ତୈଳ ଅନୁସନ୍ଧାନ ପାଇଁ ଭୂତଳ ବ୍ଲାଷ୍ଟିଂ; ଦୁଇଦିନ ଧରି ସିଢ଼ୋ, ଡିହସାହିରେ ଲାଗି ରହିଛି ଉତ୍ତେଜନା

ସାଲେପୁର/ରାଇସୁଙ୍ଗୁଡ଼ା: ସାଲେପୁର ଥାନା ଅନ୍ତର୍ଗତ ସିଢ଼ୋ ଓ ରାଇସୁଙ୍ଗୁଡ଼ା (ଢିଅସାହି) ଗ୍ରାମ ଗହିରରେ ପେଟ୍ରୋଲିୟମ ଅନୁସନ୍ଧାନ ପାଇଁ ଭୂତଳ ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା ଲାଗି ରହିଛି। ଗତକାଲି ରାତିରେ ଚାଷୀ ଓ ଗ୍ରାମବାସୀ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ଠିକା କର୍ମଚାରୀଙ୍କୁ ଅଟକ ରଖିଥିଲେ। ପୁଲିସ ହସ୍ତକ୍ଷେପ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ପୁଣି ଦୁଇଜଣ କର୍ମଚାରୀଙ୍କୁ ଗ୍ରାମବାସୀ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିବା ସୂଚନା ମିଳିଛି। ପ୍ରକାଶଥାଉ କି, ସାଲେପୁର ବ୍ଲକ୍‌ ଅନ୍ତର୍ଗତ ରାଇସୁଙ୍ଗୁଡ଼ା, ପିକୋଳ, ମୀର୍ଜାପୁର, ସିଢ଼ୋ, ଭୀମଦାସପୁର, ଛାଣିପୁର, କଟରପା, ଓଡ଼ାସିଂ ଆଦି ଅଞ୍ଚଳରେ ଏକ ଘରୋଇ ଠିକାସଂସ୍ଥା ପକ୍ଷରୁ ତୈଳ ଅନୁସନ୍ଧାନ ପାଇଁ ବିଭିନ୍ନ ସ୍ଥାନରେ ଗର୍ତ୍ତ କରି ବିସ୍ଫୋରଣ କରାଯାଉଛି। ଏହି ସମୟରେ ପ୍ରଚଣ୍ଡ ଶବ୍ଦରେ ଘର ଦୁଲୁକି ଯାଉଛି। ଜମି ମାଲିକମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ ମନମୁଖୀ ଭାବେ ବିସ୍ଫୋରଣ କରାଯାଉଥିବାରୁ ବିଲରେ ଚାଷ ହୋଇଥିବା ରବି ଫସଲ ନଷ୍ଟ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସୋମବାର ସିଢ଼ୋ ଓ ରାଇସୁଙ୍ଗୁଡ଼ା (ଢିଅସାହି) ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରାଇସୁଙ୍ଗୁଡ଼ା (ଢିଅସାହି) ଗ୍ରାମବାସୀ ଠିକାସଂସ୍ଥାର ୪୦ଜଣ କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ।

ଖବର ପାଇ ସାଲେପୁର ଥାନା ଆଇଆଇସି ବିଜୟ କୁମାର ବିଶି ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଅଟକ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ। ଏହି ଅବସରରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା ଲାଗି ସଞ୍ଜୟ କୁମାର ନାୟକ, ଜୟଦେବ ପ୍ରଧାନ, ପ୍ରମୋଦ ନାୟକ, ବିଜୟ କୁମାର ମହାନ୍ତି, ଗିରିଜା ପ୍ରସାଦ ଦଳାଇ, ଦିବ୍ୟଲୋଚନ ଖୁଣ୍ଟିଆ, ଦେବେନ୍ଦ୍ର ମହାନ୍ତି, ଅମରେଶ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ଭରତ ଚନ୍ଦ୍ର ବରାଳ ପ୍ରମୁଖ ଚାଷୀମାନେ ଦାବି କରିଥିଲେ। ଦାବି ପୂରଣ ନ ହେଲେ କାମ ବନ୍ଦ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସେହିପରି ସିଢ଼ୋ ଗ୍ରାମରେ ଭୂତଳ ବିସ୍ଫୋରଣ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ କାମ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଗତକାଲି ସ‌ିଢ଼ୋ ଗହିରରେ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ଠିକା କମ୍ପାନିର ଦୁଇଜଣ କର୍ମଚାରୀ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା।

ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା ବେଳେ ଆଜି ସକାଳେ ପୁନର୍ବାର ଚାଷଜମିରେ କର୍ମଚାରୀମାନେ କାମ ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ପହଞ୍ଚି କାମ ବନ୍ଦ କରିଥିଲେ। ପରେ ଅନୁସନ୍ଧାନକାରୀ ସଂସ୍ଥାର ଦୁଇଜଣ କର୍ମଚରୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ବିସ୍ଫୋରଣ ନ କରିବା ପାଇଁ ଗ୍ରାମବାସୀ କହିଥିଲେ। ତେବେ କର୍ମଚାରୀମାନେ କ୍ଷତିପୂରଣ ବାବଦରେ ୫୦୦ ଟଙ୍କା ଲେଖାଏଁ ଦେବେ ବୋଲି କହିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଉଭୟ କର୍ମଚାରୀଙ୍କୁ ସିଢ଼ୋ କ୍ଲବ୍‌ ପରିସରକୁ ନେଇଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଜପକୁଦ ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦକ୍ଷିଣକବାଟ ଏଥିରେ ହସ୍ତକ୍ଷେପ କରିବା ପରେ ଗ୍ରାମବାସୀ ଅଟକ କର୍ମଚାରୀଙ୍କୁ ଛାଡ଼ିଥିବା ପୁଲିସ ସୂଚନା ଦେଇଛି। ଆସନ୍ତାକାଲି କମ୍ପାନିର ଉଚ୍ଚକର୍ତ୍ତୃପକ୍ଷ ଗ୍ରାମରେ ପହଞ୍ଚି ଆଲୋଚନା କରିବେ ବୋଲି ସୂଚନା ‌ମିଳିଛି। ଅପରପକ୍ଷରେ ଗ୍ରାମବାସୀଙ୍କ ଦାବି ପ୍ରତି ଗୁରୁତ୍ବ ଦିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ‌ ବୋଲି ଗ୍ରାମର ଅଜିତ ବେହୁରାଙ୍କ ସମେତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର