୧୫ ହଜାର ଲୋକକଳା କଳାକାରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ

ସୁନ୍ଦରଗଡ଼: କରୋନା ଛଡାଇ ନେଇଛି ଜୀବନ ଜୀବିକା । ଲକଡାଉନ ଯୋଗୁଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି । ଫଳରେ କଳାକାରମାନେ ଦୀର୍ଘଦିନ ହେବ ଜୀବିକା ହରାଇ ବସିଥିଲେ । ଏହିଭଳି କ୍ଷେତ୍ରରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ କଳାକାରଙ୍କୁ ସହଯୋଗର ହାତ ବଢାଇ ଦେଇଛି ରୋଜଗାର । ଆଉ ମହାମାରୀ ମଧ୍ୟରେ ସୁନ୍ଦରଗଡ କଳାକାରଙ୍କ ମୁହଁରେ ଫୁଟୁଛି ହସ ।

କଳକାରଙ୍କ ଭୋକ ମେଣ୍ଟାଇବା ପାଇଁ ପ୍ରୟାସ । କରୋନା ଯୋଗୁଁ ସାର୍ବଜନୀନ ଉତ୍ସବ ଓ ପର୍ବପର୍ବାଣୀ ବନ୍ଦ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବାରୁ ସୁନ୍ଦରଗଡ ଜିଲ୍ଲାର ଲୋକ-କଳାକାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇବା ପାଇଁ କାମ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଜିଲ୍ଲାର ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃ୍ଷ୍ଟି କରିବା କାମରେ କଳାକାରଙ୍କୁ ନିୟୋଜିତ କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମବାଡସିର ଆର୍ଥିକ ସହାୟତାରେ ‘ସହଭାଗିତା’ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଜିଲ୍ଲାର ୭ଶହ ଲୋକ କଳା ଓ ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି । ୧୫ ହଜାର କଳାକାର ଜୀବିକା ପାଇଛନ୍ତି । ୧୭ଟି ବ୍ଲକର ୧୭ ଶହରୁ ଅଧିକ ଗାଁ, ଦୁର୍ଗମ ବସ୍ତି, ଟୋଲା ଓ ସାହିରେ ସଚେତନତା ସୃଷ୍ଟି କରୁଛନ୍ତି ଏହି କଳାକାରମାନେ । ତେବେ ଯୋଜନାର ସୁଫଳ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରି ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।

ରାଜ୍ୟ ସାରା ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ଲୋକଙ୍କୁ ମାଗଣାରେ ରାସନ୍ ସାମଗ୍ରୀ ଓ ଆର୍ଥିକ ସହାୟତା ଦେଇଛନ୍ତି ସରକାର । ହେଲେ ସୁନ୍ଦରଗଡରେ ଲୋକ-କଳାକାରଙ୍କ ଦୁଃଖ ବୁଝି ରୋଜଗାର ଯୋଗାଇ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ସମ୍ବନ୍ଧିତ ଖବର