ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ: ବଜରଙ୍ଗ କର୍ମୀଙ୍କୁ ମାଡ଼ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ରବିବାର ଦିନ ଗଣ୍ଡଗୋଳ ହୋଇଛି। ବଜରଙ୍ଗ ଦଳ ସହିତ ଭୀମ ଆର୍ମି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାମୁହିଁ  ହୋଇଛନ୍ତି। ସହରର ଆମ୍ବେଦକର ଛକରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ପୁଲିସର ଉପସ୍ଥିତିରେ ଘଟଣା ଘଟିଛି। ବଜରଙ୍ଗ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ସୁବର୍ଣ୍ଣପୁର ବଜରଙ୍ଗ ଦଳ ପକ୍ଷରୁ ଆଜି ହନୁମାନ ଜୟନ୍ତୀ ଅବସରରେ ରୟାଲ ପଡ଼ିଆସ୍ଥିତ ବାଲାଜୀ ମନ୍ଦିରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସେପଟେ ଆମ୍ବେଦକର ଜୟନ୍ତୀ ଅବସରରେ ଭୀମ ଆର୍ମି ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା। ଆମ୍ବେଦକର ଛକରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଙ୍ଗରେ ପୁଲିସ ଆସୁଥିଲେ ହେଁ ଗଣ୍ଡଗୋଳକୁ ଅଟକାଇ ପାରି ନଥିଲା ବୋଲି ଅଭିଯୋଗ ହୋଇଛି।

ବଜରଂଗ ଦଳ ଜିଲ୍ଲା ସଂଯୋଜକ ଜିତୁ ମଡ଼ମାଳି କହିଛନ୍ତି, ପୁଲିସ ଉପସ୍ଥିତରେ ଜଣେ ବଜରଙ୍ଗ କର୍ମୀଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା। ଶାନ୍ତି ଶୃଙ୍ଖଳାରେ ଶୋଭାଯାତ୍ରା କରୁଥିବାବେଳେ ଭୀମ ଆର୍ମି ପକ୍ଷରୁ ବିଶୃଙ୍ଖଳା ସୃଷ୍ଟି କରାଯାଇଥିଲା। ତେବେ ତୁରନ୍ତ ସଂପୃକ୍ତ ଯୁବକକୁ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବଜରଙ୍ଗ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବଜରଙ୍ଗ ଦଳ। ତେବେ ପୁଲିସ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରଯାଇଥିଲା।

ସମ୍ବନ୍ଧିତ ଖବର