ସ୍ତମ୍ବେଶ୍ବରୀ ସଂସ୍କୃତିର ଅନନ୍ୟ ପରମ୍ପରା: ଷୋଳପୂଜା ଶେଷରେ ମହାନଦୀକୁ ମହାସ୍ନାନ ପାଇଁ ଗଲେ ମାହେଶ୍ୱରୀ ଠାକୁରାଣୀ

ବୀରମହାରାଜପୁର:  ସୁବର୍ଣ୍ଣପୁର ଜିଲ୍ଲାରେ ମାହେଶ୍ୱରୀ ପରମ୍ପରାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ବିଶେଷ ଭାବରେ ବୀରମହାରାଜପୁର ଅଞ୍ଚଳରେ ସ୍ତମ୍ବେଶ୍ବରୀ ସଂସ୍କୃତି ଅନନ୍ୟ ପରମ୍ପରା ରହିଛି। ପ୍ରାୟ ସମସ୍ତ ଦେବା ଦେବୀ ମନ୍ଦିର ସବୁଦିନ ଖୋଲା ରହିଥାଏ। ପ୍ରାତଃ ସ୍ନାନ ସାରି ପୂଜକ ମାନେ ସକାଳ ପୂଜା କରୁଥିବା ବେଳେ ସନ୍ଧ୍ୟାରେ ମଧ୍ୟ ସନ୍ଧ୍ୟା ଧୂପ କରାଯାଇ ପୁଜା କରାଯାଇଥାଏ। କିନ୍ତୁ ସ୍ଥମ୍ଵେଶ୍ବରୀ ସଂସ୍କୃତି ବା ମାହେଶ୍ୱରୀ ଠାକୁରାଣୀଙ୍କ ରିତିନୀତି ଭିନ୍ନ ପ୍ରକାର। ମାହେଶ୍ଵରୀ ଠାକୁରାଣୀ ବର୍ଷକୁ ମାତ୍ର ଷୋହଳ ଦିନ ପୂଜା ପାଇଥାନ୍ତି, ଯାହାକୁ କି ଷୋଳ ପୂଜା ବୋଲି କୁହାଯାଇଥାଏ। ଆଶ୍ବୀନ କୃଷ୍ଣପକ୍ଷ ମୁଳାଷ୍ଟମୀ ବା ପୁଅ ଜିଉନ୍ତିଆ ଦିନ ସମସ୍ତ ମାହେଶ୍ୱରୀ ଠାକୁରାଣୀ ମାନେ ଗ୍ରାମ ମାନଙ୍କରେ ଥିବା ନଦୀ ନାଳ ବନ୍ଧ ମାନଙ୍କୁ ସ୍ନାନ ପାଇଁ ଯାଇଥାନ୍ତି। ଯାହାକୁ ଖଣ୍ଡାଧୁଆଁ ପର୍ବ ବୋଲି କୁହାଯାଇଥାଏ। ମାହେଶ୍ୱରୀ ଠାକୁରାଣୀ ମାନଙ୍କ ଛତି, ଛତ୍ର, ବୈରଖ, ଖଣ୍ଡା ସହିତ, ମାହେଶ୍ୱରୀ ଠାକୁରାଣୀ ମାନଙ୍କ ପୂଜା କରିଥାନ୍ତି ଡୁମ୍ବାଳ ଯାତିର ଦେହୁରୀ ମାନେ। ପ୍ରତିଦିନ ପଞ୍ଚ ବାଦ୍ୟ ସହ ଷୋଳ ଭର୍ଣ୍ଣି ବାଦ୍ୟ ବଜାଇ ଠାକୁରାଣୀ ମାନଙ୍କ ପୂଜା କରାଯାଇଥାଏ। ଏହାପରେ ଆଶ୍ବୀନ ଶୁକ୍ଳପକ୍ଷ ସପ୍ତମୀ ସନ୍ଧ୍ୟାରେ ସମସ୍ତ ମାହେଶ୍ୱରୀ ଠିକୁରାଣୀ ମାନେ ଗମ୍ଭୀରା ଶୀତରୁ ବାହାରି ବାହାରି ମଣ୍ଡପକୁ ବିଜେ କରିଥାନ୍ତି ଓ ସାଧାରଣ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହାପରେ ଶୁକ୍ଳ ଅଷ୍ଟମୀ ତିଥିରେ ମହାସ୍ନାନ ପାଇଁ ବାହାରକୁ ବାହାରି ଥାନ୍ତି ମାହେଶ୍ୱରୀ ଠିକୁରାଣୀ। ଏହି ସ୍ନାନ ଯାତ୍ରାରେ ପାରମ୍ପରିକ ପଞ୍ଚବାଦ୍ୟ, ବାଡି ଖେଳ, ଘଣ୍ଟ ବାଦ୍ୟ ସହିତ ବର୍ଣ୍ଣଡ୍ୟ ପରିବେଶରେ ମହାନଦୀକୁ ସ୍ନାନ ପାଇଁ ଯାଇଥାନ୍ତି।

Sambad

ବୀରମହାରାଜପୁର ଅଞ୍ଚଳର ପ୍ରସିଦ୍ଧ ମାହେଶ୍ୱରୀ ପୀଠ ହିଲୁଙ୍ଘ, ଉଫୁଲା, ମେଣ୍ଡା ମାଳ ମାହେଶ୍ୱରୀ ଠାକୁରାଣୀ ବୀରମହାରାଜପୁର ମୁଖ୍ୟ ଛକ ଦେଇ ମହାନଦୀକୁ ମହାସ୍ନାନ ପାଇଁ ଯାଇଥାନ୍ତି। ସେହିପରି ଭାବରେ ବାଗବର, ଷଣ୍ଢା, ମାହେଶ୍ବରୀ ଠାକୁରାଣୀ ବୀରମହାରାଜପୁର ଚମ୍ପାପୁର ଝାରକୁମୁଣ୍ଡା ଗ୍ରାମ ପରିକ୍ରମା କରି ଦେଉଳ ମୁଣ୍ଡାକୁ ଯାଇଥାନ୍ତି। ସେଠାରେ ଭାଲିଆ ପଦର ଓ ଦେଉଳ ମୁଣ୍ଡା ଠାକୁରାଣୀ ଏକାଠି ହେଲା ପରେ ମହାନଦୀକୁ ମହାସ୍ନାନ ପାଇଁ ଯାଇଥାନ୍ତି। ଏହି ଯାତ୍ରା ସମାପନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ଡୋଲାମଣି ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଥାନା ଅଧିକାରୀ ଅଞ୍ଜଳୀ କୁମ୍ଭାର, ସବଇନ୍ସପେକ୍ଟର ସୁଦର୍ଶନ ଦେହୁରୀଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ଉପସ୍ଥିତ ରହି ଯାତ୍ରାକୁ ନିୟନ୍ତ୍ରଣ କରିଥିଲେ। ଏହି ମହାଷ୍ଟମୀ ଦିନ ଭାଇର ମଙ୍ଗଳ କାମନା ପାଇଁ ଭଉଣୀ ମାନେ ନିର୍ଜଳା ଉପବାସ ରହି ବ୍ରତ ପାଳନ କରିଥାନ୍ତି। ମହାନବମୀ ଦିନ ସମସ୍ତ ମାହେଶ୍ୱରୀ ଠାକୁରାଣୀ ମାନେ ମହାସ୍ନାନ ସାରି ଗ୍ରାମ ପରିକ୍ରମା କରି ପୁଣି ମନ୍ଦିରକୁ ପ୍ରବେଶ କରିଥାନ୍ତି। ଏହା ହିଁ ହେଉଛି ସ୍ଥମ୍ବେଶ୍ବରୀ ସଂସ୍କୃତିର ଅନନ୍ୟ ପରମ୍ପରା। ବର୍ଷକୁ କେବଳ ଷୋଳ ପୂଜା ପାଇଥାନ୍ତି ଠାକୁରାଣୀ, ଯେଉଁ ମାହେଶ୍ୱରୀ ପୀଠରେ ମହାଖଳା ପୂଜା ଅନୁଷ୍ଠିତ ହୋଇଥାଏ ତାହା ଆଶ୍ବିନ ପୂର୍ଣ୍ଣମୀ ତିଥିରେ ପୂଜା ସମାପନ କରାଯାଇଥାଏ।

ସମ୍ବନ୍ଧିତ ଖବର