ବଣାଇଗଡ଼: ସ୍କୁଲ ରୋଷେୟାଙ୍କ ସହ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅନୈତିକ ସମ୍ପର୍କକୁ ନେଇ କେବଲାଙ୍ଗ ଥାନା ଅଧୀନସ୍ଥ ଏକ ସେବାଶ୍ରମରେ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ସମ୍ପୃକ୍ତ ଶିକ୍ଷକଙ୍କ ବେକରେ ଚପଲମାଳ ପିନ୍ଧାଇ ଗାଁରେ ବୁଲାଇଛନ୍ତି। ଏପରି ଘଟଣା ଗତ ଶୁକ୍ରବାର ଘଟିଥିବାବେଳେ ସେହିଦିନଠାରୁ ସମ୍ପୃକ୍ତ ଶିକ୍ଷକ ସ୍କୁଲକୁ ଆସୁନାହାନ୍ତି। ତେବେ ଶିକ୍ଷକଙ୍କ ଏଭଳି କାଣ୍ଡ ବାବଦରେ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଉକ୍ତ ସେବାଶ୍ରମର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସହ ଜଣେ ମହିଳା ରୋଷେୟାଙ୍କ ଅନୈତିକ ସମ୍ପର୍କ ଥିବା ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ। ୨ ବର୍ଷ ପୂର୍ବେ ସ୍କୁଲ କମିଟି ବୈଠକ ବସି ଉଭୟଙ୍କୁ ଚେତାବନୀ ଦିଆଯାଇଥିଲା। ମାତ୍ର ଏହାପରେ ବି ସେମାନେ ପୂର୍ବପରି ସମ୍ପର୍କ ରଖି ଆସୁଥିଲେ। ଏପରିକି ବହୁଥର ଉଭୟଙ୍କୁ ଅସଂଯତ ଅବସ୍ଥାରେ ଠାବ କରାଯାଇଥିଲା। ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଏପରି ଆଚରଣ ସ୍କୁଲର ଶୈକ୍ଷିକ ପରିବେଶ ବିଗାଡ଼ିବା ସହ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଥିଲା।
ବହୁପିଲା ସ୍କୁଲଛାଡ଼ି ପଳାଉଥିଲେ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଖରାଛୁଟି ପରେ ଗତ ବୁଧବାରଠାରୁ ସ୍କୁଲ ଖୋଲିଥିଲା। ଏହାପରେ ଶୁକ୍ରବାର ପୁଣିଥରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ମହିଳା ରୋଷେୟାଙ୍କ କାରନାମା ବିଷୟରେ ଜଣାପଡ଼ିଥିଲା। ଉଭୟ ଗୋଟିଏ କୋଠରୀରେ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ଜାଣି ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ। ସେମାନେ ଉଭୟଙ୍କୁ ଏକ ବନ୍ଦ କୋଠରୀରୁ ବାହାର କରିବା ପରେ ସେଠାରେ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଉଭୟଙ୍କୁ ସ୍କୁଲ ବାହାରକୁ ନେଇ ପଚରାଉଚରା କରିଥିଲେ। ଉଭୟ ନିଜ ଭୁଲ୍ ସ୍ୱୀକାର କରିବା ସହ ଭବିଷ୍ୟତରେ ଏପରି ହେବନାହିଁ ବୋଲି କହିଥିଲେ। ମାତ୍ର ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କ କଥା ଶୁଣିବା ସ୍ଥିତିରେ ନ ଥିଲେ।
ସେମାନେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବେକରେ ଚପଲମାଳ ପକାଇ ଗାଁରେ ଚଲାଇ ଚଲାଇ ନେଇଥିଲେ। ଏ ନେଇ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି। ମାତ୍ର ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଉଭୟ ପ୍ରାପ୍ତବୟସ୍କ ହୋଇଥିବାବେଳେ ସମ୍ପୃକ୍ତ ରୋଷେୟାଜଣକ କୌଣସି ଅଭିଯୋଗ କରିନାହାନ୍ତି। ତେଣୁ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ। ତେବେ ଏ ନେଇ ବିଇଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଏଥିସହ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବଦଳି କରିବାକୁ କୁହାଯାଇଥିବା ସ୍ଥାନୀୟ ଏସ୍ଡିପିଓ କହିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପରଠୁ ରୋଷେୟା ସ୍କୁଲ ଆସୁଥିଲେ ବି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍କୁଲକୁ ଆସୁ ନ ଥିବା ଜଣାପଡ଼ିଛି।