ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଅମଲାଙ୍କ ଦାବି ପୂରଣରେ ରାଜ୍ୟ ସରକାର କ୍ରମାଗତ ଭାବେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ସୋମବାର ଠାରୁ ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଞ୍ଚର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧିବେ। ଯଦି ଚଳିତମାସ ୩୧ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନହୁଏ ତେବେ ଜୁନ ୧ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲାର ମିଳିତ ଅମଲା ମଞ୍ଚ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Advertisment

ରବିବାର ଅପରାହ୍ନରେ ସ୍ଥାନୀୟ ଓଷ୍ଟା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ, ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା, ସନ୍ତୋଷ କୁମାର ନିଶଙ୍କ ପ୍ରମୁଖ ଜିଲ୍ଲାସ୍ତରୀୟ ଅମଲାଙ୍କ ଦାବି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ୨୦୧୭ରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତାରେ କମ୍ପ୍ୟୁଟର ଜ୍ଞାନ ଥିବା ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ଏହାପରେ ସେମାନଙ୍କ ବେତନ ଓ କ୍ୟାଡରରେ କୌଣସି ପରିବର୍ତ୍ତନ କରି ନାହାନ୍ତି।

ଏନେଇ ସଂଘ ପକ୍ଷରୁ ଅନେକ ଥର ରାଜ୍ୟସରକାରଙ୍କୁ ଅବଗତ କରାଯାଇଥିଲା। ଚଳିତବର୍ଷ ଏପ୍ରିଲ୍ ୨୧ ତାରିଖରେ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ମଇ ୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ ୨୧ ଦିନ ବିତିଗଲାଣି ସରକାର ଆଲୋଚନା ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ଠାରୁ ଜିଲ୍ଲାର ସମସ୍ତ ବିଭାଗର ଅମଲାମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ। ଜୁନ୍ ୧ ତାରିଖ ସୁଦ୍ଧା ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ସମୂହ ଛୁଟିରେ ଯିବେ ବୋଲି ମଞ୍ଚର ରାଜ୍ୟ ଅଧ୍ୟକ୍ଷ ଶ୍ରୀଦାସ କହିଛନ୍ତି।