିବାରୁ ଅନଲାଇନରେ ପାଠପଢ଼ା ଚାଲିଛି। ପ୍ରତିଦିନ ମନୋହର ମୋବାଇଲରେ ଅନଲାଇନ କ୍ଳାସ କରନ୍ତି ।
ଅଧିକାଂଶ ସମୟ ମନୋହର ଫୋନରେ ଗେମ୍ ଖେଳୁଥିଲେ । ଆଉ ମୋବାଇଲ ପ୍ରତି ଆଶକ୍ତ ହୋଇପଡିଥିଲେ । ପରିବାର ଲୋକ ଯେତେ ବୁଝାଇଲେ ବି ମୋବାଇଲ ନିଶା ତାଙ୍କର ଦିନକୁ ଦିନ ବଢ଼ି ଚାଲିଥିଲା । ମଙ୍ଗଳବାର ମୋବାଇଲ ଛଡାଇ ନେବାରୁ ସେ ଏଥିରେ ରାଗି ଯାଇ ଗୋଟିଏ ରୁମରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ।
ଆଉ ବେକରେ ଶାଢ଼ି ବାନ୍ଧି ଏକ ଫ୍ୟାନରେ ଝୁଲି ପଡିଥିଲେ । ପରିବାର ଲୋକେ କବାଟ ଭାଙ୍ଗି ମନୋହରଙ୍କୁ ଉଦ୍ଧାର କରି ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପିଲାଙ୍କ ମୋବାଇଲ ନିଶା ଚିନ୍ତା ବଢ଼ାଉଛି । କାରଣ ଏହା ପ୍ରଥମ ଘଟଣା ନୁହେଁ ପିଲାମାନଙ୍କୁ ବାପା-ମା ଫୋନ ଧରିବାକୁ ତାଗିଦ କରିବାରୁ ସେମାନେ ଆତ୍ମହତ୍ୟା କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।