ଭଞ୍ଜନଗର/ବେଲଗୁଣ୍ଠା: ଗଂଜାମ ଜିଲ୍ଳା ଗାଙ୍ଗପୁର ଥାନା ଅଧୀନ ବୁଢାକେନ୍ଦୁ ଜଙ୍ଗଲ ଭିତରୁ ଗତକାଲି ଦୁଇଟି ଗଳିତ ଶବ ମିଳିବା ଘଟଣାରେ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଗଳିତ ଶବ ମିଳିବାର ୩୦ ଘଣ୍ଟାରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ମୃତକ ଦ୍ବୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଉଭୟଙ୍କ ପରିଚୟ ବାହାର କରିବା ଉପରେ ଗୁରୁତ୍ବାରୋପ କରିବା ସହ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ଶ୍ରୀରାୟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ସକାଳେ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଅନୁସନ୍ଧାନ କରିବା ସହ ପୁଲିସ୍ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରାଯାଇଛି। ଘଟଣାସ୍ଥଳରୁ ସନ୍ଧାନୀ କୁକୁର ଯାଇ ବୁଢାକେନ୍ଦୁ ମନ୍ଦିର ନିକଟରେ ଅଟକି ଯାଇଥିବା ବେଳେ ମୃତକ ମାନଙ୍କ ସଂର୍ପକରେ କୌଣସି ସୁରାକ ମିଳିନଥିବା ପୁଲିସ୍ ପ୍ରକାଶ କରିଛି। ହାଡ କଙ୍କାଳ ପଡିଥିବା ସ୍ଥାନରେ ଏକ ପୋଡା ଯାଇଥିବା ମୋବାଇଲକୁ ସନ୍ଧାନୀ ଟିମ୍ ପାଇଥିବା ବେଳେ ତାକୁ ତଦନ୍ତ ପରିସରଭୁକ୍ତ କରିଯାଇଛି। ଆଜି ଆଖପାଖ ଇଲାକାରେ ନିଖୋଜ ବ୍ୟକ୍ତିଙ୍କ ସଂର୍ପକରେ ପୁଲିସ୍ ତନାଘନା କରିଥିଲେ ମଧ୍ୟ କୌଣସି ମୃତଦେହର ପରିଚୟ ସଂର୍ପକରେ ଜାଣିବା ଭଳି କୌଣସି ସୁରାକ ହାସଲ କରିପାରିନାହିଁ। ଝୁଲୁଥିବା ଅବସ୍ଥାରେ ମିଳିଥିବା ଯୁବତୀର ମୃତଦେହକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯାଇଥିବା ବେଳେ ତଳେ ପଡିଥିବା ଅନ୍ୟ ଜଣଙ୍କ ଖପୁରୀ,ମେରୁଦଣ୍ଡ ହାଡ ଏବଂ ଅସ୍ଥି ବିଶେଷକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।
ଆଜି ଘଟଣାସ୍ଥଳରେ ଶ୍ରୀ ରାୟଙ୍କ ସମେତ ଏଏସ୍ପି ବିଜୟ କୁମାର ମିଶ୍ର, ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରାମେଶ କୁମାର ପ୍ରଧାନ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଏନେଇ ପୁଲିସ କେସ୍ ନମ୍ବର ୪/୨୧ରେ ଏକ ଅପମୃତ ମାମଲା ରୁଜୁ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାଶ ପ୍ରକାଶ କରିଛନ୍ତି।