ରାୟଗଡ଼ାରେ ଖସୁଛି ଭୂତଳ ଜଳସ୍ତର ଶିଳ୍ପ ଶୋଷୁଛି; ୫ ବର୍ଷରେ ୧.୯୪ ମିଟର ହ୍ରାସ

ରାୟଗଡ଼ା ସହରରେ ୨୧ ମିଟର ତ‌ଳେ ରହିଛି ଜଳସ୍ତର; ଗୁଡାରି, ଚନ୍ଦ୍ରପୁର, ରାମନାଗୁଡ଼ାରେ ସ୍ଥିତି ଉଦବେଗଜନକ;  କାର୍ଯ୍ୟକାରୀ ହେଉନି ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ ବିଧେୟକ

ରାୟଗଡ଼ା: ଗୁଡାରି ସହରକୁ ଲାଗି ବହି ଯାଉଛି ବଂଶଧାରା। ବର୍ଷ ତମାମ ନଦୀରେ ପାଣି ରହୁଛି। କିନ୍ତୁ ଭୂତଳ ଜଳସ୍ତର ବଢ଼ିବା ପରିବର୍ତ୍ତେ ପ୍ରତି ବର୍ଷ କମି କମି ଯାଉଛି। ବର୍ଷକ ମଧ୍ୟରେ ଗୁଡାରିରେ ଭୂତଳ ଜଳସ୍ତର ଉଦବେଗଜନକ ଭାବେ ୬ ମିଟର ତଳକୁ ଖସିଛି। ୨୦୧୮ ମୌସୁମୀ ବର୍ଷା ପୂର୍ବରୁ ଜଳସ୍ତର ୯.୯୧ ମିଟର ଥିବା ବେଳେ ୨୦୧୯ରେ ଜଳସ୍ତର ୧୫.୫୮ ମିଟର ତଳକୁ ଖସିଛି। ଫଳରେ ଆଗାମୀ ଭବିଷ୍ୟତରେ ଗୁଡାରିରେ ଜଳ ସଙ୍କଟ ଉଗ୍ର ହେବା ସ୍ପଷ୍ଟ ହୋଇଛି। କେବଳ ଗୁଡାରି ନୁହେଁ ଜିଲ୍ଲା ସହର ମହକୁମା ରାୟଗଡ଼ା ସମେତ ଅନ୍ୟ ୧୦ ବ୍ଲକରେ ମଧ୍ୟ ସମାନ ସ୍ଥିତି। ସବୁଠି ଭୂତଳ ଜଳସ୍ତର ଅପ୍ରତ୍ୟାଶିତ ଭାବେ କମିଚାଲିଛି।

ଗତ ୫ ବର୍ଷର ତଥ୍ୟକୁ ଅନୁମାନ କଲେ ଜିଲ୍ଲାର ଜଳସ୍ତର ହାରାହାରି ୧.୯୪ ମିଟରକୁ ଖସିଛି। ରାୟଗଡ଼ା ସହରରେ ସର୍ବାଧିକ ୨୧ ମିଟର ତଳେ ପାଣି ରହିଥିବା ରେକର୍ଡ କରାଯାଇଛି। ଦ୍ରୁତ ଶିଳ୍ପାୟନ, ଭୂତଳ ଜଳ ପରିଚାଳନାରେ ଅବ୍ୟବସ୍ଥା, ମୃତ୍ତିକା କ୍ଷୟ, ବର୍ଷା ଜଳ ସଂରକ୍ଷଣରେ ବିଫଳତା ଯୋଗୁ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଜିଲ୍ଲାରେ ତିନି ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ, କଲ୍ୟାଣୀ ପ୍ରବାହିତ ହେଉଥିବା ବେଳେ ବଡନାଳ, ସିଲିଟିଗୁଡ଼ା, କଲ୍ୟାଣୀ ଭଳି ତିନୋଟି ଜଳସେଚନ ପ୍ରକଳ୍ପ ମଧ୍ୟ ରହିଛି। ପ୍ରତିବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେଉଛି। ଯାହା ଜିଲ୍ଲାର ଦ୍ବିଫସଲକୁ ସ୍ପଷ୍ଟ ଅନୁମେୟ। କିନ୍ତୁ ଭୂତଳ ଜଳସ୍ତର ହାରରେ ପରିବର୍ତ୍ତନ ଆସି ପାରୁନି।

ବୃହତ୍ତ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ସଂସ୍ଥା ଗୁଡ଼ିକ ମନ ଇଚ୍ଛା ବୋର୍ ଖୋଳି ପାଣି ଶୋଷିବା ଜଳସ୍ତର କମିବାର ଅନ୍ୟ ଏକ ପ୍ରମୁଖ କାରଣ। କେଉଁ ଶିଳ୍ପ ସଂସ୍ଥା କେତେ ଜଳ ବ୍ୟବହାର କରୁଛି ସେ ସଂପର୍କରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ୨୦୧୧ ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ ବିଧେୟକ ଅନୁଯାୟୀ ସମସ୍ତ ସରକାରୀ ସଂସ୍ଥା ବିଲଡିଂ, କର୍ପୋରେଟ୍ ହାଉସ ଅଫିସରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। କେବଳ ନିୟମ ଓ ବ୍ୟବସ୍ଥା କରି ସରକାର ନିଜ ମୁଣ୍ଡରୁ ଦାୟିତ୍ବ ଓହ୍ଲାଇ ଦେଇଥିବାବେଳେ ଜିଲ୍ଲା ପ୍ରଶାସନ ସ୍ତରରେ ମଧ୍ୟ ଏ ଦିଗରେ କେହି ତତ୍ପରତା ପ୍ରକାଶ କରୁନାହାଁନ୍ତି।

ଗାଁ ଓ ସହରର ଅଧିକାଂଶ ସ୍ଥାନ କଂକ୍ରିଟ୍ ଜଙ୍ଗଲରେ ପରିଣତ ହୋଇଥିବାରୁ ବର୍ଷା ଜଳ ମାଟି ଭିତରକୁ ଭେଦି ପାରୁନି। ଅନ୍ୟପକ୍ଷରେ ଆବଶ୍ୟକତାଠୁ ଅଧିକ ଭୂତଳ ଜଳର ବ୍ୟବହାର ଓ ଅପଚୟ ଜଳ ହ୍ରାସର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞ କହିଛନ୍ତି। ସର୍ଭେ ଅନୁଯାୟୀ, ୨୦୧୫ ମୌସୁମୀ ବୃଷ୍ଟିପାତ ପୂର୍ବରୁ ରାୟଗଡ଼ା ଜିଲ୍ଲା ସଦର ମହକୁମାର ଭୂତଳ ଜଳସ୍ତର ୨୧.୦୩ ମିଟର ଥିବାବେଳେ ଏବେ ୨୧.୮୮ରେ ପହଞ୍ଚିଛି। ବିଷମକଟକରେ ୨୦୧୫ରେ ୪.୮୮ ମିଟର ଥିବା ବେଳେ ୨୦୧୯ରେ ୬.୫୮ ମିଟର ରହିଛି। ଅନୁରୂପ ଭାବେ ଚନ୍ଦ୍ରପୁରରେ ୯.୧୪ ମିଟର ଥିବା ବେଳେ ୨୦୧୯ରେ ୧୦.୧୩, ଗୁଡାରିରେ ୫.୩୬ ଥିବା ବେଳେ ୨୦୧୯ରେ ୧୫.୫୮ ମିଟରକୁ ଖସି ଆସିଛି।

ଗୁଣପୁରରେ ୨୦୧୫ ବର୍ଷା ପୂର୍ବରୁ ଜଳସ୍ତର ୫.୯୭ ମିଟର ଥିଲା। ୨୦୧୯ରେ ଜଳସ୍ତର ୭.୭୫ ମିଟରକୁ ଖସିଛି। କଲ୍ୟାଣସିଂହପୁରରେ ୮.୦୧ ମିଟର ଥିବା ବେଳେ ୨୦୧୯ରେ ୯ ମିଟର, କାଶୀପୁରରେ ୨୦୧୫ ରେ ୫.୯୧ ମିଟର, ୨୦୧୯ରେ ୫.୭୦ ମିଟର, କୋଲନରାରେ ୨୦୧୫ରେ ୮.୨୫ ମିଟର, ୨୦୧୯ରେ ୧୦.୧୧ ମିଟର, ମୁନିଗୁଡାରେ ୨୦୧୫ରେ ୬.୬୧ ମିଟର, ୨୦୧୯ରେ ୭.୪୨ ମିଟର, ପଦ୍ମପୁରରେ ୨୦୧୫ରେ ୪.୦୫ ମିଟର, ୨୦୧୯ରେ ୫.୩୯ ମିଟର, ରାମନାଗୁଡ଼ାରେ ୨୦୧୫ରେ ୭.୧୦ ମିଟର ଥିବା ବେଳେ ୨୦୧୯ରେ ଜଳସ୍ତର ୮.୧୨ ମିଟରକୁ ଖସି ଆସିଛି।

ସମ୍ବନ୍ଧିତ ଖବର