ପିଜିକୁ ଅନୁମତି, ଜୋର୍‌ ଧରିଲା ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

କେନ୍ଦ୍ରାପଡ଼ା: ରାଜ୍ୟର ସର୍ବବୃହତ୍‌ ସରକାରୀ ଅନୁଦାନପ୍ରାପ୍ତ କଲେଜ ହେଉଛି କେନ୍ଦ୍ରାପଡ଼ା। ୧୯୫୯ମସିହାରେ ପ୍ରତିଷ୍ଠା ଲାଭ କରିଥିଲା। ପୁରୁଣା ଓ ପ୍ରତିଷ୍ଠିତ କଲେଜ ହିସାବରେ ସାରା ରାଜ୍ୟରେ ଏହାର ସୁନାମ ଓ ସ୍ବତନ୍ତ୍ରତା ରହିଛି। କିନ୍ତୁ ଦୁର୍ଭାଗ୍ୟ ଯେ ୬୩ବର୍ଷର ଏହି ପୁରୁଣା କଲେଜକୁ ମାତ୍ର ୪ଟି ବିଷୟରେ ପିଜି ପାଠ୍ୟକ୍ରମ ଅନୁମତି ପାଇଁ ଆବେଦନ ପରେ ଚାରି ବର୍ଷରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଛି। ଆହୁରି ତିନିଟି ବିଷୟକୁ ଝୁଲାଇ ରଖାଯାଇଛି। ତେବେ ଆବେଦନଠୁ ଅନୁମତି ମିଳିବା ଯାଏ ସରକାରୀ ପ୍ରକ୍ରିୟାକୁ ନିରେଖି ଦେଖିଲେ ଯେଉଁଭଳି ଅବହେଳା ସାମ୍ନାକୁ ଆସିଛି, ତାହା ଚକିତ କଲା ଭଳି। କେବଳ ପିଜି ପାଠ୍ୟକ୍ରମ ଖୋଲିବା ସପକ୍ଷରେ ଅନୁଧୢାନକାରୀ ଯଗ୍ମ କମିଟି କରିଥିବା ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଲାଗି ଯାଇଛି ୩୦ମାସ ସମୟ। ଅପରପକ୍ଷରେ କିନ୍ତୁ ଏହି ସମୟ ମଧୢରେ କେନ୍ଦ୍ରାପଡ଼ାଠୁ କନିଷ୍ଠ ଥିବା ଅନେକ କଲେଜ ପିଜି ବିଷୟ ଖୋଲିବା ଅନୁମତି ପାଇବାରେ ଆଗୁଆ ସଫଳ ହୋଇଛନ୍ତି। ପଡେ଼ାଶୀ ସାଲେପୁରଠୁ ନେଇ ବାଙ୍କୀ, କଟକ ଗୋବିନ୍ଦପୁର, ଯାଜପୁର ଚିତାଳ କଲେଜ ଏହାର ପ୍ରମାଣ ଦେଉଛି। ଏହା ପରୋକ୍ଷରେ କେନ୍ଦ୍ରାପଡ଼ା କଲେଜ ପ୍ରତି ସରକାର କେତେ ସମ୍ବେଦନଶୀଳ ଅଛନ୍ତି, ତାହା ସହଜେ ବୁଝାପଡ଼ିଯାଉଛି।
୨୦୧୮, ନଭେମ୍ବର ୨୯ତାରିଖରେ କେନ୍ଦ୍ରାପଡ଼ା କଲେଜ କର୍ତୃପକ୍ଷ ଇ˚ରାଜୀ, ଓଡ଼ିଆ, ଅର୍ଥନୀତି, ରାଜନୀତି ବିଜ୍ଞାନ, ହିନ୍ଦୀ, ଏମ୍‌.କମ୍‌(ଇନକମ୍‌ ଟ୍ୟାକ୍ସ୍‌) ଏବ˚ ପଦାର୍ଥ ବିଜ୍ଞାନ ପ୍ରମୁଖ ସାତଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରିଥିଲେ। ଆବେଦନରେ ପ୍ରତି ବିଷୟରେ ୩୨ଟି ଲେଖାଏଁ ସିଟ୍‌ ଖୋଲିବାକୁ ପ୍ରସ୍ତାବ ଥିଲା। କଲେଜର ଏହି ପ୍ରସ୍ତାବକୁ ୨୦୧୯, ଡିସେମ୍ବର ୧୧ତାରିଖରେ ଅନୁଷ୍ଠିତ ବିଭାଗର ଉଚ୍ଚକ୍ଷମତା ସ˚ପନ୍ନ କମିଟି ବୈଠକରେ ବିଚାରକୁ ନେବା ପରେ ଏକ ଯୁଗ୍ମ ଟିମ୍‌ ୨୦୨୦, ଜାନୁଆରୀ ୨୨ତାରିଖରେ କଲେଜ ଭିତ୍ତିଭୂମି ପରଖିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ଅଫିସ୍‌ର ପ୍ରଫେସରଙ୍କୁ ନେଇ ଗଠିତ ଯୁଗ୍ମ ଟିମ୍‌ କଲେଜ ସ୍ଥିତି ଅନୁଧ୍ୟାନ କରି ଯିବାର ମାତ୍ର ଦୁଇ ମାସ ଭିତରେ ରିପୋର୍ଟ ଦେଇଥିବା କୁହାଯାଉଛି। ଅର୍ଥାତ୍‌ ୨୦୨୦, ମାର୍ଚ୍ଚ ଭିତରେ କମିଟି କରିଥିବା ଏହି ସୁପାରିସ ଉଚ୍ଚ କ୍ଷମତାସ˚ପନ୍ନ କମିଟି ଦ୍ବାରା ଅନୁମୋଦନ ଲାଭ କରି ଗତକାଲି ବିଭାଗୀୟ ସଚିବଙ୍କ ସ୍ବୀକୃତି ପାଇଛି। ସରଳ ଅର୍ଥରେ ବୁଝିବାକୁ ଗଲେ କମିଟିର ସୁପାରିସ କାର୍ଯ୍ୟକାରୀ କରିବାକୁ ଲାଗିଗଲା ପାଖାପାଖି ୩୦ମାସ ସମୟ। ହେଲେ ଏହି ସମୟ ଭିତରେ ପଡେ଼ାଶୀ ସାଲେପୁରଠୁ ନେଇ ବାଙ୍କୀ, କଟକ ଗୋବିନ୍ଦପୁର ଓ ଅଡ଼ଶପୁର ୟୁଏନ୍‌, ଯାଜପୁର ଚିତାଳ କଲେଜ ଏକାଧିକ ପିଜି ବିଷୟ ଖୋଲିବା ପାଇଁ ଅନୁମତି ପାଇ ଯାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଆଗୁଆ ଅନୁମତି ପାଇଥିବା ଏ ସବୁ କଲେଜ ନାକ୍‌ ଟିମ୍‌ ଦ୍ବାରା ‘ବି’ ଗ୍ରେଡ୍‌ ପାଇଛନ୍ତି। ଅଥଚ, ଦୁଇ ଦୁଇ ଥର ‘ଏ’ ଗ୍ରେଡ୍‌ ପାଇ ବି ପିଜି ଅନୁମତି ପାଇବା ପାଇଁ ଆବେଦନର ଚାରି ବର୍ଷ ଯାଏ କର୍ତୃପକ୍ଷଙ୍କୁ କେବଳ ଅପେକ୍ଷା କରିବାକୁ ପଡ଼ିନାହିଁ, ବର˚ ଏକାଧିକବାର ଚିଠି ଲେଖି ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ ସହିତ ଭୁବନେଶ୍ବରସ୍ଥିତ ଦପ୍ତରକୁ ବାରମ୍ବାର ଦୌଡ଼ିବାକୁ ପଡ଼ିଛି। ତେଣୁ ଯେଉଁଠି ଆବେଦନର ଚାରି ବର୍ଷ ଏବ˚ ଯଗ୍ମ ଅନୁଧୢାନକାରୀ କମିଟି ରିପୋର୍ଟ ସୁପାରିସର ଅଢେ଼ଇ ବର୍ଷ ପରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଲା, ସେପରିସ୍ଥଳେ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ସରକାର କେତେ ଦିନ ନେବ, ତାହା ତ ସମୟ କହିବ। ହେଲେ ପିଜି ଅନୁମତି ପରେ ବିଭିନ୍ନ ମହଲରେ ବିଶ୍ବବିଦ୍ୟାଳୟ ମାନ୍ୟତାକୁ ନେଇ ଦାବି ଜୋର‌୍‌ ଧରିଛି।

କେନ୍ଦ୍ରାପଡ଼ା ଶିକ୍ଷା ବିକାଶରେ ମାଇଲଖୁଣ୍ଟ୍‌
ପିଜି ପାଠ୍ୟକ୍ରମ ଖୋଲିବା ପ୍ରତ୍ୟେକ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଗର୍ବ ଆଉ ଗୌରବର କଥା। ପିଲାମାନେ ଏଣିକି ଆଉ ସ୍ନାତକୋତ୍ତର ଶିକ୍ଷା ପାଇଁ ବାହାର ଜିଲ୍ଳାକୁ ଯିବାକୁ ପଡ଼ିବ ନାହିଁ। ଚାରିଟି ବିଷୟରେ ଅନୁମତି ମିଳିଛି। ଆଉ ତିନିଟି ବିଷୟରେ ଖୁବ୍‌ଶୀଘ୍ର ସ୍ବୀକୃତି ମିଳିବାର ଆଶା ଅଛି। ଏହା ବାସ୍ତବରେ ଜିଲ୍ଲା ଶିକ୍ଷା ବିକାଶର ଏକ ମାଇଲଖୁଣ୍ଟ୍‌। ବ୍ୟକ୍ତିଗତ ଭାବେ ମୁଁ ଏହି ପ୍ରସଙ୍ଗରେ ଶିକ୍ଷା ସଚିବଙ୍କୁ ଭେଟି ଆଲୋଚନା କରିଥିଲି ଆଉ ତାହା ସଫଳ ହୋଇଥିବାରୁ ଖୁସି ଲାଗୁଛି। ଗଲା ତିନି ବର୍ଷ ଭିତରେ କରୋନା କଟକଣା ଭିତରେ ବି କଲେଜର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି। ଆଗକୁ ଆହୁରି ନେବାକୁ ଯୋଜନା ରହିଛି।
-ଶଶିଭୂଷଣ ବେହେରା, ବିଧାୟକ, କେନ୍ଦ୍ରାପଡ଼ା

ବିଶ୍ବବିଦ୍ୟାଳୟ ମାନ୍ୟତା ଦିଅ; ନଚେତ୍‌ ‘ମାଟି ପାଇଁ ମାଡ଼ି ଚାଲ ଆନ୍ଦୋଳନ’..
ଦୀର୍ଘ ସମୟର ଅପେକ୍ଷା ପରେ ଚାରିଟି ବିଷୟରେ ପିଜି ଖୋଲିଥିବାରୁ ଆମେ ଖୁସି। କିନ୍ତୁ ଏଥିରେ କେହି ଶ୍ରେୟ ଦାବି କରିପାରିବେ ନାହିଁ। କାରଣ, କାହାର ଦୟାରୁ ଏହା ସମ୍ଭବ ହେଇନାହିଁ। କଲେଜରେ ପିଜି ଖୋଲିବା ପ୍ରସ୍ତାବ ଯଥାର୍ଥତା ଥିଲା ଏବ˚ ଏଥିପାଇଁ କର୍ତୃପକ୍ଷଙ୍କୁ ବହୁ ଉଦ୍ୟମ କରିବାକୁ ପଡ଼ିଛି। ଏହା ସୂଚାଇ ଦେଇଛି କେନ୍ଦ୍ରାପଡ଼ାର ଆବଶ୍ୟକତା ପ୍ରତି ସରକାର କେତେ ସମ୍ବେଦନଶୀଳ ଅଛନ୍ତି? ସମୀକ୍ଷା କଲେ ଜଣାପଡ଼ୁଛି ଯେ ୨୦୧୮ରେ ଆବେଦନ କରିବାର ୧୩ମାସ ପରେ ଉଚ୍ଚ କ୍ଷମତାସ˚ପନ୍ନ କମିଟି କଲେଜ ଅନୁଧୢାନ କରିବାକୁ ଆସିଥିଲେ ଏବ˚ ଦୁଇ ମାସ ଭିତରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଅନୁକୂଳ ରିପୋର୍ଟ ମଧୢ ସୁପାରିସ କରିଥିଲେ। ୨୦୨୦, ଫେବ୍ରୁଆରି ମାସରେ ହୋଇଥିବା ଏହି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଦୁଇ ବର୍ଷ ଛଅ ମାସ ସମୟ ଲାଗିଗଲା। କିନ୍ତୁ ଦୁର୍ଭାଗ୍ୟ ଯେ ଛାମୁ ଯାହା ଦେବେ ହରଷେ ନ୍ୟାୟରେ ସାତଟି ଜାଗାରେ ଚାରିଟି ବିଷୟରେ ପିଜି ଖୋଲିବାକୁ ଅନୁମତି ମିଳିଲା। ତାହା ପୁଣି ୩୨ ଜାଗାରେ ଅଧା ୧୬ସିଟ୍‌। ଏହା କେନ୍ଦ୍ରାପଡ଼ା ପ୍ରତି ସରକାରଙ୍କ ଅବହେଳାର ଆଉ ଏକ ନମୁନା। ସରକାର ତୁରନ୍ତ ଏଭଳି ଅବହେଳା ମାନସିକତାରୁ ଉପରକୁ ଉଠି କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଇ ଶିକ୍ଷା ପ୍ରତି ହେଉଥିବା କ୍ରମାଗତ ଅବହେଳାରେ ପୂର୍ଣ୍ଣଚ୍ଛେଦ ପକାନ୍ତୁ। ଅନ୍ୟଥା, କ˚ଗ୍ରେସ ‘ମାଟି ପାଇଁ ମାଡ଼ିଚାଲ’ ଆନ୍ଦୋଳନ ଆରମ୍ଭ କରିବ।
-ଗଣେଶ୍ବର ବେହେରା, ପୁରାତନ ଛାତ୍ର ତଥା ବରିଷ୍ଠ କ˚ଗ୍ରେସ ନେତା

‘କେନ୍ଦ୍ରାପଡ଼ା କଲେଜରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍‌ ଖୋଲୁ’
କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ପିଜି ଖୋଲିବା ଏକ ବିଳମ୍ବିତ ଭଲ ଖବର। ମାତ୍ର ଉଭୟ ଶୈକ୍ଷିକ ଓ ଢାଞ୍ଚାଗତ ଭୂତ୍ତିଭୂମିର ବିପର୍ଯ୍ୟସ୍ତ ସ୍ଥିତି ଏହି ପିଜି ପାଠ୍ୟକ୍ରମ କାର୍ଯ୍ୟାନ୍ବୟନ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁ କଲେଜରେ ଦିନେ ସରକାରୀ ଚାକିରି ଛାଡ଼ି ରାଜ୍ୟ ତଥା ରାଜ୍ୟ ବାହାରରୁ ସୁନାମଧନ୍ୟ ଅଧୢାପକମାନେ ଆସି ଶିକ୍ଷାଦାନ କରୁଥିଲେ, ସେଠାରେ ଏବେ ଅଧୢାପକ ସ˚ଖ୍ୟା ଓ ଯୋଗ୍ୟତାର ମରୁଡ଼ି। ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍‌ କେନ୍ଦ୍ରାପଡ଼ା କଲେଜକୁ କେନ୍ଦ୍ର କରି ମାର୍ଶାଘାଇ, ରାଜନଗର, ମହାକାଳପଡ଼ା କଲେଜ କ୍ୟାମ୍ପସ୍‌କୁ ନେଇ ବିଭିନ୍ନ ପାଠ୍ୟକ୍ରମ ଖୋଲାଯାଉ। ପାରମ୍ପରିକ ବିଭାଗ ବ୍ୟତୀରକେ ବୁଦ୍ଧିଷ୍ଟ୍ ଷ୍ଟଡିଜ୍‌, ଓସେନ୍‌ ଷ୍ଟଡିଜ୍‌, କୋଷ୍ଟାଲ୍‌ ଟୁରିଜିମ୍‌, ପରିବେଶ ଜୈବ ବିବିଧତା, ନଦୀ ଏବ˚ ଗ୍ରାମୀଣ ଅର୍ଥନୀତି ଭଳି ନୂଆ ପାଠ୍ୟକ୍ରମ ଓ ଅନୁସନ୍ଧାନ ବିଭାଗ ଖୋଲାଯାଉ। ଗତ ଜୁଲାଇ ୨ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ବିଟ୍‌ କରି ଏ ସ˚କ୍ରାନ୍ତରେ ଅନୁରୋଧ କରିଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଯେଭଳି ପଦକ୍ଷେପ ନେବେ, ସେଥିପ୍ରତି ଜିଲ୍ଲାର ସା˚ସଦ ଓ ବିଧାୟକଗଣ ସକ୍ରିୟ ଭୂମିକା ନିଭାନ୍ତୁ। -ଭୁବନ ମୋହନ ଜେନା, ପୁରାତନ ଛାତ୍ର ତଥା ବରିଷ୍ଠ ବିଜେପି ନେତା

 

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ବିଳମ୍ବ
କଲେଜ ପରିଚାଳନା ପରିଷଦର ସଭ୍ୟ ହିସାବରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଲଗାତର ଯେଉଁ ଉଦ୍ୟମ ହେଇଛି, ତାହାକୁ ଅତି ନିକଟରୁ ଦେଖିଛି। ଚାରି ବର୍ଷ ତଳେ ଯେବେ ଏ ନେଇ ଆବେଦନ କରାଗଲା, ସେତେବେଳେ ପାଠ୍ୟକ୍ରମ ଖୋଲିବା ପାଇଁ ଧାର୍ଯ୍ୟ ଫି’ ମଧୢ ପଇଠ କରାଯାଇଥିଲା। ମାତ୍ର ବିଭିନ୍ନ ଆଳ ଦେଖାଯାଇ ଏହାକୁ ବିଳମ୍ବ କରାଗଲା। ପରେ କରୋନା ଆସିଯିବାରୁ ଉଚ୍ଚଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଲା ନାହିଁ। ଶିକ୍ଷା, ସ୍ବାସ୍ଥ୍ୟଠୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ସରକାର ଯେଭଳି ବାରମ୍ବାର ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି, ତାହା ଗ୍ରହଣୀୟ ନୁହେଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ଏଭଳି ସ୍ଥିତି ଉତ୍ପନ୍ନ ହେଉଛି।
-ଅଜୟ ସାମଲ, ପୂର୍ବତନ ଅଧୢକ୍ଷ, କେନ୍ଦ୍ରାପଡ଼ା କଲେଜ

ସବୁ ସିଟ୍‌ ପୂରଣ କରିବା ବଡ଼ ଚାଲେଞ୍ଜ୍‌
ବିଳମ୍ବରେ ହେଲେ ମଧୢ ପିଜି ପାଠ୍ୟକ୍ରମ ଖୋଲିଲା, ସେଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ମନରେ କେତୋଟି ପ୍ରଶ୍ନ ଆସୁଛି। ସରକାର କାହିଁକି ଏତେ ବିଳମ୍ବ କଲେ? ଯଦି ଯୁଗ୍ମ କମିଟିର ରିପୋର୍ଟ ଆଧାରରେ ଅନୁମତି ମିଳିଲା, ତା’ହେଲେ ୩୦ମାସ ସମୟ କାହିଁକି ଲାଗିଲା। ବହୁ ଦାବି ଏବ˚ ଗଣମାଧୢମରେ ଖବର ପ୍ରକାଶ ପାଇବା ପରେ ଯାଇ ଅନୁମତି ମିଳିଲା। ଦୁଃଖ ଲାଗୁଛି ଯେ ୩୨ ପରିବର୍ତେ ୧୬ଟି ସିଟ୍‌ ପାଇଁ ଯେଉଁ ଅନୁମତି ମିଳିଲା, ତାହା ଠିକ୍‌ ହେଲା ନାହିଁ। ସେ ଯାହା ହେଉ ଏବେ କିଭଳି ଚାରିଟି ବିଷୟରେ ସବୁ ସିଟ୍‌ ପୂରଣ ହେବ ଏବ˚ ପିଲାମାନଙ୍କୁ ଆକର୍ଷିତ ହେଇ ନାମ ଲେଖାଇବେ, ତାହା କର୍ତୃପକ୍ଷଙ୍କ ମୁଖ୍ୟ ଦାୟିତ୍ବ। ଏହା ହୋଇପାରିଲେ ବିଶ୍ବବିଦ୍ୟାଳୟ ଦାବି ପୂରଣ ହେବାରେ ଅସୁବିଧା ହେବ ନାହିଁ।
-ନନ୍ଦକିଶୋର ପରିଡ଼ା, ପୂର୍ବତନ ଅଧୢକ୍ଷ, କେନ୍ଦ୍ରାପଡ଼ା କଲେଜ

ସ୍ବାଗତଯୋଗ୍ୟ ପଦକ୍ଷେପ, ଖାଲି ପଦବି ପୂରଣ ହେଉ…
କେନ୍ଦ୍ରାପଡ଼ା କଲେଜରେ ପିଜି ଖୋଲିବା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଏହା ହେବା ଫଳରେ ପିଲାମାନେ ପ୍ରାଥମିକଠୁ ଉଚ୍ଚ ଶିକ୍ଷା ଯାଏ ସବୁ କେନ୍ଦ୍ରାପଡ଼ାରେ ହିଁ କରିପାରିବେ। ଭୁବନେଶ୍ବର, ବାଲେଶ୍ବର, ପୁରୀ ଆଦି ବାହାର ଜିଲ୍ଲାକୁ ପିଜି ପାଇଁ ଆଉ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ରାପଡ଼ା କଲେଜର ଯେହେତୁ ସାରା ରାଜ୍ୟରେ ସୁନାମ ଓ ସ୍ବତନ୍ତ୍ରତା ରହିଛି, ତେଣୁ ସରକାର ଏବେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ।
-ରାଜେଶ ପଣ୍ତା, ପୂର୍ବତନ ଛାତ୍ର ସ˚ସଦ, ସଭାପତି, କେନ୍ଦ୍ରାପଡ଼ା କଲେଜ

ସମ୍ବନ୍ଧିତ ଖବର