ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ସୁନାରିସିକୁଆ ପଞ୍ଚାୟତରେ ଉଜ୍ଜ୍ବଳା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜଣେ ଗ୍ୟାସ୍ ଡିଲର ଟଙ୍କା ନେଇ ଗ୍ୟାସ୍ ସିଲିଣ୍ଡର ଓ ଚୁଲା ଦେଉଥିବା ଜଣାପଡ଼ିଛି। ଖଡ଼ିଆଳ ବ୍ଲକ୍ ଭୁଲିଆସିକୁଆ ପଞ୍ଚାୟତବାସୀଙ୍କ ଅଭିଯୋଗ ହେଲା, କେଏସ୍ ମେହେର ଗ୍ରାମୀଣ ବିତରକ କେନ୍ଦ୍ର ଭୁଲିଆସିକୁଆ ଆମ ପଞ୍ଚାୟତ ପାଇଁ ଇଣ୍ଡେନ୍ ଗ୍ୟାସ୍ ଟେଣ୍ଡର ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ଶହରୁ ଅଧିକ ପରିବାରର ଉଜ୍ଜ୍ବଳା ଯୋଜନାରେ ନାମ ପଞ୍ଜୀକରଣ କରିଛନ୍ତି। କିଛି ଗରିବ ସୀମାରେଖା ତଳେ ଥିବା ପରିବାରକୁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଓ ଚୁଲା ଦିଆ ସରିଛି। କିନ୍ତୁ ଟେଣ୍ଡର ପାଇଥିବା କ୍ଷୀରସିନ୍ଧୁ ମେହେର ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ଠାରୁ ୯୧୪ ଟଙ୍କା ଆଦାୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ଏନେଇ କ୍ଷୀରସିନ୍ଧୁଙ୍କୁ ପଚାରିବାରୁ, ସେ ଘଟଣାକୁ ସ୍ୱୀକାର କରିବା ସହିତ ଅନ୍ଲାଇନ୍ କଲେ ୨୫୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିଥିଲେ। ଅନ୍ୟପଟେ ବିତରକ କେନ୍ଦ୍ର କରିବା ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ସରପଞ୍ଚ ଲାଞ୍ଚ ମାଗୁଥିଲେ ବୋଲି କ୍ଷୀରସିନ୍ଧୁ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ, ସେ ଭୁଲ କହୁଛନ୍ତି ବୋଲି ପ୍ରକାଶ କରିବା ସହିତ ମୁଁ ସେହି ସ୍ଥାନରେ ଗ୍ୟାସ୍ ଗୋଦାମ ନକରିବାକୁ କହିଥିଲି। କାରଣ ଗ୍ୟାସ୍ ଗୋଦାମ ଠାରୁ ୫୦ ମିଟର ଦୂରରେ କଲେଜ ଅଛି। ଏବେ ସେଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେବ। ମତେ ବଦନାମ କରିବା ପାଇଁ ଏଭଳି କହୁଛନ୍ତି ବୋଲି ପ୍ରକାଶ କରିଛନ୍ତି।
ଏନେଇ ଦାୟିତ୍ୱରେ ଥିବା ଖଡ଼ିଆଳ ଅଗ୍ନିଶମ ଇନ୍ଚାର୍ଜ ସୁରେଶ ବାରିକଙ୍କୁ ପଚାରିବାରୁ, ମୁଁ ୩ ମାସ ହେଲା କାର୍ଯ୍ୟରେ ଯୋଗ ଦେଇଛି। ମୁଁ କିଛି ଜାଣିନାହିଁ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଯେଉଁ ଅଧିକାରୀମାନେ ବିତରକ କେନ୍ଦ୍ର ପାଇଁ ଲାଞ୍ଚ ମାଗୁଥିଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।