ନୀଳଗିରି: ସଂସ୍କୃତ ପ୍ରତି ତାଙ୍କର ରହିଛି ଅନେକ ଆବେଗ। ସେଥିପାଇଁ ସେ ସଂସ୍କୃତରେ ଉଚ୍ଚଶିକ୍ଷା ଗ୍ରହଣ ସହ ଶିକ୍ଷକତା କରିଛନ୍ତି। କେବଳ ସେତିକି ନୁହେଁ, ବାପାଙ୍କ ସ୍ମୃତି ରକ୍ଷା ପାଇଁ ଗାଁ’ରେ ଖୋଲିଛନ୍ତି ଏକ ସଂସ୍କୃତ ବିଦ୍ୟାଳୟ। ଯେଉଁଠି ଶତାଧିକ ଛାତ୍ର ପାଠପଢ଼ିବା ସହ ବେଦ ଓ ପୁରାଣ ଶିକ୍ଷା ଅର୍ଜନ କରୁଛନ୍ତି। ଏଠାରେ ଅନେକ ପୁରୁଣା ତଥା ମୂଲ୍ୟବାନ ବେଦ, ପୁରାଣ ଓ ପୋଥି ରହିଛି। ଯେଉଁଗୁଡ଼ିକ ଉପରେ ଗବେଷଣା ହେଉଛି। ସେହିପରି ଜଣେ ସଂସ୍କୃତିମନସ୍କ ମଣିଷ ହେଉଛନ୍ତି; ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଅଧୀନ ଧୋବଶିଳା ପଞ୍ଚାୟତ ରାଧିକାଦେଇପୁର ଶାସନ ସାରୁପାଳ ଗ୍ରାମର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡ. କୁମାର ମିଶ୍ର।

Advertisment

ସାରୁପାଳ ଗ୍ରାମର ପଣ୍ଡିତ ଗୋପାଳ ମିଶ୍ର ଓ ସୁରମା ମିଶ୍ରଙ୍କ ଏକମାତ୍ର ପୁଅ ହେଉଛନ୍ତି ଡ. କୁମାର ମିଶ୍ର। ସେ ପିଲାଦିନରୁ ସଂସ୍କୃତକୁ ଭଲ ପାଉଥିଲେ। ଫଳରେ ସଂସ୍କୃତ ଶିକ୍ଷା ଅର୍ଜନ କଲେ। ସମୟକ୍ରମେ ତିରୁପତିର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରୁ ସଂସ୍କୃତରେ ପିଏଚ୍‌ଡି ଲାଭ ସହ ୧୯୮୮ ମସିହାରେ ସଂସ୍କୃତ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ତଥାପି ସଂସ୍କୃତ ପ୍ରତି ତାଙ୍କର ଭଲପାଇବା କମି ନଥିଲା। ସେ ସଂସ୍କୃତର ପ୍ରଚାରପ୍ରସାର ପାଇଁ ନାନା ଉଦ୍ୟମ ଆରମ୍ଭ କଲେ। ୧୯୯୬ ମସିହା ବେଳକୁ ବାପାଙ୍କ ସ୍ମୃତିରେ ସାରୁପାଳଠାରେ ‘ଗୋପାଳଚନ୍ଦ୍ର ବେଦ ଜ୍ୟୋତିର୍ବିଜ୍ଞାନ’ ନାମକ ସଂସ୍କୃତ ବିଦ୍ୟାପୀଠ ଖୋଲିଲେ। ଯେଉଁଠି ୨୦୦୪ ମସିହାରୁ ନିଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ୨୦୦୬ ମସିହାରୁ ଅମୃତବାଣୀ ଗୁରୁକୁଳ ବେଦ ପାଠଶାଳା ଏବଂ ୨୦୧୯ ମସିହାରୁ ଅମୃତବାଣୀ ଶୋଧ ସଂସ୍ଥାନ ପରି ଶିକ୍ଷାନୁଷ୍ଠାନ ଚାଲିଛି। ଏଠାରେ ପିଲାଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସାଧାରଣ ଶିକ୍ଷା ସହ ପ୍ରଥମରୁ ଦ୍ବାଦଶ ସଂସ୍କୃତ ଶିକ୍ଷା ପ୍ରଦାନ କରାଯାଏ। ପିଲାମାନେ ବେଦ, ପୁରାଣ ଓ ପୋଥି ଉପରେ ଶିକ୍ଷା ଗ୍ରହଣ କରିବା ସହ ସେମାନଙ୍କୁ ଯୋଗ ଓ ପ୍ରାଣାୟାମ ମଧ୍ୟ ଶିଖାଯାଏ। ଏଠାରେ ଏବେ ୯ ଶହରୁ ଅଧିକ ସଂଗୃହୀତ ପୋଥି, ପୁରାଣ ଆଦି ରହିଛି। ଯାହାକୁ ନେଇ ଦୁଇଜଣ ସଂସ୍କୃତ ବିଶେଷଜ୍ଞ ଗବେଷଣା ମଧ୍ୟ ଚଳାଇଛନ୍ତି। ଶିକ୍ଷାନୁଷ୍ଠାନଟି ମଧ୍ୟପ୍ରଦେଶର ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବିଦ୍ୟାପୀଠ ସହ ଅନୁବନ୍ଧିତ ରହିଛି। ବିଦ୍ୟାପୀଠରେ ପ୍ରତିବର୍ଷ ୫୨ ଜଣ ଛାତ୍ର ନାମ ଲେଖାଉଥିବା ବେଳେ ୬ ଜଣ ପଣ୍ଡିତ ଓ ଜଣେ ଇଂରାଜୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସାଧାରଣ ଛାତ୍ରମାନେ ସଫଳତାର ସହ ଅଷ୍ଟମ ଶ୍ରେଣୀ ପାସ୍‌ କରୁଛନ୍ତି। ​ସେହିପରି ଛାତ୍ରମାନେ ଦଶମ ଶ୍ରେଣୀ ପାସ୍‌ କରି ବେଦ ଭୂଷଣ ଏବଂ ଦ୍ବାଦଶ ଶ୍ରେଣୀ କାସ୍‌ କରି ବେଦ ବିଭୂଷଣ ଉପାଧି ହାସଲ କରୁଛନ୍ତି। ଗୋପାଳଚନ୍ଦ୍ର ବେଦ ଜ୍ୟୋତିର୍ବିଜ୍ଞାନ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠା ଲାଭ କରିଥିବା ବେଳେ ନୀଳଗିରି ଅଞ୍ଚଳ ସହ ବାଲେଶ୍ବର ଜିଲ୍ଲାର ଗୌରବ ବଢ଼ାଇଛି।

ତେବେ ସଂସ୍କୃତ ପ୍ରତି ଥିବା ଆବେଗ ଯୋଗୁଁ ଡ. କୁମାର ମିଶ୍ରଙ୍କ ଦ୍ବାରା ଗୋପାଳଚନ୍ଦ୍ର ବେଦ ଜ୍ୟୋତିର୍ବିଜ୍ଞାନ ଭଳି ବିଦ୍ୟାପୀଠ ପ୍ରତିଷ୍ଠା ହୋଇପାରିଛି। ଏବେ ଏହା ଅମୃତବାଣୀ ସେବା ସଂସ୍ଥା ପକ୍ଷରୁ ମିଳୁଥିବା ଅର୍ଥ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥ ସହ ଡ. ମିଶ୍ରଙ୍କ ନିଜସ୍ବ ଅର୍ଥରେ ପରିଚାଳିତ ହେଉଛି। ଯଦି ରାଜ୍ୟ ଓ କେନ୍ଦ୍ର ସରକାର ବିଦ୍ୟାପୀଠକୁ ଅନୁଦାନ ଦିଅନ୍ତେ, ତେବେ ଏହା ଅତି ସୁରୁଖୁରୁରେ ଚାଲିପାରନ୍ତା ବୋଲି କୁହାଯାଇଛି।