ସୁନ୍ଦରଗଡ଼ : 'ଜିଲ୍ଲାରେ କୋଟି କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ କରାଯାଇଛି। କିନ୍ତୁ ପାଣି କେଉଁଠୁ ଆସିବ ସେ ନେଇ କୌଣସି ବ୍ଯବସ୍ଥା ନାହିଁ। ସବୁ କାମ ଶେଷ ହେବା ପରେ ପ୍ରକଳ୍ପ ପାଇଁ ପାଣି ନଥିବା କଥା ମନେ ପଡୁଛି। ଏପରି ବହୁ କାମ ଯୋଜନାବଦ୍ଧ ଭାବେ ହେଉ ନଥିବାରୁ ଲୋକଙ୍କ ହିତରେ ଲାଗୁ ନାହିଁ। ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଛି। ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ ଶନିବାର ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଏହା କହି ଉଦବେଗ ପ୍ରକାଶ କରିଛନ୍ତି।

Advertisment

ଏହି ଅବସରରେ ସେ ସବୁ ବିଭାଗ ସମନ୍ବୟ ରଖି ଲୋକଙ୍କ ହିତ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ପାନପୋଷ ଓ ବଣାଇ ଉପଖଣ୍ଡରେ ଚାଲିଥିବା ପ୍ରକଳ୍ପଗୁଡିକ ବୁଲିଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶନିବାର ସୁନ୍ଦରଗଡରେ ପହଞ୍ଚି ମନ୍ତ୍ରୀ ପ୍ରଥମେ ବାଲିଶଙ୍କରା ବ୍ଲକରେ ପ୍ରସ୍ତାବିତ ତେଲିଜୋର ଡ୍ୟାମ ଅଂଚଳ ବୁଲି ଦେଖିଥିଲେ। ପରେ ଭୋଜପୁରସ୍ଥିତ ବିଜେପି ଜିଲ୍ଲା କାର୍ଯ୍ଯାଳୟରେ ଦଳୀୟ କର୍ମକର୍ତ୍ତା ଓ ଦୁଇ ବିଧାୟକ କୁସୁମ ଟେଟେ, ଭବାନୀଶଙ୍କର ଭୋଇଙ୍କ ସହ ଆଲୋଚନା କରିଥିଲେ।।ଅପରାହ୍ନରେ ସ୍ଥାନୀୟ ପ୍ରଗତତି ମଣ୍ଡପ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଆଦିବାସୀ ଉନ୍ନୟନ ,ପାନୀୟ ଜଳ, ଉଠା ଜଳସେଚନ ଓ ଜଳସେଚନ ବିଭାଗ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ଵିଭାଗର ପ୍ରକଳ୍ପ ଓ କାର୍ଯ୍ଯର ସମୀକ୍ଷା କରିଥିଲେ। ଜିଲ୍ଲାରେ ଏକଲବ୍ୟ ମଡେଲ ସ୍କୁଲ ତିଆରି କରୁଥିବା ଠିକା ସଂସ୍ଥା ଠିକ ଭାବରେ କାମ କରୁ ନଥିବା ଓ ଏହା ସହ ପୁର୍ବତନ ସାଂସଦ ତଥା ଆଦିବାସୀ ବିଭାଗ ମନ୍ତ୍ରୀ ଦେଇଥିବା ଅନୁଦାନ ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରି ନଥିବା, ରାଜ୍ୟ ସରକାର ନୂଆ ପ୍ରକଳ୍ପ ପାଇଁ କୌଣସି ଯୋଜନା କରୁ ନଥିବା ସେ କହିଥିଲେ। ଏହି ଅବସରରେ ତେନ୍ତୁଳି ଭଳି ଲଘୁ ବନଜାତ ଦ୍ରବ୍ଯ ସଂଗ୍ରହ ଦାୟିତ୍ବ ଏସଏଚଜିକୁ ଦେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ତେଲିଯୋର ବନ୍ଧ ସମ୍ପର୍କରେ ସେ କହିଥିଲେ, ଛତିଶଗଡ଼- ଓଡିଶା ମଧ୍ଯରେ ମହାନଦୀକୁ ନେଇ ଚାଲିଥିବା ଜଳ ବିବାଦ ଟ୍ରିବ୍ଯୁନାଲରେ ଥିବାରୁତେଲିଯୋର ବନ୍ଧକୁ ଜଳ ସମ୍ପଦ ବିଭାଗ ଅଟକାଇ ରଖିଛି। ତେବେ ସୁନ୍ଦରଗଡ଼ ପାଇଁ ଅତି ଆବଶ୍ଯକ ଏହି ବନ୍ଧ ନିର୍ମାଣ ନେଇ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ବୈଠକରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ କାମ ମନ୍ଥର ଓ ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ପୌରାଧ୍ଯକ୍ଷା ତନୟା ମିଶ୍ରଙ୍କ ସମେତ ଅନ୍ଯ ଅଧିକାରୀମାନେ ଉପସ୍ଥିତ ଥିଲେ।