ବାରିପଦାରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ବାରିପଦା : କରୋନାର ସମ୍ଭାବ୍ୟ ତୃତୀୟ ଲହରରୁ ମୟୂରଭଞ୍ଜରେ ଆଉ କେହି ଅକ୍ସୀଜେନ ଅଭାବରୁ ପ୍ରାଣ ହରାଇବେ ନାହିଁ। ପିଏମ କେୟାର ଫଣ୍ଡ ସହାୟତାରେ ବାରିପଦାସ୍ଥିତ ପିଆରଏମ ହସ୍ପିଟାଲରେ ନିର୍ମିତ ଅକ୍ସିଜେନ ପ୍ଲାଣ୍ଟକୁ ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଉଦଘାଟନ କରିଛନ୍ତି।
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ପିଏମ କେୟାରର୍ସ ଫଣ୍ଡ ଜରୁରୀ କାଳୀନ ପାଣ୍ଠି ସହାୟତାରେ ୧୦୦୦ ଏଲଏମପି କ୍ଷମତା ବିଶିଷ୍ଟ ନୂତନ ଅକ୍ସିଜେନ ପ୍ଲାଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି। ଏହି ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକାରୀ ହେବା ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ଏବଂ ସମଗ୍ର ଜିଲ୍ଲାର ଥିବା ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନେ ସେମାନଙ୍କ ଆବଶ୍ୟକ ସମୟରେ ନିରବଚ୍ଛିନ୍ନ ଭାବରେ ଅକ୍ସିଜେନ ପାଇପାରିବେ ଏବଂ ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ଉପଲବ୍ଧ ହେବାର ବ୍ୟବସ୍ଥା କରାଯାଇଛି । ବାୟୁମଣ୍ଡଳରୁ ଅକ୍ସିଜେନ ସଂଗୃହୀତ (ଚାପ ଅବଶୋଷଣ ବ୍ୟବସ୍ଥାରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ) ବ୍ୟବସ୍ଥା ଏବଂ ଲିକୁଇଡ ଅକ୍ସିଜେନ ସିଲିଣ୍ଡର (ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଂଟନ) ଉଭୟ ସେବା ଉପଲବ୍ଧ ହେବ ।
ଏହି ବ୍ୟବସ୍ଥା ଫଳରେ ଏବେ ପ୍ରତି ଶଯ୍ୟାକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଣ ବାଟ ଫିଟିଛି। ଏଣିକି ଆଉ ଅକ୍ସୀଜେନ ସିଲିଣ୍ଡର ଉପରେ ନିର୍ଭର କରିବାକୁ ପଡିବନାହିଁ। ପିଏମ କେୟାର୍ସ ପାଣ୍ଠିରୁ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଆଉ ଏକ ଅକ୍ସୀଜେନ ପ୍ଲାଣ୍ଟ କାର୍ଯ୍ୟକାରୀ ହେବ । ଏହି ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ ସିଡିଏମଓ ଡା. ରୂପଭାନୁ ମିଶ୍ର, ଡିଏମଓ ଏମଏସ ତଥା ସୁପରିନଟେଣ୍ଡେଟ ଡାଃ ନିହାରରଞ୍ଜନ ଦାସ, କୋଭିଡ ନୋଡାଲ ଅଫିସର ଡା. ଜ୍ଞାନ ରଞ୍ଜନ ମହାନ୍ତି, ହସପିଟାଲ ମ୍ୟାନେଜର ସମୀର ରଞ୍ଜନ ମହାପାତ୍ର, ବିଜେପି ନେତା ଜୀବନ ସାହୁ ପ୍ରମୁଖଙ୍କ ସହିତ ହସପିଟାଲର ବହୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି  ଉପସ୍ଥିତ ଥିଲେ ।
ସମ୍ବନ୍ଧିତ ଖବର