ଜୟପୁର: ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ମାସରୁ ଅଧିକ ଦିନ ହେଲାଣି ଅଲଟ୍ରାସାଉଣ୍ଡ ମେସିନ୍ ଅଚଳ ହୋଇପଡିଛି। ମେସିନ୍ ମରାମତି ହୋଇପାରୁ ନଥିବା ବେଳେ ନୂତନ ମେସିନ୍ ମଧ୍ୟ ଆସିପାରୁ ନାହିଁ, ଏଭଳି ସ୍ଥିତିରେ ଲୋକଙ୍କୁ କୋରାପୁଟ ମେଡିକାଲକୁ ରେଫେର୍ କରାଯାଉଛି। ନଚେତ କିଛି ବ୍ୟକ୍ତି ଘରୋଇ କ୍ଲିନିକ୍ରେ ବହୁ ଅର୍ଥ ବ୍ୟୟରେ ଅଲଟ୍ରାସାଉଣ୍ଡ କରାଇବାକୁ ବାଧ୍ୟ ହେଉଛନ୍ତି। କରୋନା ମହାମାରୀ ଭଳି ସମୟରେ ଲୋକେ ଏଭଳି ଅସୁବିଧା ଭୋଗୁଥିବା ବେଳେ ନୂତନ ମେସିନ୍ ଆଣିବା ପାଇଁ ଜନସାଧାରଣ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଅଲଟ୍ରାସାଉଣ୍ଡ ମେସିନ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବା ପରେ ସେଠାକୁ ନିଆଯାଇଥିଲା। ସେହି ଗୋଟିଏ ମେସିନ୍ ଦ୍ବାରା ହିଁ ଲୋକଙ୍କୁ ସେବା ଯୋଗଇ ଦିଆଯାଉଥିଲା। ଏଥିସହ କୋରାପୁଟ ମେଡିକାଲରୁ ୪ଟି ପୁରୁଣା ଅଲଟ୍ରାସାଉଣ୍ଡ ମେସିନ୍ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲା, କିନ୍ତୁ ସେହି ମେସିନ୍ ଗୁଡିକ ପୁରୁଣା ହୋଇଥିବା ବେଳେ ତାହା ଅଚଳ ହୋଇ ବହୁ ଦିନରୁ ପଡି ରହିଛି, ତାହାର ମରାମତି ମଧ୍ୟ ହୋଇପାରୁ ନାହିଁ। ଯେଉଁ ଗୋଟିଏ ମେସିନ୍ କାର୍ଯ୍ୟକ୍ଷମ ହେଉଥିଲା ସେଥିରେ ସ୍ତ୍ରୀ ରୋଗ ଓ ଗର୍ଭବତୀ ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଯାଉଥିଲା। ଏଠାରେ ଅଧିକାଂଶ ଗର୍ଭବତୀ ମହିଳା ଉପକୃତ ହୋଇପାରୁଥିଲେ। ପ୍ରତ୍ୟେକ ଦିନ ପାଖାପାଖି ୧୫ ଜଣ ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଯାଉଥିଲା। ମହିଳାମାନେ ହେଲ୍ପଡେକ୍ସରୁ ଟିକେଟ୍ ନେଉଥିଲେ ସେମାନଙ୍କୁ ଯେଉଁ ଦିନ ସମୟ ଦିଆଯାଉଥିଲା ସେହି ଦିନ ସକାଳ ୧୦ଟାରୁ ୨ଟା ମଧ୍ୟରେ ଅଲଟ୍ରାସାଉଣ୍ଡ କରାଯାଉଥିଲା। ଏଥିପାଇଁ ଜଣେ ତାଲିମପ୍ରାପ୍ତ ଡାକ୍ତର, ଷ୍ଟାଫନର୍ସ ଓ ଆଟେଣ୍ଡାଣ୍ଟ୍ ଦାୟିତ୍ବରେ ରହିଥିଲେ। ସେହି ଗୋଟିଏ ମେସିନ୍ ଅଚଳ ହୋଇଯିବାରୁ ଏକ ମାସରୁ ଅଧିକ ଦିନ ହେଲାଣି ଅଲଟ୍ରାସାଉଣ୍ଡ କୋଠରୀରେ ତାଲା ଝୁଲୁଛି। ଯାହା ଫଳରେ ବହୁ ରୋଗୀ ସେଠାକୁ ଯାଇ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳୁଛି। ଅଲଟ୍ରାସାଉଣ୍ଡ ପାଇଁ ଆସୁଥିବା ରୋଗୀ ସହରରେ ଥିବା କ୍ଲିନିକ୍ କିମ୍ବା କୋରାପୁଟ ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଡିଏମ୍ଓ ଡା. ଆର୍ ଏନ୍ ମିଶ୍ରଙ୍କ କହିବାନୁଯାୟୀ, ଅଲଟ୍ରାସାଉଣ୍ଡ ମେସିନ୍ ଖରାପ ବିଷୟରେ ସେବା ଯୋଗାଣକାରୀ ସଂସ୍ଥାକୁ ଜଣାଯାଇଛି। ଏହାର ମରାମତି ଖୁବ୍ ଶୀଘ୍ର ହେବ ବୋଲି କହିଛନ୍ତି। ଏହି ଘଟଣା ବିଷୟରେ ଆଲୋଚନା କରି ଭୁବନେଶ୍ବର ସ୍ଥିତ ଓଏସ୍ଏମ୍ସିଏଲ୍ କାର୍ଯ୍ୟାଳୟକୁ ମଧ୍ୟ ଏନେଇ ଚିଠି କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି।