ଦାଦନ ଭଣଜାର ମୃତ୍ୟୁ ଖବର ଶୁଣି ହୃଦ୍‌ଘାତରେ ଦାଦନ ମାମୁ ମୃତ

ପାତ୍ରପୁର: ଦାଦନ ଭଣଜାର ମୃତ୍ୟୁ ଖବର ଶୁଣି ଦାଦନ ମାମୁର ମୃତ୍ୟୁ। ପାତ୍ରପୁର ବ୍ଲକ୍ ଇଲାକାରୁ ଏଭଳି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମିଳିଥିବା ସୂଚନାନୁସାରେ, କନିରିଡ଼ା ଗ୍ରାମର ଶିବ ନାୟକ (୧୯) ଓ ତାଙ୍କ ମାମୁ ତଥା ଷୋଳାଭାଗପେଣ୍ଠ ଗ୍ରାମର ପର୍ଶୁରାମ ନାୟକ (୫୧) ଆନ୍ଧ୍ରପ୍ରଦେଶର ରାଜମ‌ହେନ୍ଦ୍ରୀ ସହରରେ ଥିବା ବିବେକାନନ୍ଦ କନଷ୍ଟ୍ରକ୍ସନ୍ କମ୍ପାନିରେ କାମ କରୁଥିଲେ। ଗତ ଗୁରୁବାର ଦିନ ଶିବ ହଠାତ୍ ଏକ ଗାତ ଭିତରେ ଖସିଯାଇ ବାଲି‌‌ରେ ପୋତି ହୋଇଯାଇଥିଲେ। ଘଟଣାସ୍ଥଳରେ ଶିବଙ୍କ ମୃତ୍ୟୁ ହୋଇଥିଲା। ଏହା ଜାଣିବା ପରେ ମାମୁ ପର୍ଶୁରାମଙ୍କୁ ହଠାତ୍ ହୃଦ୍‌ଘାତ ହେବାରୁ ତାଙ୍କୁ ନିକଟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ଗତକାଲି ବ୍ୟବଚ୍ଛେଦ ପରେ ଆଜି ଅପରାହ୍‌ଣରେ କନିରିଡ଼ା ଓ ଷୋଳାଭାଗପେଣ୍ଠ ଗ୍ରାମରେ ଉଭୟଙ୍କ ଶବ ପହଞ୍ଚିଥିଲା। ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ବେଳେ ତହସିଲ କର୍ମଚାରୀ ପହ‌ଞ୍ଚିଥିଲେ। ସରକାରୀ ସହାୟତା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର