ଜୟପୁର: ଆଜି ସକାଳେ ଜ୍ରପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀ ଘଟଣ। ଟାଉନ ଥାନା ଗଜନ୍ନାଥ ସାଗର ପୁଷ୍କରିଣୀରୁ ଜଣେ ଅଢ଼େଇ ବର୍ଷର ଶିଶୁପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଶିଶୁପୁତ୍ରଟିର ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ କିଛି କହି ପାରୁ ନାହାଁନ୍ତି। ଖବର ପାଇ ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ଜୟପୁର ଟାଉନ୍ର ପଞ୍ଚାନନ ମନ୍ଦିର ନିକଟରେ ଥିବା ଜଗନ୍ନାଥ ସାଗରରେ ଏକ ଅଢ଼େଇ ବର୍ଷର ପିଲା ବୁଡ଼ିଯାଉଥିବାଦେଖି ତାଙ୍କୁ ଜଣେ ଯୁବକ ଉଦ୍ଧାର କରିଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ମୁମୁର୍ଷୂ ଅବସ୍ଥାରେ ଏହି ଶିଶୁଟିକୁ ଛାଡ଼ି ଯୁବକ ଜଣକ କେଉଁଆଡ଼େ ଚାଲି ଯାଇଥିଲେ। ଶିଶୁଟି ଜଗନ୍ନାଥ ସାଗର କୂଳରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସୁକ୍ରୁ ଜାନୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତେବେ ଶିଶୁଟିର ପରିଚୟ ଜଣାପଡ଼ି ନ ଥିବା ବେଳେ ସେ ଜଗନ୍ନାଥ ସାଗରକୁ କିପରି ଆସିଲେ ସେ ନେଇ ବିଭିନ୍ନ ଆଲୋଚନା ହେଉଛି। ଶିଶୁଟି ଆକସ୍ମିକ ଭାବେ ପୋଖରିରେ ବୁଡ଼ି ଯାଉଥିଲେ କିମ୍ବା ତାଙ୍କୁ କେହି ହତ୍ୟା କରିବା ଲକ୍ଷ୍ୟ ନେଇ ଗଭୀର ପାଣିକୁ ଫିଙ୍ଗି ଦେଇଥିଲେ ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାରେ ଶିଶୁଟିର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ଅପରପକ୍ଷେ ପୁଲିସ ଓ ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚି ଶିଶୁଟି ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି।