ବରଗଡ଼: ହୀରାକୁଦ ଡଂଗାବୁଡ଼ି ଘଟଣା ପରେ ଡଂଗା ଚଳାଚଳ ଆଇନ କାନୁନ ଖୋଳତାଡ଼ ହୋଇଥିଲା। ସେତେବେଳେ ବିପଦଶଂକୁଳ ଡଂଗାଯାତ୍ରା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଯାତ୍ରୀ ପରିବହନ କରୁଥିବା ଡଂଗାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ରଖିବାକୁ କଡ଼ା ନିର୍ଦ୍ଦେଶ ହୋଇଥିଲା। କିଛି ଡଂଗା ଘାଟରେ ଏହି ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଗଲା। ସୁରକ୍ଷା ଉପକରଣ ନଥିବା ଘାଟଗୁଡ଼ିକରୁ ଡଂଗା ଚଳାଚଳ ବନ୍ଦ ହୋଇଗଲା। କିନ୍ତୁ ଏବେ ସ୍ଥିତି ପୁଣି ଆଗଭଳି। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ସଂଲଗ୍ନ ମହାନଦୀରେ ନିୟମିତ ବିପଦପୂର୍ଣ୍ଣ ଭାବେ ହଜାରହଜାର ଲୋକ େଦୖନିକ ଡଂଗାଯାତ୍ରା ଚାଲିଛି।
କୌଣସି ଡଂଗାରେ ସୁରକ୍ଷା ଜ୍ୟାକେଟ୍ ନାହିଁ। ଡଂଗା ଗୁଡ଼ିକ ଜୀର୍ଣ୍ଣ ଅବସ୍ଥାରେ। କିନ୍ତୁ ଏଗୁଡ଼ିକର ମରାମତି ପାଇଁ ମଧ୍ୟ ସରକାରୀ ସ୍ତରରେ କିଛି ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଭଏନାେତାରା ପଞ୍ଚାୟତର ଚିଖିଲି, ବଂଗାପାଲି ପଞ୍ଚାୟତର ତାମଦେଇ ଏବଂ ପଲସଦା, ବାଂଜିପାଲି ପଞ୍ଚାୟତର ପଥରସେନୀ ଘାଟ, ଜରିମୂଲି ଆଦି ଘାଟରୁ ନିୟମିତ ଯାତ୍ରୀମାନେ ମହାନଦୀ ଡେଇଁ ଆର ପଟ ଝାରସୁଗୁଡ଼ା ଜିଲ୍ଲାକୁ ଯାଉଛନ୍ତି। ବିଧିବଦ୍ଧ ଭାବେ ଘାଟ ନିଲାମ ହେବା ପରେ ଯାତ୍ରୀବାହୀ ଡଂଗା ଚାଲୁଛି। କିନ୍ତୁ ଡଂଗା ଗୁଡ଼ିକର ଅବସ୍ଥା ଅତି ଶୋଚନୀୟ। କୌଣସି ଡଂଗାରେ ଲାଇଫ୍ ଜ୍ୟାକେଟ୍ ନାହିଁ। ଡଂଗାଗୁଡ଼ିକରେ ମାତ୍ରାଧିକ ଲୋକ ସହ ବାଇକ୍ ଲଦା ଯାଉଛି। ଫଳରେ ଅଘଟଣ ଅାଶଂକା ସଦାବେଳେ ରହିଛି। ବର୍ତମାନ ପ୍ରସିଦ୍ଧ ପଥରସେନୀ ମନ୍ଦିରକୁ ଶହଶହ ଲୋକ ପ୍ରତିଦିନ ଡଂଗାରେ ଯାଉଛନ୍ତି। କରୋନା କଟକଣା ଯୋଗୁଁ ପର୍ଯ୍ୟଟକ ସଂଖ୍ୟା କମ୍ ରହିଛି।
ନଚେତ୍ ସ୍ବାଭାବିକ ଋତୁରେ ଏଠାରେ ମାତ୍ରାଧିକ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଡଂଗାରେ ଖୁନ୍ଦାଖୁନ୍ଦି ହୋଇ ପର୍ଯ୍ୟଟକ ମହାନଦୀ ଗର୍ଭରେ ଯାତ୍ରା କରିଥାନ୍ତି। କିନ୍ତୁ ଡଂଗାରେ କିଛି ବି ସୁରକ୍ଷା ଉପକରଣ ନାହିଁ। କେବଳ କିଛି ଭିଆଇପି ଗଲେ ତାଙ୍କୁ ସରକାରୀ ସ୍ତରରେ ଲାଇଫ୍ ଜ୍ୟାକେଟ୍ ଯୋଗାଇ ଦିଆଯାଉଛି। ତେଣୁ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ଯାତ୍ରୀବାହୀ ଡଂଗା ପାଇଁ ଲାଇଫ୍ ଜ୍ୟାକେଟ୍ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ଦାବି କରୁଛନ୍ତି। ଗତବର୍ଷ ପୁଲିସ୍, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଘାଟଗୁଡ଼ିକ ଉପରେ ଚଢ଼ଉ ହୋଇଥିଲା। ସେତେବେଳେ ମଧ୍ୟ କୌଣସି ଡଂଗାରେ ଲାଇଫ୍ ଜ୍ୟାକେଟ୍ ନଥିବା ଜାଣିବାକୁ ପାଇଥିଲେ। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଜ୍ୟାକେଟ୍ ଯୋଗାଇ ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/791b5370-702a-41dd-8ae6-5fe9982f377d.jpg)