ନୟାଗଡ଼: ପୁଣି ଖସିଗଲା ବିଚାରାଧୀନ ବନ୍ଦୀ ତପନ ରାଉତ, ଏକ ମାସ ମଧ୍ୟରେ ୩ୟ ଘଟଣା

ନୟାଗଡ଼: ଖଣ୍ଡପଡ଼ା ଜେଲରୁ ଭାପୁର କୋର୍ଟ ନିଆଯାଉଥିବା ବିଚାରାଧୀନ କଏଦୀ ତପନ କୁମାର ରାଉତ (୨୭) ଶୁକ୍ରବାର ପୁଲିସ କବଳରୁ ପୁଣି ଥରେ ଖସି ପଳାଇଛି। ପୁଲିସର ସାମାନ୍ୟ ଅବହେଳାର ସୁଯୋଗ ନେଇ ତପନ ଭ୍ୟାନ୍‌ରୁ ଖସି ପଳାଇଛି। ସୂଚନାଯୋଗ୍ୟ ପୂର୍ବରୁ ତପନ ୨ ଥର ଜେଲ୍‌ରୁ ଖସି ପଳାଇଥିଲେ ମଧ୍ୟ ପୁଲିସ ହାତରେ ଧରାପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗିରଫ ହେବାର ଗୋଟିଏ ମାସ ଭିତରେ ସେ ୩ ଥର ଜେଲ କର୍ମଚାରୀ ଓ ପୁଲିସ ହାତରୁ ଖସି ପଳାଇଛି।

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସବ୍‌ଜେଲରୁ ପାଚେରୀ ଡେଇଁ ତପନ ଗତ ଶନିବାର ଫେରାର ହୋଇଯାଇଥିଲା। ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡୁଆସାହିର ତପନକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଗିରଫ କରି ଜୁଲାଇ ୯ରେ ଖଣ୍ଡପଡ଼ା କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଖଣ୍ଡପଡ଼ା ସବ୍‌ଜେଲକୁ ପଠାଇଥିଲା।

ଗୋଟିଏ ରାତି ଜେଲରେ ରହିବା ପରେ ତପନ ୧୦ ତାରିଖ ସକାଳ ଜଳଖିଆ ଖାଇଥିଲା। ସେହି ଦିନ ପୂର୍ବାହ୍ଣ ୧୧ଟା ୪୫ ମନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ସମସ୍ତ କଏଦୀଙ୍କୁ ଡକାଯାଇଥିଲା। ସମସ୍ତେ ଖାଇବାକୁ ଆସିବାର ସୁଯୋଗ ନେଇ ତପନ ନିଜ ଗାମୁଛା ଓ ଏକ ଇଟାର ସାହାରା ନେଇ ୯ ଫୁଟର ପାଚେରୀ ଡେଇଁ ଫେରାର ହୋଇଯାଇଥିଲା। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ଥାନାଧିକାରୀ ବିମଳ କୁମାର ମଲ୍ଲିକ ସଦଳବଳେ ୧୧ ତାରିଖ ରାତି ତପନକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର