ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୟୁ.ପି.ଏସ ଅଚଳ,୧୨ ଦିନ ହେଲା ଗ୍ରାହକ ସେବା ବନ୍ଦ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ଅଚଳବସ୍ଥା ଲାଗିରହିଛି | ବ୍ୟାଙ୍କ ପରିଚାଳିତ ନିମନ୍ତେ ଉଦ୍ଧିଷ୍ଟ ୟୁ. ପି. ଏସ ଅଚଳ ହୋଇ ପଡ଼ଇଥୁବାରୁ ଦୀର୍ଘ ୧୨ ଦିନ ଧରି ଗ୍ରାହକ ବ୍ୟାଙ୍କ ସେବାରୁ ବଂଚିତ ହୋଇ ରହୁଛନ୍ତି | ତେନ୍ତୁଳିଖୁଣ୍ଟି ସଦର ମହକୁମା ରେ ୧୯୭୭ ମସିହାରୁ ଅବସ୍ଥାପିତ ଏହି ବ୍ୟାଙ୍କ ଗ୍ରାହକଙ୍କୁ ନିରବଛିନ୍ନ ସେବା ଯୋଗେଇ ଆସୁଛି | ହେଲେ ୧୨ ଦିନ ହେଲା କମ୍ପୁଟର ପରିଚାଳନା ନିମନ୍ତେ ଥିବା ୟୁ. ପି. ଏସ ଅଚଳ ହୋଇ ପଡ଼ିଥିବାରୁ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି | ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, ଦିଗି, ଗ୍ରାମ ପଂଚାୟତ ଅଧୀନରେ ଥୁବା ଅନେକ ଗ୍ରାମର ଗ୍ରାହକ ଏହି ଏକମାତ୍ର ବ୍ୟାଙ୍କ ଉପରେ ନିର୍ଭର କରି କାରବାର କରନ୍ତି | ଏହି ବ୍ୟାଙ୍କ ଉପରେ ୧୨ ହଜାରରୁ ଉର୍ଦ୍ଧ୍ବ ଗ୍ରାହକ ନିର୍ଭର କରୁଛନ୍ତି |

ବର୍ତ୍ତମାନ କେନ୍ଦୁପତ୍ର ତୋଳାଳୀ,ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ,କାଳିଆ ଯୋଜନାରେ ଲାଭ ପାଉଥିବା ହିତାଧିକାରୀ,ବିଭିନ୍ନ ଦୋକାନୀ, ସମେତ ହଜାର ହଜାର ଜନସାଧାରଣଙ୍କ ବ୍ୟାଙ୍କର ଅଚଳବସ୍ଥା କାରଣରୁ ସେମାନଙ୍କ କାରବାର ଠପ ହୋଇ ପଡିଛି | ୧୨ ଦିନରୁ ଉର୍ଦ୍ଧ୍ବ ସମୟ ଧରି ୟୁ. ପି. ଏସ ଅଚଳ ହୋଇ ପଡିବା ଏବଂ ହେଡ ଅଫିସ ଏହାର ମରାମତି ଦିଗରେ ତତ୍ପରତା ପ୍ରକାଶ ନକରିବା ଗ୍ରାହକ ଙ୍କ ମହଲରେ ଅସନ୍ତୋଷ ର ଦାନା ବାନ୍ଧିବାରେ ଲାଗିଛି | ବ୍ୟାଙ୍କ ୟୁ. ପି. ଏସ ଅଚଳ ହେବା ବିଷୟ ଅନେକ ଗ୍ରାହକ ଜାଣିନଥୁବା ଯୋଗୁଁ ପ୍ରତ୍ୟେକ ଦିନ ବ୍ୟାଙ୍କକୁ ଆସି ହଇରାଣ ହେଉଥିବା ଦେଖିବାକୁ ମିଳୁଛି | ଅନ୍ୟପଟେ ଏହି ବ୍ୟାଙ୍କ କେବଳ ଦୁଇଜଣ କର୍ମଚାରୀ ଙ୍କୁ ନେଇ ଚାଲୁଛି |

ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ଜଣେ କୋଷାଧକ୍ଷଙ୍କୁ ନେଇ ବ୍ୟାଙ୍କ ପରିଚାଳିତ ହେଉଛି ! ଏହି ବ୍ୟାଙ୍କରେ ଜଣେ କ୍ଷେତ୍ରଧିକାରୀ, ଜଣେ କୋଷାଧକ୍ଷ ଏବଂ ଜଣେ ମେସେଞ୍ଜର ପଦବୀ ଖାଲିପଡିଛି | ବର୍ତ୍ତମାନ ବ୍ୟାଙ୍କ ମ୍ୟାନେଜର କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ସୂଚନା ମିଳିଛି | ଚଳିତ ମାସ ୧୮ ତାରିଖରୁ ୟୁ. ପି. ଏସ ଅଚଳ ହୋଇ ପଡ଼ିଥୁଲା | ଏନେଇ ୧୮ ତାରିଖ ଦିନ ହିଁ ଭବାନୀପାଟଣା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ଅବଗତ କରାଯାଇଛି ବୋଲି ବ୍ୟାଙ୍କ ମ୍ୟାନେଜର ଅଶ୍ୱିନୀ କୁମାର ଭତରା ପ୍ରକାଶ କରିଛନ୍ତି | ତେବେ ଅବଗତ କରିବା ସତ୍ୱେ ମଧ୍ୟ ଉପରିସ୍ଥ ଅଧିକାରୀ ୟୁ. ପି. ଏସ ମରାମତି କରି ଗ୍ରାହକଙ୍କୁ ସେବା ଯୋଗେଇବାରେ ବିଫଳ ହେବା ଯୋଗୁଁ ଜନ ଅସନ୍ତୋଷ ତେଜିବାରେ ଲାଗିଛି | ଏଣୁ ବ୍ୟାଙ୍କରେ ଲାଗିରହିଥିବା ସମସ୍ୟାକୁ ସମାଧାନ କରି ଗ୍ରାହକଙ୍କୁ ତୁରନ୍ତ ସେବା ଯୋଗେଇବା ନିମନ୍ତେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଖିଳ ଭତରା ଦାବି କରିଛନ୍ତି |

ସମ୍ବନ୍ଧିତ ଖବର