ଜୟପୁର: ଫେଲ ମାରିଛି ଉଜ୍ଜ୍ବଳା ଗ୍ୟାସ ଯେ।ଜନା । ଉଜ୍ଜ୍ବଳା ଯୋଜନାକୁ କେନ୍ଦ୍ର ସରକାର ଏବଂ ପେଟ୍ରୋଲିୟମ୍ ମନ୍ତ୍ରାଳୟ ବିରାଟ ସଫଳତା ବୋଲି ଭାବୁଛନ୍ତି। ମାତ୍ର ଏହି ଯୋଜନାରେ ସିଲିଣ୍ଡର ପାଇଥିବା ହିତାଧିକାରୀ ଦ୍ବିତୀୟ ଥର ପାଇଁ ଗ୍ୟାସ୍ ଭରୁନାହାନ୍ତି। ଜୟପୁର ଉପଖଣ୍ଡରେ ମାତ୍ର ୨୫ ରୁ ୩୦ ପ୍ରତିଶତ ହିତାଧିକାରୀ ଦ୍ୱିତୀୟ ଥର ପାଇଁ ଗ୍ୟାସ୍ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି। ସେହିପରି ପ୍ରଥମ ଥର ହିତାଧିକାରୀଙ୍କୁ ସବ୍ସିଡି ଦିଆଯାଉଥିବା ବେଳେ ଦ୍ୱିତୀୟ ଥର ବଜାର ଦରରେ କିଣିବାକୁ ପଡ଼ୁଛି। ସଂପ୍ରତି ଗ୍ୟାସ୍ ଚଢ଼ା ଦର ରହିଥିବାରୁ ଗ୍ରାମାଂଚଳର ମହିଳାମାନେ ନେଇଥିବା ଗ୍ୟାସ୍ ସିଲଣ୍ଡରକୁ ଘରର ଗୋଟିଏ କୋଣରେ ପକାଇ ଦେଇଥିବା ଦେଖିବାକୁ ମିଳିଛି।

Advertisment

କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଗରିବ, ଖଟିଖିଆ, ଦିନ ମଜୁରିଆ, ଅନୁସୂଚିତ ଜାତି ଓ ଜନଜାତିର ଲୋକେ ଦିନ ତମାମ କାମ କରି ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ଏହି ସ୍ଥିତିରେ ଯାହା ଦିନ ତମାମ କାମ କରୁଛନ୍ତି ସେହି ମଜୁରୀରେ ନିଜ ପରିବାରର ପେଟ ପୋଷିବେ ନା ୨ୟ ସିଲଣ୍ଡର ଚଢ଼ା ଦରରେ ନେବେ ବୋଲି ପ୍ରଶ୍ନ କରିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ଅଧ୍ୟକ୍ଷ ହରିଶ ମୁଦୁଲି । ଏପରିକି ସେ ବି ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଦ୍ବିତୀୟ ସିଲଣ୍ଡର ନେଇପାରିନାହାନ୍ତି। ଗ୍ରାମାଂଚଳର ବହୁ ଗରିବ ଲୋକେ ଯଦିଓ ୧୫୦୦ଟଙ୍କା ଦେଇ ଗ୍ୟାସ୍ ଚୁଲା, ଗ୍ୟାସ ସିଲିଣ୍ଡର ଓ ରେଗୁଲେଟର ଦେଇ କିଣିଥିଲେ କିନ୍ତୁ ପ୍ରଥମ ସିଲିଣ୍ଡରର ଗ୍ୟାସ୍ ସରିବା ପରେ ଏବେ ଚୁଲା, ରେଗୁଲଟର ଓ ସିଲିଣ୍ଡର ଗୋଟିଏ ରୁମରେ ପଡି ଖତ ଖାଉଛି।

ପୂର୍ବ ପରି ଗ୍ରାମାଂଚଳର ମହିଳାମାନେ ଜଙ୍ଗଲକୁ ଯାଇ ଜାଳେଣୀ କାଠ ସଂଗ୍ରହ କରୁଛନ୍ତି। କାଠ ଚୁଲାରେ ଧୁଆଁ ବାହାରୁଥିବା ବେଳେ ଏହାକୁ ଫୁଙ୍କି ଫୁଙ୍କି ରୋଷେଇ କରୁଛନ୍ତି। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଦ୍ବିତୀୟ ସିଲଣ୍ଡର କିଣିଆଣିବା ବି ସମ୍ଭବପର ନୁହେଁ ବୋଲି କହିଛନ୍ତି ଜୟନ୍ତଗିରୀର ରମା ଅମନାତ୍ୟ। ରମାଙ୍କ ଭଳି ଜୟନ୍ତଗିରୀ, ପୁଜାରୀପୁଟ, ରଣ୍ଡାପାଲ୍ଲୀ, କୁମୁଲିପୁଟ, ଆମ୍ବାଗୁଡା ପଂଚାୟତରେ ଏହି ଯୋଜନାରେ ସାମିଲ ହୋଇଥିବା ବହୁ ଗ୍ରାମୀଣ ମହିଳାମାନେ ଗ୍ୟାସ୍ ଚୁଲା, ଗ୍ୟାସ୍ ସିଲିଣ୍ଡର ଆଦିକୁ ଘରର ଗୋଟିଏ କୋଣରେ ସେଭଳି ପକାଇ ରଖିଥିବା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ଉଜ୍ଜଳା ଯୋଜନା କେତେ ସଫଳ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଗ୍ରାମାଂଚଳର ଲୋକଙ୍କ ଆର୍ଥିକସ୍ଥିତି ସ୍ବଚ୍ଛଳ ନଥିବାରୁ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି। ସେଭଳି ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ କିମ୍ବା ସ୍ବଳ୍ପ ମୂଲ୍ୟରେ ଗ୍ୟାସ୍ ଯୋଗାଇ ଦେବାକୁ ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ଅଧ୍ୟକ୍ଷ ହରିଶ ଦାବି କରିଛନ୍ତି। ମିଛ କାଗଜପତ୍ର ପ୍ରସ୍ତୁତ କରି ଗ୍ୟାସ ଯୋଗାଉଥିବା ପ୍ରକ୍ରିୟା ଏଜେନସୀଗୁଡିକ ବନ୍ଦ କରିବାକୁ ବି ହରିଶ ଦାବି କରିଛନ୍ତି। ଏହାର ହିତାଧିକାରୀୱାରୀ ଯାଂଚ କଲେ ପ୍ରକୃତ ସତ୍ୟାସତ୍ୟ ଆସିବ, କିଭଳି ଉଜ୍ଜ୍ବଳା ଯୋଜନା ଗ୍ୟାସକୁ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଛି ତାହାର ପର୍ଦ୍ଦାଫାସ ହୋଇପାରିବ ବୋଲି କହିଛନ୍ତି ହରିଶ। ଏ ନେଇ ଜିଲ୍ଲା ଉଜ୍ଜ୍ବଳା ଗ୍ୟାସ୍ ଯୋଜନାର ସଂଯୋଜକ କିଛି କହିବାକୁ ମନା କରିଦେଇଥିଲେ ।