ଉମୁରୀ ରେଳପଥ ଦୋହରୀକରଣ ସେତୁ ନିର୍ମାଣ ପାଇଁ ଡାଇଭରସନ୍: ଜୟପୁର-ବୋରିଗୁମ୍ମା ଏନ୍ଏଚ୍ ରେ ଭାରୀ ଯାନ ଚଳାଚଳ ବନ୍ଦ, ହାଲୁକା ଯାନ ବାଇପାସ ରାସ୍ତାରେ ଆସିବ

ଜୟପୁର: ଉମୁରୀ ନିକଟରେ ଜଗଦଲପୁର-କୋରାପୁଟ ରେଳପଥର ଦୋହରୀକରଣ କାମ ଚାଲିଛି । ଉମୁରୀ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ବି ଏକ ସେତୁ ରହିବ। ଉପରେ ଭାରୀଯାନ, ବସ, ଟ୍ରକ , କାର ଆଦି ଚଳାଚଳ କରିବ ଏବଂ ତଳେ ଟ୍ରେନ ଯିବ। ଏଥି ପାଇଁ ଗତ କିଛି ମାସ ହେବ ସ୍ବତନ୍ତ୍ର ଉପାୟରେ ଏୟାର କଂପ୍ରେସର ମାଧ୍ୟମରେ ଏକ ସେତୁର ନିର୍ମାଣ କାମ ଜାତୀୟ ରାଜପଥରେ ଥିବା ଉମୁରୀ ରେଳସେତୁ ନିକଟରେ ହିଁ ନିର୍ମାଣ ଚାଲିଥିଲା । ଏହି ସେତୁକୁ ଏବେ ଜାତୀୟ ରାଜପଥ ସହ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ସେତୁକୁ ଜାତୀୟ ରାଜପଥ ମଧ୍ୟରେ ଯୋଡାଯିବ। ତେଣୁ ଆଜିଠାରୁ ଜୟପୁର ବୋରିଗୁମ୍ମା ଜାତୀୟ ରାଜପଥ ୨୬ଦେଇ ବୋରିଗୁମ୍ମା ପଟରୁ ଜୟପୁର ଆସୁଥିବା ସମସ୍ତ ଭାରୀଯାନ, ଟ୍ରକ, ବସ ଆଦି ଚଳାଚଳକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ମହମଦ୍ଦ ଅବବ୍ଦାଲ ଆଖତର ଏକ ନିର୍ଦ୍ଦେଶନାମା ଜାରୀ କରିଥିବା କହିଛନ୍ତି ଏସଡିପିଓ ଅରୁପ ଅଭିଶେଖ ବେହେରା ଓ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର।

ଏହି ସେତୁର ସ୍ଥାନାନ୍ତର ଏବଂ କାମ ସରିବା ପର୍ଯ୍ୟନ୍ତ ଭାରୀଯାନଗୁଡିକ ବୋରିଗୁମ୍ମାର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ରାଣୀଗଡ ଦେଇ କୋରାପୁଟ ଦେଇ ଚଳାଚଳ କରିବେ। ବୋରିଗୁମ୍ମାରୁ ଜୟପୁର ଆସୁଥିବା ସମସ୍ତ ବସ କୋରାପୁଟ ଯାଇ ସେଠାରୁ ଜୟପୁର ଆସିବ। ପୁଣି ଜୟପୁରରୁ ନବରଙ୍ଗପୁର କିମ୍ବା ଅନ୍ୟ ସ୍ଥାନକୁ ଯିବାକୁ ଥିଲେ ବି ସମାନ ପ୍ରକ୍ରିୟାରେ କୋରାପୁଟ ଯାଇ ସେଠାରୁ ଯିବ। ତେବେ ୪ଚକିଆ ଛୋଟ କାର, ବୋଲେରୋ, ବାଇକ୍ ଆଦି ପାଇଁ ଅଲଗା ରାସ୍ତା ପ୍ରଶାସନ ପକ୍ଷରୁ କରାଯାଇଛି। ଉମୁରୀ ଗାଁ ମଧ୍ୟ ଦେଇ ମକାପୁଟ ଦେଇ ଜୟପୁର ଆସିପାରିବ।

ଜୟପୁରରୁ ଯିବା ଛୋଟ ଗାଡ଼ିଗୁଡ଼ିକ ଏନଏଚ୍ କାର୍ଯ୍ୟାଳୟ ସମ୍ମୁଖରୁ ମକାପୁଟ ଦେଇ ଉମୁରୀରେ ବାହାରି ଯିବା ଆସିବା କରିପାରିବେ ବୋଲି ସୂଚନା ଦିଆଯାଇଛି। ଡାଇଭରସନ୍ ରାସ୍ତା ଗୁଡ଼ିକରେ ଲୋକଙ୍କୁ ରାସ୍ତା ଜଣାଇବା ପାଇଁ ପୁଲିସ କର୍ମଚାରୀମାନେ ରାତି ଦିନ ଡ୍ୟୁଟି କରିବେ ବୋଲି କହିଛନ୍ତି ଏସଡିପିଓ ଓ ସଦରଥାନା ଅଧିକାରୀ। ଆଜି ସକାଳରୁ ୨ଟି ପ୍ରୋକଲିନ୍ ଲଗାଯାଇ ରାସ୍ତା ଖୋଳିବା କାମ ଆରମ୍ଭ ହୋଇଛି। ପୂର୍ବରୁ ଥିବା ସେତୁ ପାର୍ଶ୍ବରେ ଏହି ସେତୁ ନିର୍ମାଣ କରାଯାଉଛି। ଆଜି ନିର୍ମାଣ ହେଉଥିବା ସ୍ଥାନକୁ ଉପଜିଲ୍ଲାପାଳ ହେମକାନ୍ତ ସୟ, ଏସଡିପିଓ ଅରୁପ ଅଭିଶେଖ ବେହେରା ପ୍ରମୁଖ ତଦାରଖ କରିଥିଲେ। ତେବେ ଏହାକୁ କିଭଳି ରାସ୍ତା ମଧ୍ୟକୁ ଅଣାଯାଉଛି ତାହା ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର