ଉମରକୋଟ: ଆଜି ହେଉଛି ଚିତା ଲାଗି ଅମାବାସ୍ୟା। ଏହି ଦିନରେ ରତ୍ନରେ ନିର୍ମିତ ଚିତା ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରାଙ୍କ ମସ୍ତକରେ ପିନ୍ଧା ଯାଇଥାଏ। ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲି ଆସିଛି। ଏହାକୁ ଦୃଷ୍ଟିରେ ରଖି ଉମରକୋଟ ସହରର ଗୁଲିପାଟଣା ସାହିର ବାସିନ୍ଦା କୃଷ୍ଣ ଚନ୍ଦ୍ର ଦାସ ଉମରକୋଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଚାରି ଭରି ଓଜନର ସୁନାରେ ନିର୍ମିତ ଚିତା ଦାନ କରିଛନ୍ତି। ଯାହାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଆଜି ସକାଳର ଆଳତୀ ସମୟରେ କୃଷ୍ଣ ଚନ୍ଦ୍ର ଦାସ, ରାଜପୁରୋହିତ ଗୌରହରି ମିଶ୍ର, ପୂଜକ ଲାଲୁ ମିଶ୍ର ଓ ସଂପାଦକ ରାମ ନାୟକଙ୍କ ଉପସ୍ଥିତିରେ ଏହି ସୁନାର ଚିତା ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହିକି ଯେ କୃଷ୍ଣ ଚନ୍ଦ୍ର ଦାସ ଦୀର୍ଘ ବର୍ଷ ଧରି ଉମରକୋଟ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସମୟରେ ସଂପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି। ଏହି ସୁନା ଅଳଙ୍କାର ଉମରକୋଟ ରାଜସ୍ବ ନୀରିକ୍ଷକଙ୍କ ନିକଟରେ ଥିବା ଅଳଙ୍କାର ରେଜିଷ୍ଟରରେ ଉଲେଖ କରାଯିବା ସହ ମନ୍ଦିର ପରିଚାଳନା କମିଟିର ରେଜୁଲେସନରେ ସ୍ଥାନ ପାଇବ ବୋଲି ପରିଚାଳନା କମିଟିର ସମ୍ପାଦକ ରାମ ନାୟକ ସୂଚନା ଦେଇଛନ୍ତି।