ରାୟଗଡ଼ା/ମୁନିଗୁଡ଼ା: ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ ଅଜଣା ରୋଗ ଆତଙ୍କ। ଗତ ୨ ମାସରେ ଆଖି ବୁଜିଲେଣି ଗାଁର ୧୦ ଜଣ ବ୍ୟକ୍ତି। ବହୁ ଲୋକ ଆକ୍ରାନ୍ତ ହୋଇ ବିଷମକଟକର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଜଣେ ରୋଗୀଙ୍କ ରିପୋର୍ଟ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଛି। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ ପକାଇ ଲୋକଙ୍କୁ ସଚେତନ କରିବା ସହିତ ଚିକିତ୍ସା ଆରମ୍ଭ କରିଛି।
ଗତ ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶବର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୂ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିକେନ୍ଦ୍ର ବାଗଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଉର୍ଧ୍ବ ବର୍ତ୍ତମାନ ବିଷମକଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ବ୍ୟକ୍ତିଙ୍କ ମଧ୍ୟରୁ ଆନନ୍ଦ ବାଘ ନାମକ ବ୍ୟକ୍ତିଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ୧୩ ତାରିଖ ପଜିଟିଭ୍ ରିପୋର୍ଟ ଆସିଥିବା ବେଳେ ୧୫ ତାରିଖରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆନନ୍ଦଙ୍କୁ ଆବଶ୍ୟକ ମେଡ଼ିସିନ୍ ଲେଖି ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି।
/sambad/media/post_attachments/wp-content/uploads/2020/04/RGD_Health-Team-at-Tikarpada-2-1024x473.jpg)
ଏହି ଘଟଣା ନଜରକୁ ଆସିବା ପରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ସଞ୍ଜୟ କୁମାର ଟିକରପଡାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ବି. ଏଲ୍. ଏନ୍. ପୃଷ୍ଟିଙ୍କ ସମେତ ସ୍ବାସ୍ଥ୍ୟ ଟିମ୍, ମୁନିଗୁଡ଼ା ବିଡ଼ିଓ ଡ. ଦିଲ୍ଲୀପ କୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ, ମୁନିଗୁଡା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀ ଆଜି ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ସଂଧ୍ୟାରେ ସଂପୂର୍ଣ୍ଣ ଗ୍ରାମକୁ ବିଶୋଧନ କରାଯିବା ସହ ମଶାମରା ଧୂଆଁ ସ୍ପ୍ରେ କରାଯାଇଛି। ଅଜଣା ରୋଗରେ ୧୦ ଜଣଙ୍କ ମୃତ୍ୟୁ ଘଟଣାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସ୍ବୀକାର କରିବା ସହ ଜଣ୍ଡିସ୍, କିଡ଼ିନୀ, ସିକିଲସେଲ୍, ବାର୍ଧକ୍ୟ ଭଳି ଅନେକ ରୋଗରେ ଆକ୍ରାନ୍ତ ଯୋଗୁ ଉକ୍ତ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି। ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁ ଅଜଣା ରୋଗ ବ୍ୟାପିଛି ନା ଅନ୍ୟ କେଉଁ କାରଣ ଅଛି ସେ ନେଇ ତଦନ୍ତ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ।
ପ୍ରତିଦିନ ଗାଁରେ ଅଜଣା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଏହି ଗ୍ରାମରେ କ୍ୟାମ୍ପ ପକାଇଛି। ରୋଗୀଙ୍କ ଅଭିଯୋଗନୁଯାୟୀ, ଚିକିତ୍ସା ପାଇଁ ମୁନିଗୁଡ଼ା ମେଡ଼ିକାଲକୁ ଗଲେ ଡାକ୍ତର ରାୟଗଡ଼ାକୁ ସ୍ଥାନାନ୍ତର କରି ଦେଉଛନ୍ତି। ଲକଡାଉନ୍ ଯୋଗୁ ରୋଗୀ ରାୟଗଡ଼ା ଯାଇନପାରି ବିଷମକଟକ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ୨/୩ ଦିନର ଚିକିତ୍ସା ପରେ ରୋଗୀ ମୃତ୍ୟୁବରଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସଞ୍ଜୟ କୁମାରଙ୍କୁ ପଚାରିବାରୁ ୨/୪ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେମାନେ ରାୟଗଡ଼ା ନ ଯାଇ ବିଷମକଟକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RGD_Health-Team-at-Tikarpada-1.jpg)