ରାଉରକେଲା: ଜାନୁଆରିରେ ଅନୁଷ୍ଠିତ ହକି ବିଶ୍ବକପ୍ ପୂର୍ବରୁ ଏକାଧିକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ, ରାସ୍ତା କଡ଼ ଚଳାପଥ ନିର୍ମାଣ, ସହରର କାନ୍ଥବାଡ଼ରେ ଚିତ୍ର ଅଙ୍କନକରି ସୌନ୍ଦର୍ଯ୍ୟବୃଦ୍ଧି, ବୃକ୍ଷରୋପଣ ଆଦି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏତଦ୍ବ୍ୟତୀତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ସମେତ ବିଭିନ୍ନ ଛୋଟବଡ଼ ଖେଳପଡ଼ିଆକୁ ନବୀକରଣ କରାଯାଇଥିଲା। ଏହି କ୍ରମରେ ଉଦିତନଗର ପଡ଼ିଆ ସମେତ ଛେଣ୍ଡ୍, କୋଏଲନଗର, ସିଭିଲ ଟାଉନସିପ୍ରେ ଥିବା ଖେଳ ପଡ଼ିଆ ମଧ୍ୟ ନୂଆ ରୂପ ପାଇଥିଲା। ଏବେ କିନ୍ତୁ ଉଦିତନଗର ଖେଳ ପଡ଼ିଆର ସୌନ୍ଦର୍ଯ୍ୟ ବିଗିଡ଼ିବାରେ ଲାଗିଛି। ଏଠାରେ ଥିବା ବିଭିନ୍ନ ସୁବିଧାସୁଯୋଗ ଧରାଶାୟୀ ହେବାରେ ଲାଗିଛି। ଆଉ ଏହାର ମୁଖ୍ୟ କାରଣ ପାଲଟିଛି ରକ୍ଷଣାବେକ୍ଷଣର ଅଭାବ। ଯେଉଁ ଉଦ୍ଦେଶ୍ୟନେଇ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ଏହି ଖେଳ ପଡ଼ିଆକୁ ବିକଶିତ କରିଥିଲେ; ଏବେ ତାହା ପଥଚ୍ୟୁତ ହେବାରେ ଲାଗିଛି।
ସ୍ମାର୍ଟସିଟି ଅନୁମୋଦିତ ଅର୍ଥରେ ଉଦିତନଗର ଖେଳ ପଡ଼ିଆ ନୂଆ ରୂପ ପାଇଥିଲା। କିନ୍ତୁ ସ୍ମାର୍ଟସିଟି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ପଡ଼ିଆର ମାନ ଭୁଶୁଡ଼ିବାରେ ଲାଗିଛି। ଏହି ପଡ଼ିଆରେ ଦାମୀ ଘାସ ଲଗାଯିବା ସହ ପାଖାପାଖି ୨୫ଟି ହାଇମାଷ୍ଟ୍ ଲାଇଟ୍, ଦୌଡ଼କୁଦ ପାଇଁ ଟ୍ରାକ୍ ନିର୍ମାଣ, ଶୌଚାଳୟ, ପାର୍କିଂ ବ୍ୟବସ୍ଥା ଆଦି କରାଯାଇଥିଲା। ଏବେ କିନ୍ତୁ ଏହା ବାପଛେଉଣ୍ଡ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ପଡ଼ିଆରେ ପଡ଼ିଥିବା ଘାସ ଉପୁଡ଼ିବାରେ ଲାଗିଛି। ବିଶେଷକରି ଗୋଲ୍ ପୋଷ୍ଟ୍ ନିକଟସ୍ଥ ଘାସଗୁଡ଼ିକ ଉପୁଡ଼ୁଛି। ଏଠାରେ ଥିବା ହାଇମାଷ୍ଟ୍ ଲାଇଟ୍ଗୁଡ଼ିକ ନିୟମିତଭାବେ ଜଳୁନି। ମୋଟ୍ ୨୫ଟି ଲାଇଟ୍ ମଧ୍ୟରୁ ସୋମବାର ୨୨ଟି ବନ୍ଦ ଥିବାବେଳେ ଆଜି(ମଙ୍ଗଲବାର) ୯ଟି ଜଳୁନି। ଫଳରେ ପଡ଼ିଆରେ ଅନ୍ଧାରରେ ରାଜୁତି। ଏମିତିକି ପାର୍କିଂ ଅଞ୍ଚଳ ମଧ୍ୟ ଅନ୍ଧାରରେ। ଏଠାରେ ଥିବା ୪ଟି ଶୌଚାଳୟ ମଧ୍ୟରୁ ୨ଟିକୁ ସବୁବେଳେ ବନ୍ଦ ରଖାଯାଉଥିବାବେଳେ ଅବଶିଷ୍ଟ ଦୁଇ ଶୌଚାଳୟକୁ ବ୍ୟବହାର ପାଇଁ ଖୋଲାଯାଇଛି। ତେବେ ଏଠାରେ ପରିମଳ ଶୋଚନୀୟ ଅବସ୍ଥାରେ।
ନିୟମିତ ସଫେଇ ହେଉନଥିବାରୁ ଦୁର୍ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ଏଣୁ ଲୋକେ ଶୌଚାଳୟ ପରିବର୍ତ୍ତେ ଖୋଲା ପଡ଼ିଆରେ ଶୌଚ କରୁଛନ୍ତି। ଉଦିତନଗର ପଡ଼ିଆ ଏବେ ଅସାମାଜିକଙ୍କ ଆଡା ପାଲଟିଲାଣି। ସନ୍ଧ୍ୟା ହେବାମାତ୍ରେ ଅସାମାଜିକତତ୍ତ୍ବ ପଡ଼ିଆ ଭିତରେ, ଟ୍ରାକ୍ ଉପରେ ଭିଡ଼ ଜମାଉଛନ୍ତି। ଏମିତିକି ନିଶାଦ୍ରବ୍ୟ ବ୍ୟବହାର ସହ ପଡ଼ିଆକୁ ଆସୁଥିବା ବ୍ୟକ୍ତିଙ୍କୁ ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୁଏ। ପଡ଼ିଆ ଭିତରେ ମଦ ବୋତଲ, ବିଭିନ୍ନ ଖାଦ୍ୟ ସାମଗ୍ରୀ ଫୋପାଡ଼ିବାକୁ ପଛାଉନାହାନ୍ତି। ଏମିତିକି ଟ୍ରାକ୍ ଉପରେ ଗୁଟ୍ଖା ଛେପ ପଡ଼ିବା ଭଲି ଅଶୋଭନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଖାସ୍ ଏହି କାରଣରୁ, ଜନସାଧାରଣ, ବିଶେଷକରି ମହିଳା ଉଦିତନଗର ପଡ଼ିଆକୁ ପ୍ରାତଃ, ସାନ୍ଧ୍ୟ ଭ୍ରମଣରେ ଯିବାକୁ ଅମଙ୍ଗ ହେଉଛନ୍ତି। ପାଖାପାଖି ଦୁଇ ସପ୍ତାହ ପୂର୍ବେ ପଡ଼ିଆରେ ପାଖାପାଖି ଶହେ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଖସି ୧୦/୧୨ରେ ପହଞ୍ଚିଲାଣି। ବିଡ଼ମ୍ବନା ଏହା ଯେ, ଏତେଟଙ୍କା ବ୍ୟୟକରି ନିର୍ମିତ ପଡ଼ିଆର ସୁରକ୍ଷା ପାଇଁ ଜଣେ ବି ସୁରକ୍ଷା କର୍ମୀ ନାହାନ୍ତି। ଅନ୍ୟୁନ ଗୋଟିଏ ବି ସୁରକ୍ଷା କର୍ମୀ ନିୟୋଜିତ ରହିଲେ, ବହୁମାତ୍ରାରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ଅଙ୍କୁଶ ଲଗାଯାଇପାରନ୍ତା। ପ୍ରକାଶଥାଉକି, ବିମାନବନ୍ଦର ରୋଡ୍ରେ ଥିବା ୪୦ ଫୁଟ୍ ବିଶିଷ୍ଟ ହକି ଷ୍ଟାଚ୍ୟୁ ଉପୁଡ଼ି ପଡ଼ିବାରେ ସେଠାରେ ଅହରହ ସୁରକ୍ଷାକର୍ମୀ ଜଗି ବସିଥିବାବେଳେ ଉଦିତନଗର ପଡ଼ିଆରେ କିନ୍ତୁ ଜଣେ ବି ନାହାନ୍ତି। ଏଠାରେ ଲାଗିରହିବା ବିଭିନ୍ନ ସମସ୍ୟାର ସମାଧାନ ହିଁ ବର୍ତ୍ତମାନର ଆବଶ୍ୟକତା।