ସଂପର୍କୀୟଙ୍କ ଘରକୁ ଏକାଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ ଦାଦା-ପୁତୁରା, ଫେରିବା ବାଟରେ ବସ ଧକ୍କାରେ ଜୀବନ ଗଲା

ଢେଙ୍କାନାଳ: ଜଣେ ସଂପର୍କୀୟଙ୍କ ଘରକୁ ଏକାଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିବା ବେଳେ ଫେରିବା ବାଟରେ ଦାଦା-ପୁତୁରାଙ୍କର ବସ୍‌ ଧକ୍କାରେ ଜୀବନ ଯାଇଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକ ନିକଟରେ ଥିବା ରାଇସମିଲ୍‌ ପାଖରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ପ୍ରତାପ ଷଡ଼ଙ୍ଗୀ ଓ ତାଙ୍କର ପୁତୁରା ପ୍ରୀତମ ଷଡ଼ଙ୍ଗୀ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ସାଲେପୁର ଅନ୍ତର୍ଗତ ରାମେଶ୍ୱରପୁର ନିବାସୀ ପ୍ରତାପ ଷଡ଼ଙ୍ଗୀ ଓ ତାଙ୍କ ପୁତୁରା ପ୍ରୀତମ ଆଜି ଏକ ମୋଟର ସାଇକେଲରେ ସଂପର୍କୀୟଙ୍କ ଘରକୁ ଏକାଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ସେମାନେ ଅପରାହ୍ନ ପ୍ରାୟ ୨ଟାରେ ଢେଙ୍କାନାଳରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମିନି ବସ ‘ଶୁଭାୟନ୍‌’ ଶକ୍ତ ଧକ୍କା ଦେଇଥିଲା। ଫଳରେ ସେମାନେ ମୋଟର ସାଇକେଲରୁ ତଳେ ପଡ଼ି ଯାଇଥିଲେ।

ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ପ୍ରତାପ ଓ ପ୍ରୀତମଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟ ପ୍ରତାପ ଓ ପ୍ରୀତମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଥିବା ବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଜାଣିବାକୁ ମିଳିଛି ଯେ, ଉଭୟ ଦାଦା ଓ ପୁତୁରା ଭୁବନେଶ୍ୱରରେ ରହି କୌଣସି ଏକ ଘରୋଇ କମ୍ପାନିରେ କାମ କରୁଥିଲେ।

ସମ୍ବନ୍ଧିତ ଖବର