ଜଗତସିଂହପୁର ଟାଉନ୍: କେତେବେଳେ ଛୁଆକୁ ଟାଣି ଗେଲ କରି ପକାଉଥାଏ ତ ଆଉ କେତେବେଳେ ପାଟିରେ ପାଟି ଲଗାଇ ଫୁଙ୍କି ଚାଲୁଥାଏ। ଚାରିଆଡ଼କୁ ଅନାଉଥାଏ ପୁଣି ଉଠାଇବାକୁ ଚେଷ୍ଟା କରୁଥାଏ। ଘଣ୍ଟା ଘଣ୍ଟା ଧରି ଉଠାଇବାକୁ ଚେଷ୍ଟା କରୁଥିବା ମାର ଡାକ ଯେମିତି ଛୁଆ ପାଖରେ ପହଞ୍ଚୁ ନ ଥିଲା। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖି ସମସ୍ତେ ଆଃ.. ହା.. ଛୁଆଟା ଚାଲିଗଲା ବୋଲି କହୁଥିଲେ। ଏ ଥିଲା ଗତକାଲି ୯ ନମ୍ବର ଵାର୍ଡ ଜୟବଡ଼ ଛକର ଦୃଶ୍ୟ। ବିଦ୍ୟୁତ ଆଘାତରେ ମାଙ୍କଡ଼ ଛୁଆର ମୃତ୍ୟୁ ପରେ ତାର ମା ଉଠାଇବାକୁ ଚେଷ୍ଟା କରୁଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ସମୟ ଦିନ ସାଢ଼େ ୧୦ଟା। ଦଳେ ମାଙ୍କଡ଼ ଜୟବଡ଼ ଛକ ନିକଟ ଏକ ଫର୍ଣ୍ଣିଚୋର ଦୋକାନ ଛାତ, ବାଲକୋନିରେ ବସିଥିଲେ। ଛୁଆ ମାଙ୍କଡ଼ଟିଏ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଚଢ଼ି ଯିବାରୁ ବିଦ୍ୟୁତ ଆଘାତରେ ତଳକୁ ଖସି ପଡ଼ି ଏକ ଆଜବେଷ୍ଟସ୍‌ରେ ଲଟକି ରହିଥିଲା।

Advertisment

ଏହା ଦେଖି ମା ମାଙ୍କଡ଼ ତୁରନ୍ତ ଆଜବେଷ୍ଟସ୍ ଉପରୁ ଛୁଆକୁ ଉଠାଇ ଆଣିଥିଲା। କିନ୍ତୁ ସେତେବେଳକୁ ଛୁଆର ଜୀବନ ଯାଇ ସାରିଥିଲା। ମା ମନ ବା ବୁଝିବ କେମିତି! ଛୁଆକୁ ଉଠାଇବା ପାଇଁ ସମସ୍ତ କୌଶଳ ଆପଣାଇ ନେଇଥିଲା। ଖାଲି ସେତିକୁ ନୁହେଁ କେତେବେଳେ ଛାତ ଉପରକୁ ଚଢ଼ି ଯାଉଥିଲା ତ ଆଉ କେତେବେଲେ ବାଲକୋନୀକୁ ଚାଲି ଆସୁଥିଲା। ଛୁଆର ଜୀବନ ବଞ୍ଚାଇବା ଲାଗି ସେଠାରେ ଛିଡ଼ା ହୋଇଥିବା ଲୋକଙ୍କୁ ଚାହିଁ ଯେମିତି ସାହାଯ୍ୟ ପାଇଁ ହାତ ଠାରି ଡାକୁଥିଲା ମା ମାଙ୍କଡ଼। ମାଙ୍କଡ଼ ଦଳ ଏଣେତେଣେ ବ୍ୟସ୍ତ ବିବ୍ରତ ହୋଇ ଧାଉଁଥିଲେ। ଏହା ଦେଖି ସ୍ଥାନୀୟ ଦୋକାନୀ ଓ ସେହି ବାଟ ଦେଇ ଯାଉଥିବା ଲୋକ କିଛି ସମୟ ପାଇଁ ଅଟକି ଯାଇଥିଲେ। ମା ମାଙ୍କଡ଼ର ଦୁଃଖକୁ ଦେଖି ଲୋକ ବି ସହି ପାରି ନ ଥିଲେ। କିନ୍ତୁ ସମସ୍ତେ ନିରୁପାୟ ଥିଲେ। ଦୁଇ ଘଣ୍ଟା କାଳ ଛୁଆକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ମାଙ୍କଡ଼ ଦଳ ସେଠାରୁ ଚାଲି ଯାଇଥିଲେ।