ରାଜନଗର: ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ରାଜନଗର ବ୍ଲକ ହାତିନା ପଂଚାୟତ ଏଣ୍ତୁଳାପୁର ଗାଁର ଗୋପବନ୍ଧୁ ରାଉତ (୨୧) ଭୁବନେଶ୍ବର ଫେରିଛନ୍ତି। ଫେବ୍ରୃଆରି ୨୩ ତାରିଖଠାରୁ ଯୁଦ୍ଧର କଳା ବାଦଲ ଭିତରେ ଦିନ କାଟିବା ସହ ହଷ୍ଟେଲରୁ ମାତ୍ର ୨ଶହ ମିଟର ଦୂରରେ ମିଜାଇଲ ମାଡ ହେବାର ଦେଖିଛନ୍ତି ସେ। ବଙ୍କରରେ ଦୁଇଦିନ କାଟିବା ସହ ସୀମାରେ ୩ଦିନ ୧୧ ଡିଗ୍ରି ତାପମାତ୍ରାରେ ଦିନ କାଟିବା ପରେ ରୋମାନିଆ ଦେଇ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି। ନିଜ ଦେଶକୁ ଫେରି ନୂଆ ଜୀବନ ପାଇଛନ୍ତି ବୋଲି ଗୋପବନ୍ଧୁ କହିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ବାପା, ମା’ ପୁଅକୁ ଫେରି ପାଇବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି। ଅଧାରୁ ଡାକ୍ତରୀ ପାଠ ଛାଡି ଆସିଥିବାରୁ ସେମାନଙ୍କ ଭବିଷ୍ୟତ କ’ଣ ହେବ, ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ ପାଇଁ କି ପଦକ୍ଷେପ ନେବେ, ସେ ନେଇ ଅନାଇ ବସିଛନ୍ତି। ଣ୍ତୁଳାପୁର ଗାଁର ଗୋଲେଖ ଚନ୍ଦ୍ର ରାଉତ ଓ ସଶ୍ମିତା ରାଉତଙ୍କ ପୁଅ ଗୋବବନ୍ଧୁ ୨୦୨୦ ଅଗଷ୍ଟରୁ ୟୁକ୍ରେନରେ ଭିନ୍ନିତ୍ସିଆ ସହରରେ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପାଠ ପଢୁଥିଲେ। ଆସନ୍ତା ଜୁନ ମାସରେ ୨ୟ ବର୍ଷ ପରୀକ୍ଷା ଦେଇଥାନ୍ତେ। ମାତ୍ର ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସେମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୟୁକ୍ରେନରୁ ଘରକୁ ଫେରିଥିବା ଗୋପବନ୍ଧୁ ବିତାଇଥିବା ୯ଦିନର ଲୋମ ଟାଙ୍କୁରା କାହାଣୀ କହିଛନ୍ତି। ଯୁଦ୍ଧ ପାଇଁ ହଷ୍ଟେଲରେ ମିସାଇଲ ମାଡ ପୂର୍ବରୁ ସାଇରନ ବାଜୁଥିଲା। ୨୩ ଓ ୨୪ ଦୁଇଦିନ ଧରି ବଙ୍କର ଭିତରେ ଥିଲେ।

Advertisment

୨୪ ତାରିଖ ଦିନ ହଷ୍ଟେଲର ମାତ୍ର ୨ଶହ ମିଟର ଦୂରରେ ମିଶାଇଲ ମାଡ ହୋଇଥିବା ସେ ନିଜ ଆଖିରେ ଦେଖିଥିଲେ ଓ ଫଟୋ ମଧ୍ୟ ଉଠାଇଥିଲେ। ସେହିଦିନ ୧ କିଲୋମିଟର ମଧ୍ୟରେ ୩ଟି ମିଜାଇଲ ମାଡ ହୋଇଥିଲା। ୨୫ ତାରିଖ ଦିନ ୟୁନିଭରସିଟି ବସରେ ସୀମା ପାଖକୁ ଆସିଥିଲେ। ୧୦ କିମି ଧରି ରାସ୍ତା ଜାମ ହୋଇଥିବାରୁ ୧୦ କିମି ଚାଲି ଚାଲି ସୀମାରେ ପହଁଚିଥିଲେ। ସେଠାରେ ୩ଦିନ ଧରି ରହିଥିଲେ। –୭ରୁ -୧୧ ଡିଗ୍ରୀ ତାପମାତ୍ରାରେ ପାଖରେ ଥିବା ପାଉଁରୁଟି ବିସ୍କୁଟ ଖାଇ ୩ଦିନ ବିତାଇଥିଲେ। ୨୮ ତାରିଖ ଦିନ ସକାଳେ ସୀମା ଅତିକ୍ରମ କରିଥିଲେ। ପରେ ସେମାନଙ୍କ ଭାରତୀୟ ଦୂତାବାସ ପକ୍ଷରୁ ବସ୍‌ ଯୋଗେ ରୋମାନିଆ ସେଲଟର କ୍ୟାମ୍ପକୁ ନିଆଯାଇଥିଲା। ସେଠାରେ ୨ଦିନ ରହିଥିଲେ। ସେଠାରେ ମଧ୍ୟ କେବଳ ଖାଇବାକୁ କେବଳ ପାଉଁରୁଟି, ବିସ୍କୁଟ ଦିଆଯାଇଥିଲା। ୨ ତାରିଖ ରାତି ୧.୩୦ରେ ଦିଲ୍ଲୀ ଆସିବା ପାଇଁ ବିମାନରେ ବସିଥିଲୁ। ବସ୍‌ ଯୋଗେ ବୁଚାରେଷ୍ଟ ବିମାନବନ୍ଦରରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲୁ। ୩ ତାରିଖ ଦିନ ୧୧ଟାରେ ଦିଲ୍ଲୀରେ ପହଁଚି ଓଡିଶା ଭବନରେ ରହିଥିଲୁ। ସେଠାରୁ ରାତି ୧୦ଟାରେ ବିମାନ ଯୋଗେ ଭୁବନେଶ୍ବର ଆସିଥିଲୁ ବୋଲି ଗୋପବନ୍ଧୁ କହିଛନ୍ତି।