ରାୟଗଡା: ରାୟଗଡା ଜିଲ୍ଲାରେ ଅଙ୍ଗନବାଡି ଖୋଲା ହୋଇ ଯାଉଛି ସତ କିନ୍ତୁ ତାର ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ହୋଇପାରୁ ନାହିଁ। ଜିଲ୍ଲାର ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ଆଜି ବି ୫୭୫ଟି ଅଙ୍ଗନବାଡି କେନ୍ଦ୍ର ବିଭିନ୍ନ ସ୍କୁଲ ବାରଣ୍ଡା, ଭଡା ଘରେ, କମ୍ୟୁନିଟି ସେଣ୍ଟର ଗୁଡିକରେ ଚାଲୁଛି। ବହୁ ସ୍ଥାନରେ କଚ୍ଚା ଘରେ ମଧ୍ୟ ଚାଲୁଥିବା ବେଳେ ଏହାକୁ କାଗଜ କଲମରେ ଉଲ୍ଲେକ କରାଯାଉ ନାହିଁ। ଏବେ ପୁଣି ଜିଲ୍ଲାର ୫୫୦ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡ କରି ଅଙ୍ଗନବାଡି କେନ୍ଦ୍ରରେ ପରିଣତ କରାଯିବା ନେଇ ସରକାର ନିର୍ଦେଶ ଦେଇଥିବା ଜଣାପଡିଛି। ଏହି ମିନି ଅଙ୍ଗନବାଡି କେନ୍ଦ୍ରଗୁଡିକ ଗାଁର ଗଛ ତଳେ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲିଛି।
ପିଲାମାନେ ଅତି ଦୟନୀୟ ଭାବେ ଖରା ବର୍ଷାରେ ପାଢ ପଢୁଛନ୍ତି। ଏବେ ବି ୫୭୫ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠାଘର ନଥିବା ବେଳେ ପୁଣି ୫ ଶହରୁ ଉର୍ଦ୍ଧ୍ବ ଅଙ୍ଗନବାଡି କେନ୍ଦ୍ରର ଖୋଲାଯାଇ ପିଲାଙ୍କୁ ପୁଣି ଅନ୍ୟ କାହାର ଭରସାରେ କେନ୍ଦ୍ର ଖୋଲି ପାଠ ପଢାଯିବ। ଯଦି ଜିଲ୍ଲାର ରିପୋର୍ଟ ଦେଖିବା ବିଷମକଟକ ବ୍ଲକରେ ୧୭୦ ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୬୦ଟିର ନିଜସ୍ବ କୋଠାଘର ରହିଥିବା ବେଳେ ୨୩ଟି କମ୍ୟୁନିଟି ହଲ ଏବଂ ଗୋଟିଏ ସ୍କୁଲ ବାରଣ୍ଡାରେ ଚାଲିଛି। ସେହିପରି ଚନ୍ଦ୍ରପୁର ବ୍ଲକରେ ୧୧୮ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦୪ଟିର ନିଜସ୍ବ ଘର ରହିଥିବା ବେଳେ ୧୨ଟି କମ୍ୟୁନିଟି ହଲ ଏବଂ ୨ଟି ସ୍କୁଲ ବାରଣ୍ଡାରେ ଚାଲିଛି।
ଗୁଡାରୀ ବ୍ଲକରେ ୧୩୩ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୩୦ଟି ଭଡା ଘରେ ଏବଂ ୨ଟି କମ୍ୟୁନିଟି ହଲରେ ଚାଲିଛି। ଗୁଣୁପୁର ବ୍ଲକରେ ୨୧୪ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୪୪ଟି ନିଜସ୍ବ କୋଠାଘର ରହିଛି ଏବଂ ୯ଟି ସ୍କୁଲ ବାରଣ୍ଡା, ୫୩ଟି ଭଡା ଘରେ ଏବଂ ୮ଟି କମ୍ୟୁନିଟି ହଲରେ ଚାଲିଛି। କଲ୍ୟାଣସିଂହପୁର ବ୍ଲକରେ ୧୫୨ଟି ଅଙ୍ଗନବାଡି ମଧ୍ୟରୁ ୧୧୦ଟିର ନିଜସ୍ବ ଘର ରହିଥିବା ବେଳେ ୧୧ଟି ସ୍କୁଲ ବାରଣ୍ଡା ଏବଂ ୩୧ଟି କମ୍ୟୁନିଟି ହଲରେ ଚାଲିଛି। କାଶୀପୁର ବ୍ଲକରେ ୩୨୯ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୭୬ଟି ନିଜସ୍ବ କୋଠାଘର ରହିଛି ଏବଂ ୫ଟି ସ୍କୁଲ ବାରଣ୍ଡା ଏବଂ ୧୪୮ଟି ଭଡା ଘରେ ଚାଲିଛି। କୋଲନରା ବ୍ଲକରେ ୧୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୩୮ଟି ନିଜସ୍ବ କୋଠା ଘର ଏବଂ ୬ଟି ସ୍କୁଲ ବାରଣ୍ଡା ଏବଂ ୩୦ଟି କମ୍ୟୁନିଟି ହଲରେ ଚାଲିଥିବା କୁହାଯାଇଛି।
/sambad/media/post_attachments/wp-content/uploads/2023/05/Rgda-Anganabadi-kendra-chalichjhi-1.jpg)
ସେହିପରି ମୁନିଗୁଡା ବ୍ଲକରେ ୧୮୭ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ସେଥିରୁ ୧୫୮ଟି ନିଜସ୍ବ କୋଠାଘର ରହିଥିବା ବେଳେ ୨୯ଟି କମ୍ୟୁନିଟି ହଲରେ ଚାଲିଛି। ପଦ୍ମପୁର ବ୍ଲକରେ ୧୧୯ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୯୮ଟି ନିଜସ୍ବ କୋଠାଘର ଏବଂ ୨ଟି ସ୍କୁଲ ବାରଣ୍ଡା, ୧୭ଟି ଭଡା ଘରେ ଓ ୨ଟି କମ୍ୟୁନିଟି ହଲରେ ଚାଲିଛି। ରାମନାଗୁଡା ବ୍ଲକରେ ୧୫୩ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୦୬ଟି ନିଜସ୍ବ କୋଠାଘର ଏବଂ ୧୨ଟି ସ୍କୁଲ ବାରଣ୍ଡା, ୨୯ଟି ଭଡା ଘରେ ଓ ୬ଟି କମ୍ୟୁନିଟି ହଲରେ ଚାଲିଛି। ସେହିପରି ରାୟଗଡା ବ୍ଲକରେ ୩୦୦ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୯୪ଟି ନିଜସ୍ବ କୋଠାଘର ରହିଛି ଏବଂ ୧୩ଟି ସ୍କୁଲ ବାରଣ୍ଡା, ୧୦ଟି ଭଡା ଘରେ ଏବଂ ୮୩ଟି କମ୍ୟୁନିଟି ହଲରେ ଚାଲିଛି।
ତେବେ ମୋଟରେ ଦେଖିବା ଜିଲ୍ଲାର ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୪୮୮ଟି ନିଜସ୍ବ କୋଠାଘର ରହିଥିବା ବେଳେ ୬୧ଟି ସ୍କୁଲ ବାରଣ୍ଡା, ୨୮୭ଟି ଭଡା ଘରେ ଏବଂ ୨୨୭ଟି କମ୍ୟୁନିଟି ହଲରେ ଚାଲିଛି। ତେବେ ୧୭୨୧ଟି ଅଙ୍ଗନବାଡି କେନ୍ଦ୍ରର ୨୫୦ ମିଟର ଭିତରେ ନଳକୂପ ରହିଥିବା କୁହାଯାଇଛି। ବଳକା ୩୪୨ଟି ଅଙ୍ଗନବାଡି କେନ୍ଦ୍ରରେ ଆଜି ବି ପିଇବା ପାଣିରର କୌଣସି ସୁବିଧା ନାହିଁ। ତେବେ ଜିଲ୍ଲାରେ ପୁଣି ୫୫୦ଟି ନୂତନ ଅଙ୍ଗନବାଡି କେନ୍ଦ୍ର ଖୋଲିଲେ ସେଗୁଡିକ କିପରି ଚାଲିବ ତାହା ସହଜରେ ଅନୁମେୟ। ବିଭାଗ କହିବା ଅନୁଯାୟୀ ଜିଲ୍ଲାରେ ଏବେ ୧୭୮୨ଟି ଅଙ୍ଗନବାଡି କେନ୍ଦ୍ରର ନୂତନ କୋଠାଘର ନିର୍ମାଣ ଚାଲିଛି। ଯାହା ଖୁବ କମ୍ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ କାର୍ଯ୍ୟକ୍ଷମ ହେବ। ଜିଲ୍ଲାରେ ଏଭଳି ଅଙ୍ଗନବାଡିର ଅବସ୍ଥା ରହିଥିବା ବେଳେ କମଳମୋତି ପିଲାମାନେ କିପରି ପାଠ ପଢୁଥିବେ ଏବଂ କିପରି ସେମାନଙ୍କର ଦେଖରେଖ କରାଯାଉଥିବା ସହଜରେ ଅନୁମେୟ।