ଅଜଣା ହ୍ବାଟସଆପ୍ ଭିଡିଓ ରିସିଭ୍ କରି ଫସିଲେ ଶିକ୍ଷକ, ‘ଟଙ୍କା ଦିଅ, ନହେଲେ ଭିଡିଓ ଭାଇରାଲ କରିଦେବି’

ସୁନ୍ଦରଗଡ଼: ‘ଟଙ୍କା ପଠାଅ, ନହେଲେ ଜାଲ୍ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ବଦନାମ କରିଦେବି’। ମଙ୍ଗଳବାର ସୁନ୍ଦରଗଡ଼ ସହରସ୍ଥିତ ବ୍ରାହ୍ମଣପଡ଼ାର ଶିକ୍ଷକ ବିଶ୍ବରଞ୍ଜନ ପୁରୋହିତଙ୍କୁ ଜଣେ ସାଇବର ଅପରାଧୀ ନୂଆ ତରିକାରେ ଫସାଇବାକୁ ଚେଷ୍ଟା କରି ଏପରି ଧମକ ଦେଇଛି । ହ୍ବାଟସଆପ୍ ଭିଡିଓ କଲ୍ କରି ଅପରାଧୀ ଶିକ୍ଷକଙ୍କୁ ଛନ୍ଦିବାକୁ ଚେଷ୍ଟା କରିଛି। ଶ୍ରୀ ପୁରୋହିତ ତୁରନ୍ତ ଟାଉନଥାନାରେ ଏତଲା ଦେବା ସହ ସାଇବର ସେଲ୍ର ଦ୍ବାରସ୍ଥ ହୋଇଛନ୍ତି। ଅଜଣା ନମ୍ବରର ହ୍ବାଟସଆପ୍ ଭିଡିଓ ରିସିଭ୍ କରି ସାଇବର ଅପରାଧୀଙ୍କ ଚକ୍ରବ୍ୟୁହରେ ପଡ଼ୁ ପଡ଼ୁ ଶିକ୍ଷକ ଜଣକ ଅଳ୍ପକେ ବର୍ତ୍ତିଯିବା ଚର୍ଚ୍ଚାର ବିଷୟ ହୋଇଛି।

ଶ୍ରୀ ପୁରୋହିତଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ସେ ନିଜ ସ୍କୁଲରୁ ମଧ୍ୟାହ୍ନ ବିରତିରେ ଘରକୁ ଆସି ସାମାନ୍ୟ ବିଶ୍ରାମ ନେବାକୁ ଯାଉଥିବା ବେଳେ ଏକ ଅଜଣା ନମ୍ବରର ହ୍ବାଟସଆପ୍ (୭୮୭୩୯୯୧୪୩୨)ରୁ ଏକ ଭିଡିଓ କଲ୍ ଆସିଥିଲା। ସେ କିଛି ନବିଚାରି ହଠାତ କଲ୍ ରିସିଭ୍ କରି ଦେଇଥିଲେ। ସେପଟରୁ ଜଣେ ଝିଅ ଆସି ନିଜ ଡ୍ରେସ ଖୋଲିବା ଆରମ୍ଭ କରିଥିଲେ। ଏହା ଦେଖି ଶିକ୍ଷକ ଜଣକ ହଡ଼ବଡ଼େଇ ଯାଇ କଲ୍ କାଟି ଦେଇଥିଲେ। ତାର ମାତ୍ର କିଛି ମିନିଟ ମଧ୍ୟରେ ଏକ ଭିଡିଓ ମେସେଜ ଶିକ୍ଷକଙ୍କ ହ୍ବାଟସଆପ୍କୁ ଆସିଥିଲା। ଭିଡିଓ କଲରେ ଶିକ୍ଷକଙ୍କ କିଛି ମୁହୂର୍ତ୍ତ ଉପସ୍ଥିତିର ରେକର୍ଡିଂକୁ ଅଶ୍ଲୀଳ ବାର୍ତ୍ତାଳାପରେ ଏଡିଟ୍ କରି ପଠାଇଥିଲା। ଏହା ପରେ ଫୋନପେ’ରେ ୧୧ ହଜାର ଟଙ୍କା ପଠାଇବାକୁ କହିଥିଲା। ଟଙ୍କା ନଦେଲେ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବି ବୋଲି କହିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ଶିକ୍ଷକ। ପରେ ଟାଉନଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ସାଇବର ସେଲ୍ ସହଯୋଗରେ ତାର ତଦନ୍ତ ଚଲାଇଛି। କିନ୍ତୁ ଏଯାଏ ଅପରାଧୀର ପତ୍ତା ମିଳି ନାହିଁ।

ସମ୍ବନ୍ଧିତ ଖବର