ଭଞ୍ଜନଗର: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ବିଞ୍ଜଗିରି ଗ୍ରାମରେ ନିଜ ଭଣଜାକୁ ଆକ୍ରମଣ କରି ପିଟିପିଟ ମାରିଦେଇଛି ମାମୁଁ। ଏଭଳି ସଙ୍ଗିନ୍ ଅଭିଯୋଗ ଆଣିଛନ୍ତ ମୃତକଙ୍କ ବଡ ଭାଇ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଣଜାକୁ ନିଜ ଗାଁକୁ ଡକାଇ ମାମୁଁ ଗୋପାଳ ଗୌଡ କିଛି ସାଙ୍ଗସାଥୀ ସହ ମିଶି ଠେଙ୍ଗାରେ ପିଟି ପିଟି ମାରିଦେଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି।
ଏହି ଥାନା ଅଧିନ ଆମ୍ବବାଲି ଗ୍ରାମର କୃତ୍ତିବାସ ଗୌଡ(୨୬)କୁ ତାଙ୍କ ମାମୁଁ ବିଞ୍ଜଗିରି ଗ୍ରାମକୁ ଡାକି ପିଟିପିଟ ମାରିଦେଇଥିବା ତାଙ୍କ ବଡ ଭାଇ ପିତବାସ ଗୌଡ ଅଭିଯୋଗ କରିଛନ୍ତି। କୃତ୍ତିବାସ ଭଞ୍ଜନଗର ଠାରେ ରହି ଏକ ଘରୋଇ ବସ୍ର ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ରାତିରେ ନିଜ ଘରକୁ ଯାଇଥିଲେ। ସେଠାରେ ଖାଇବା ପରେ ତାଙ୍କ ମାମୁଁ ଫୋନ କରି ଗାଳି ଗୁଲଜ କରିଥିଲେ। ଏହାପରେ କୃତ୍ତିବାସ ବାଇକ୍ ଧରି ମାମୁଁଙ୍କ ଗାଁ ବିଞ୍ଜଗିରି ଗ୍ରାମକୁ ଯାଇଥିଲେ। କୃତ୍ତିବାସ ଆଉ ଘରକୁ ଫେରିନଥିଲେ।
ସକାଳୁ ସେହି ଗ୍ରାମର ଅନ୍ୟ ଜଣେ ଲୋକ ଠାରୁ କୃତ୍ତିବାସ ନଳକୂପ ପାଖରେ ପଡିଥିବା ଫୋନ ଯୋଗେ ବଡ ଭାଇ ପିତବାସ ଖବର ପାଇଥିବା ପ୍ରକାଶ କରିଛନ୍ତି। ଏହାପରେ ବିଞ୍ଜଗିରି ଗ୍ରାମକୁ ଯାଇଥିଲେ। ସେଠାରେ କୃତିବାସ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଦେଖି ତାକୁ ସେଠାରୁ ବାଇକ୍ ଯୋଗେ ଗ୍ରାମକୁ ଆଣିଥିଲେ। କୃତ୍ତିବାସ ସେତେବେଳେ ଜୀବିତ ଥିବା ସହ ତାଙ୍କ ମାମୁଁଙ୍କ ସମେତ ୬-୭ ଜଣ ଲୋକ ଠେଙ୍ଗାରେ ପ୍ରବଳ ପିଟିଥିବା ପିତବାସକୁ କହିଥିବା ପିତବାସ ପ୍ରକାଶ କରିଛନ୍ତି। ସେଠାରୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଆଣିଥଲେ।
ତେବେ ଡାକ୍ତରଖାନାରେ ଡାକ୍ତର କୃତ୍ତିବାସକୁ ମୃତ ଘୋଷଣା କରିଥଲେ। ପୂର୍ବରୁ କୃତ୍ତିବାସଙ୍କ ସହ ମାମୁଁଙ୍କ ଶତ୍ରୁତା ରହିଥିବା ବେଳେ ଆଜି ତାଙ୍କ ମାମୁଁ ଗୋପାଳ ହତ୍ୟା କରିଥିବା ପିତବାସ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୁଚନା ଦେଇଛନ୍ତି। ଏଥିସହ ଅଭିଯୁକ୍ତ ମାମୁଁ ଗୋପାଳକୁ ପୁଲିସ୍ ଥାନାରେ ଅଟକ ରଖି ପଚାରାଉଚୁରା କରୁଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି।