ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ରାମପୁର ମାରୁତି ମଠ ଠାରେ ବହୁ ଦିନ ପୂର୍ବର ଏକ ମହୁଲ ବୃକ୍ଷ ଅଛି। ଏହି ବୃକ୍ଷ ଉପରେ ପିପ୍ପଳ, ବର, ଲିମ୍ବ ଆଦି ବୃକ୍ଷ ସଙ୍ଗମ ହୋଇଥିବା ବେଳେ ସେଇ ମହୁଲ ବୃକ୍ଷ ଉପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଥିବା ବାଉଁଶୁଣୀ ଥାନା ମନୁପାଲି ଗ୍ରାମର ଚିତ୍ରକର କରୁନାକର ଘଣ୍ଟୁଆଲ ଦେଖିବାକୁ ପାଇଥିଲେ। ଏଣୁ କାଳ ବିଳମ୍ବ ନକରି ସେଠାରେ ରଙ୍ଗ ବୋଲି ଦେବା ସହ ତାହାକୁ ଆହୁରି ସୁନ୍ଦର କରିବା ଲାଗି ପଡ଼ିଥିଲେ। ତାଙ୍କୁ ଛେଳିବାହାଲ ଗ୍ରାମର ଧୀରନ ସାହୁ, ସୁବର୍ଣ୍ଣପୁର ଗ୍ରାମର ତରଣୀ ମେହେର ସହଯୋଗ କରିବା ଯୋଗୁଁ ସେଇ ବୃକ୍ଷରେ ଥିବା କୋରଡ଼ ଗୁଡିକରେ ଆବିର୍ଭାବ ଥିବା ଠାକୁର ଗଣେଷ, ଜଗନ୍ନାଥ, ସପ୍ତଫେଣୀ ନାଗ, ରାଧା, ବାଛୁରୀ, ଛିନ୍ନମସ୍ତକା, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦେଖିବାକୁ ପାଇଥିଲେ। ସେହିଠାରୁ ସେଇ ମୂର୍ତ୍ତି ଗୁଡିକ ମଧ୍ୟ ରଙ୍ଗ ତୋଳି ଦେଇ ଜୀବନ୍ତ ରୂପ ଦେଇ ଥିବାରୁ ସେଠାରେ ଦେଖିବାକୁ ବହୁ ସମାଗମ ହେଉଥିବା ଜଣାପଡୁଛି।

Advertisment

ମହୁଲ ବୃକ୍ଷର ଦେହରେ ଠାକୁର ମାନଙ୍କ ଆବିର୍ଭାବ ଯୋଗୁଁ ମାରୁତି ମଠରେ ଥିବା ବାବା ମଠାଧୀଶ ରାମକୃଷ୍ଣ ଦାସ ଏହା ଏକ ଈଶ୍ୱରୀୟ ପୀଠ ହୋଇଥିବା ଯୋଗୁଁ ଠାକୁର ଆବିର୍ଭାବ ହୋଇଥିବା ସୂଚନା ଦେଇଥିଲେ। ଏହି ମହୁଲ ବୃକ୍ଷଟି ବହୁ ପୁରାତନ ବୃକ୍ଷ ହୋଇଥିବା ବେଳେ ଏହିଠାରେ ୨୦୦୫ ମସିହା ଠାରୁ ଯଜ୍ଞକାର୍ଯ୍ୟ କରାଯାଇ ମାରୁତି ମଠ ସ୍ଥାପନ କରାଯାଇଥିଲା। ଏହି ମଠକୁ ବାବା ଗିରିବର ଦାସ ସ୍ଥାପନ କରିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଏହି ବୃକ୍ଷର ସୁରକ୍ଷା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଲେ ଏହା ଲୋକ ଲୋଚନକୁ ଆସିବା ସହ ଏକ ପର୍ଯ୍ୟଟନର ମାନ୍ୟତା ମିଳି ପାରନ୍ତା।