ଯୋଗଦେଲେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନୂତନ କୁଳପତି: ଭଲ ବିଶ୍ବବିଦ୍ୟାଳୟ କରି ନାଁ ରଖିବା: ପ୍ରଫେସର ଉମାବଲ୍ଲଭ ମହାପାତ୍ର

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନୂଆ କରି ହୋଇଛି। ଏହି ବିଶ୍ବବିଦ୍ୟାଳୟକୁ ଭଲ କରି ଗଢ଼ି ତୋଳିହେବ। ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ସହାୟତା ଦରକାର। ଭଲ ବିଶ୍ବବିଦ୍ୟାଳୟ କରିବାକୁ ମୁଁ ପ୍ରୟାସ କରିବି। ଭଲ କେବଳ କହିଲେ ହେବ ନାହିଁ, ବିଶ୍ବବିଦ୍ୟାଳୟ କେମିତି ନିଜର ନାଁ ରଖିବ ସେହି ଉଦ୍ୟମ କରିବି ବୋଲି କହିଛନ୍ତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର। ଡ. ମହାପାତ୍ର ମଙ୍ଗଳବାର ଭାରପ୍ରାପ୍ତ କୁଳପତି ତଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ସେ ଯୋଗଦେବା ପରେ ବିଶ୍ବବିଦ୍ୟାଳୟର ସମସ୍ତଙ୍କ ସହ ପରିଚିତ ହୋଇ କ୍ୟାମ୍ପସକୁ ବୁଲି ଦେଖିଥିଲେ।

ପ୍ରଫେସର ମହାପାତ୍ର ତାଙ୍କର ଚାକିରି ଜୀବନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଆରମ୍ଭ କରି ପରେ ସେହି ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଭାବରେ ପଦୋନ୍ନତି ପାଇଥିଲେ। ଦୀର୍ଘ ୧୭ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ରହିବା ପରେ ସେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ଯୋଗଦେଇଥିଲେ। ସେଠାରେ ଦୀର୍ଘ ୧୬ ବର୍ଷ ରହି ଗତ ୩୦/୯/୨୦୨୦ ପିଜି କାଉନସିଲ ଚେୟାରମ୍ୟାନ ପଦବିରୁ ଅବସର ଗ୍ରହଣ କରିଥିଲେ।

ଚାକିରିରେ ଥିବା ସମୟରେ ପ୍ରଫେସର ମହାପାତ୍ର ସରକାରୀ ଡେପୁଟେସନରେ ଆସି ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପଦବି ଯଥା-ବିଜ୍ଞାନ ଓ ବୈଷୟିକ ବିଭାଗର ନିର୍ଦ୍ଦେଶକ ତଥା ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନର ନିର୍ଦ୍ଦେଶକ ପଦବିରେ ଅବସ୍ଥାପିତ ହୋଇଥିଲେ। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରଶାସନିକ ପଦବି ଯଥା- ପିଜି କାଉନସିଲ ଅଧ୍ୟକ୍ଷ, କଲେଜ ଡେଭଲପମେଣ୍ଟ କାଉନସିଲର ଡାଇରେକ୍ଟର ପ୍ରମୁଖ ପଦବିରେ ଅବସ୍ଥାପିତ ହୋଇଥିଲେ। ଏଭଳି ଜଣେ ବ୍ୟକ୍ତିତ୍ୱ ପ୍ରଥମ ସ୍ଥାୟୀ କୁଳପତି ଭାବରେ ଯୋଗଦେବା ପରେ ସବୁ ମହଳରେ ସ୍ୱାଗତ କରାଯାଇଛି।

ଯୋଗଦାନ ସମୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଭାରପ୍ରାପ୍ତ କୁଳପତି ତଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଦୁର୍ଗାପ୍ରସନ୍ନ ମହାପାତ୍ର, ଉପକୁଳସଚିବ ଡ. ବିଶ୍ୱଜିତ ବେହେରା, ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ ମିଶ୍ର, ବିତ୍ତୀୟ ନିୟନ୍ତ୍ରକ ଡ. ଗୌତମ ପ୍ରଧାନ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦିପ୍ତୀମଂଜରୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର