ଜୟପୁର: ଜୟପୁର ବ୍ଲକର ବାଲିଆ, ବ୍ରାହ୍ମଣୀପୁଟ, ପଲକାପୁଟ, ଅନ୍ତା, ଟାଙ୍କୁଆ, କଶିଗୁଡ଼ା ଆଦି ଅଂଚଳରେ ପ୍ରାୟ ଶହେ ଏକର ଜମିରେ ଏବେ ଅଜଣା ରୋଗ ପୋକ ବ୍ୟାପିଛି। ଚାଷୀ ମାନେ ସଚେତନ ନଥିବାରୁ କୀଟନାଶକ ଔଷଧ ପାଇଁ ସରକାର ଦେଉଥିବା ରିହାତିର ଲାଭ ବି ଉଠାଉନଥିବା କହିଛନ୍ତି ଚାଷୀ। ବାଲିଆ ଅଂଚଳର ତ୍ରିନାଥ ଧଡ଼ା ୪ଏକର ଜମି ଚାଷ କରୁଥିବା ବେଳେ ପ୍ରାୟ ୨ଏକର ଜମିରେ ଅଜଣା ରୋଗ ପୋକ ବ୍ୟାପିଥିବା କହିଛନ୍ତି। ଧଳା ରଂଗର ଏହି ରୋଗ ପୋରକ ଧାନର ଗଭାରେ ଲାଗି ରହୁଥିବା କହିଛନ୍ତି ତ୍ରିନାଥ। କିଛି ଜମିରେ ଚକଡ଼ା ଲାଗିଥିବା କହିଛନ୍ତି ଅନ୍ତାର ଚାଷୀ ରାମଧର ନାୟକ। ଚାଷୀ ମାନେ ରୋଗପୋକ ଲାଗିବା ପରେ କେଉଁ ରୋଗପୋକକୁ କେଉଁ ଔଷଧ ସିଂଚନ କରିବା କଥା ଭଲ ଭାବେ ଜାଣି ନାହାନ୍ତି।
ଏମାନେ ବିହନ ଓ ସାର ଡିଲରଙ୍କ ନିକଟକୁ ଯାଇ ସେମାନେ ଯେଉଁ ଔଷଧ ଦେଉଛନ୍ତି ତାହାକୁ ଆଣି ଜମିରେ ପକାଉଥିବା କହିଛନ୍ତି।ତେବେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ବୁଝାସୁଝା କରିବା ପାଇଁ କୃଷକ ସାଥୀ, କୃଷି ଗ୍ରାମସେବକ ଆଦି ବି ରହିଛନ୍ତି। ତେବେ ସାନ, ନିମ୍ନ ମଧ୍ୟବିତ୍ତ ଓମଧ୍ୟବିତ୍ତ ଚାଷୀଙ୍କ ସହ ଏମାନେ ଯୋଗାଯୋଗ କରିବା ବଦଳରେ ବଡ଼ ବଡ଼ ଚାଷୀଙ୍କୁ ହିଁ ସବୁ ବଡ଼ ବଡ଼ ଯୋଜନାରେ ସାମିଲ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। କୃଷି ଗ୍ରାମସେବକ ମାନେ ଏହାରି ମଧ୍ୟରେ କୀଟନାଶକ ଔଷଧ ୫୦ପ୍ରତିଶତ ରିହାତିରେ ଦେବା ପାଇଁ ଚାଲାନ(ପରମିଟ୍ ) ଦେବା ଆରମ୍ଭ କରିଛନ୍ତି ବୋଲି ଜିଲ୍ଲା ସହ କୃଷି ଅଧିକାରୀ ଜି.ଭେଙ୍କଟ ରେଡ୍ଡୀ କହିଛନ୍ତି। ସେଭଳି ଆସନ୍ତାକାଲି ଠାରୁ ଏଡିଇଓ ବିଜୟ କୁମାର ସୋରେନ୍, ସେମିଳିଗୁଡ଼ାରୁ କୃଷି ବୈଞାନିକ, ଓ କୃଷି କର୍ମଚାରୀ ମାନେ ସଂପୁଣ୍ଣ ରୁପେ ଜୟପୁର ବ୍ଲକ ବୁଲି ଯାଂଚ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ରେଡ୍ଡୀ।