କେବେ ଥମିବ ଲଜ୍ଜା, ଜିଲ୍ଲାରେ ବୃଦ୍ଧି ପାଉଛି ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର

ଅଶିକ୍ଷା, ସଚେତନତାର ଅଭାବ ଏବଂ ଟିନ୍‌ ଏଜ୍‌ ଲଭ୍‌ ସାଜୁଛି ପ୍ରମୁଖ କାରଣ

ବାରିପଦା: ମୟୂରଭଞ୍ଜରେ ବୃଦ୍ଧି ପାଉଛି ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର। ଅଶିକ୍ଷା, ସଚେତନାର ଅଭାବ ଏବଂ ଟିନ୍‌ ଏଜ୍‌  ଲଭ୍‌ ସାଜୁଛି ଏହାର ପ୍ରମୁଖ କାରଣ। ତେବେ କିଛି କ୍ଷେତ୍ରରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଳମ୍ବତା ଏବଂ ପୁଲିସର ସମ୍ବେଦନଶୀଳତାର ଅଭାବ ଘଟଣାକୁ ଜଟିଳ କରିଦେଉଛି। ନିକଟରେ ଚାନ୍ଦୁଆ ଥାନା ଅନ୍ତର୍ଗତ ଝାଲିଆମାରା ଗ୍ରାମର ଜନୈକା ନାବାଳିକାଙ୍କୁ ଦୀର୍ଘ ପାଞ୍ଚ ଦିନ ଧରି ଦୁଷ୍କର୍ମ ହେବା ଏବଂ ପରେ କଟକ ବଡ଼ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ ଘଟିବା ବ୍ୟବସ୍ଥା ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ମାସ ୨୫ତାରିଖ ରାତିରେ ପୀଡ଼ିତାଙ୍କ ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ନପାଇବାରୁ କୁଆଡେ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ଲିଖିତ ଆକାରରେ ଦେବାକୁ କହିଥିବା ସ୍ଥାନୀୟ ପୁଲିସ ଅଧିକାରିଣୀ ପ୍ରକାଶ କରିଛନ୍ତି। ମାତ୍ର ଥାନାକୁ ଯାଉଥିବା ପୀଡ଼ିତାଙ୍କ ପରିବାର ଲୋକ କିନ୍ତୁ ପୁଲିସ ବିଳମ୍ବରେ ‌କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରିଛନ୍ତି। ତେବେ ଇତିମଧ୍ୟରେ ଦୀର୍ଘ ପାଞ୍ଚ ଦିନ ବିତିଯିବା ପରେ ଗତ ୩୦ ତାରିଖରେ ନାବାଳିକାଙ୍କୁ ବାଘୁଆଷୋଳ ପାଣି ଟାଙ୍କି କୋଠରୀ ଭିତରେ ନିର୍ବସ୍ତ୍ର ଓ ମୂମୁର୍ସୁ ଅବସ୍ଥାରେ ସ୍ଥାନୀୟ ଲୋକ ପାଇଥିଲେ।

ଏନେଇ ଚାନ୍ଦୁଆ ପୁଲିସକୁ ସୂଚନା ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସହାୟ ଅବସ୍ଥାରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଦୁଷ୍କର୍ମ ହୋଇଥିବା ଜଣାଇଥିଲେ। ନାବାଳିକାଙ୍କ ଅଭିଯୋଗ ଅନୁସାରେ ରଙ୍ଗାମାଟିଆ ଅଞ୍ଚଳର ମୁନୁ ଚପିଆରଙ୍କ ପୁଅ ବାହାଦୂର ଚାପିଆର(୨୦) ହିଁ ପୀଡ଼ିତାଙ୍କୁ ପାଞ୍ଚ ଦିନ ଧରି କୋଠରୀରେ ତାଲା ପକାଇ ବଳପୂର୍ବକ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା। ପୁଲିସ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲଣ କରିଛି। ମାତ୍ର ଚଳିତ ମାସ ୩ ତାରିଖରେ ପୀଡ଼ିତା ନାବାଳିକା କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଯାହାକି ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ପ୍ରଥମେ ଥାନାରେ ‌ଏନେଇ ଦଫା ୩୬୩, ୩୪୨, ୩୭୬(୨), ୩୭୬(୩), ପୋସ୍କୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିଲା। ମାତ୍ର ନାବାଳିକାଙ୍କ ମୃତ୍ୟୁ ପରେ ଏହି ମାମଲାରେ ୩୦୨ ଦଫା ମଧ୍ୟ ଯୋଡ଼ାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ନାବାଳିକାଙ୍କୁ ଏତେ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିବା ସହିତ ପାଶବିକ ଅତ୍ୟାଚର କରିଥିବା ଅଭିଯୁକ୍ତ ସହିତ ଆହୁରି ଏକାଧିକ ଦୁଷ୍କର୍ମକାରୀଙ୍କ ସଂପୃକ୍ତି ରହିଛି। କଟକରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ।

ମାତ୍ର ମିଳିଥିବା ବିଶ୍ବସ୍ତ ସୂଚନା ଅନୁସାରେ ଏହି ଦୁଷ୍କର୍ମ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି। ତେଣୁ ବର୍ତ୍ତମାନ ଜେଲ୍‌ରେ ଥିବା ଅଭିଯୁକ୍ତ ଠାରୁ ତଥ୍ୟ ଆଦାୟ କରିବା ନିମନ୍ତେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଦାବି ହୋଇଛି। ଏନେଇ ଏସ୍‌ପି ସ୍ମିତ୍‌ ପି ପରମାର କହିଛନ୍ତି ଯେ ‌ଖୁବ୍‌ଶୀଘ୍ର ସେ ନିଜେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବେ। ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ତା’ ବିରୋଧରେ ୩୦୨ ମଧ୍ୟ ଲଗାଯାଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏକାଧିକ ‌ବ୍ୟକ୍ତିଙ୍କ ସାମିଲ ଜଣାପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡ୍‌ରେ ଅଣାଯିବ। ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଏପରି ଦୁର୍ଭାଗ୍ୟଜନକ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବିରୋଧରେ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ସହିତ କଠୋର କାର୍ୟ୍ୟାନୁଷ୍ଠାନ ନିମନ୍ତେ ପୁଲିସ ସମସ୍ତ ପଦକ୍ଷେପ ଗ୍ରହଣ କରିବ।

ଏହି ଘଟଣାରେ ସାମିଲ ସମସ୍ତଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଏସ୍‌ପି ଶ୍ରୀ ପରମାର ପ୍ରକାଶ କରିଛନ୍ତି। ତେବେ ନାବାଳିକାଙ୍କୁ ମୂମୁର୍ଷୁ ଅବସ୍ଥାରେ ମିଳିବା ପରେ ପୁଲିସ ଯେପରି ତ୍ବରାନ୍ବିତ ପଦକ୍ଷେପ ନେଲା ଅଭିଯୋଗ ସମୟରୁ ହିଁ ନେଇଥିଲେ ବୋଧହୁଏ ନାବାଳିକାଙ୍କର ଏପରି ଅବସ୍ଥା ହୋଇ ନଥାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଊଣା ଅଧିକେ ପ୍ରତି ଥାନାରେ ଏପରି ଘଟଣା ଦେଖିବାକୁ ମିଳୁଛି। ଏପରିକି ଦିନକୁ ଦିନ ଏହିଭଳି ଘଟଣା ବୃଦ୍ଧି ପାଇବାରେ ଲାଗୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଯାହାକି ବର୍ତ୍ତମାନର ସଭ୍ୟ ସମାଜରେ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଆଦ୍ୟଯୌବନରେ ପାଦ ଦେଉଥିବା କିଶୋରୀ ଏବଂ କିଶୋରମାନେ ମୋବାଇଲ୍‌ ରୂପକ ଯନ୍ତ୍ରର ବହୁଳ ଉପଯୋଗ ଫଳରେ ବଢ଼ୁଛି ପ୍ରେମ ସମ୍ପର୍କ। ମାତ୍ର ପରିପକ୍ବତାର ଅଭାବ କାରଣରୁ ପରବର୍ତ୍ତୀ ସମୟରେ ଏପରି ଅଭାବନୀୟ ଘଟଣାମାନ ଦେଖିବାକୁ ମିଳୁଛି।

ଚାନ୍ଦୁଆ ଥାନା ଅଧିନରେ ଘଟିଥିବା ଏହି ଘଟଣାରେ ନିଶ୍ଚୟ ଅଭିଯୁକ୍ତ ସହିତ ଏକାଧିକ ଦୁଷ୍କର୍ମକାରୀ ସାମିଲ ଅଛନ୍ତି। ନଚେତ ଜଣେ ଯୁବକ ଏକାକୀ ଏପରି କରିବା କଷ୍ଟକର ବ୍ୟାପାର। ତେବେ ଏପରି ଘଟଣାକୁ ରୋକିବାକୁ ହେଲେ ସଚେତନା ସୃଷ୍ଟି କରିବା ନିହାତି ଆବଶ୍ୟକ। ଉଭୟ ପୁଲିସ ଏବଂ ପ୍ରଶାସନ ଶିକ୍ଷା ବିଭାଗ ସହିତ ମିଶି ବିଦ୍ୟାଳୟ ସ୍ତରରୁ ଏନେଇ ବ୍ୟାପକ ସଚେତନତାର ବନ୍ଦୋବସ୍ତ କରିବା ଆବଶ୍ୟକ। ଚାନ୍ଦୁଆ ପୁଲିସ ଏହି ଘଟଣାରେ ଆଉ ଟିକେ ତତ୍ପରତା ଦେଖାଇଥିଲେ ହୁଏତ ଆଜି ଜଣେ ନାବାଳିକାଙ୍କର ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ମତପ୍ରକାଶ ପାଇଛି। ଏହି ଘଟଣାରେ ପରବର୍ତ୍ତୀ ସମୟରେ ଏସ୍‌ପି ଯେପରି ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଲେ ତାହା ଅନୁକରଣୀୟ। ମାତ୍ର ଏଭଳି ସମ୍ବେଦନଶୀଳ ଘଟଣାରେ ଆରମ୍ଭରୁ ହିଁ ପୁଲିସ ଦାୟିତ୍ବବାନ ହେବା ଉଚିତ୍‌ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର