ରାଉରକେଲା: ଅର୍ବାନ କୋ ଅପରେଟିଭ୍ ବ୍ୟାଙ୍କ୍ରେ ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ ନକଲି କମ୍ପାନି ତିଆରି କରି କୋଟି କୋଟି ଟଙ୍କାର ଜିଏସ୍ଟି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍(ଆଇଟିସି) ଅର୍ଥ ହଡ଼ପ ଘଟଣା; ଆଉ କାହାକୁ ଅଛପା ନାହିଁ। ବ୍ୟାଙ୍କ୍ରେ ଶହେରୁ ଅଧିକ ଜାଲ୍ ଆକାଉଣ୍ଟ୍ ଖୋଲି ଏହି ଜିଏସ୍ଟି ଠକଙ୍କୁ ଆକୁଣ୍ଠ ସହାୟତା କରିଥିବା ବ୍ୟାଙ୍କ୍ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେଉଛି। ଏହି ମହାଠକେଇର ନେଇ ଅଡିଟର ଜେନେରାଲ କୋ-ଅପରେଟିଭ୍ ସୋସାଇଟିଜ୍(ଏଜିସିଏସ୍) ବାରମ୍ବାର ସୁନ୍ଦରଗଡ଼ ସହକାରୀ ଏଜିସିଏସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସୁନ୍ଦରଗଡ଼ ଏଜିସିଏସ୍ ମାମଲାର ତଦନ୍ତ ନ କରି ଚୁପ୍ ବସିଥିବା ଜଣାପଡ଼ିଛି।
ଗତ ୧୬ ତାରିଖରେ ଏଜିସିଏସ୍ ପୁନର୍ବାର ସୁନ୍ଦରଗଡ଼ ସହକାରୀ ଏଜିସିଏସ୍ଙ୍କୁ ନିର୍ଦ୍ଦେଶ(ପତ୍ର ସଂଖ୍ୟା-୬(୧୦)୨୩/୨୦୧୩/ଅଡିଟ୍-୪- ୬୭୫୯) ଦେଇଥିଲେ। ସେଥିରେ ଉଲ୍ଲେଖ ଥିଲା, ବ୍ୟାଙ୍କ୍ରେ ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ କୋଟି କୋଟି ଆଇଟିସି ଅର୍ଥ ହଡ଼ପ ନେଇଥିବା ନେଇ ଅଭିଯୋଗ ଆସିଥିଲା। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିବା ସତ୍ବେ ତଦନ୍ତ କରାଯାଉନି। ସଂପ୍ରତି ଏହି ବ୍ୟାଙ୍କ୍ରେ ଆଉ ଏକ ଅଭିଯୋଗ ଆସିଛି। ଅନୈତିକଭାବେ ୩୨ ଜଣ କର୍ମଚାରୀଙ୍କୁ ୧୩.୯୫ ଲକ୍ଷ ଟଙ୍କାର ଇନ୍ସେନ୍ଟିଭ୍ ଦିଆଯାଇଥିବା ବ୍ୟାଙ୍କ୍ର ପୂର୍ବତନ ସଭାପତି ଆଦିତ୍ୟ ମହାପାତ୍ର ଅଭିଯୋଗ କରିଛନ୍ତି। ପୂର୍ବର ଅଭିଯୋଗ ଓ ଇନ୍ସେନ୍ଟିଭ୍ ପ୍ରଦାନ ଅଭିଯୋଗର ଉପଯୁକ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସୁନ୍ଦରଗଡ଼ ସର୍କଲରେ ନିୟୋଜିତ ଜଣେ ଅଭିଜ୍ଞ ଅଡିଟର୍ଙ୍କୁ ସମସ୍ତ ମାମଲାର ଅଡିଟ୍ ଦାୟୀତ୍ବ ନ୍ୟସ୍ତ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି। ତେବେ ଉଚ୍ଚ କର୍ତୃପକ୍ଷଙ୍କ ବାରମ୍ବାର ନିର୍ଦ୍ଦେଶାନାମା ସତ୍ତ୍ବେ ସୁନ୍ଦରଗଡ଼ ଏଜିସିଏସ୍ ତଦନ୍ତକୁ ଆଗଉ ନଥିବା ନେଇ ଭିନ୍ନ ଭିନ୍ନ ମତ ପାଇଛି।
ଅପରପକ୍ଷରେ ବ୍ୟାଙ୍କ୍ରେ ଚାଲିଥିବା ଦୁର୍ନୀତି ନେଇ ମୁହଁ ଖୋଲିବାରୁ ଧମକପୂର୍ଣ୍ଣ ଚିଠି ମିଳୁଥିବା ବ୍ୟାଙ୍କ୍ର ପୂର୍ବତନ ସଭାପତି ଆଦିତ୍ୟ ମହାପାତ୍ର ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି, ବ୍ୟାଙ୍କ୍ରେ ଶହେରୁ ଅଧିକ ଜାଲ୍ ଆକାଉଣ୍ଟ୍ ଖୋଲି ଜିଏସ୍ଟି ଅର୍ଥ ହଡ଼ପ କରାଯାଇଛି। ରାଉରକେଲାର ମୋଟ୍ ଜାଲ୍ ଆକାଉଣ୍ଟ୍ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ନକଲି ଆକାଉଣ୍ଟ୍ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ରେ ଖୋଲାଯାଇଛି। ଏଥିମଧ୍ୟରୁ ୮୫ ପ୍ରତିଶତ ଜାଲ୍ ଆକାଉଣ୍ଟ୍ ବ୍ୟାଙ୍କ୍ର ମିଡ୍ଟାଉନ୍ ଶାଖାରେ ଖୋଲାଯାଇଛି। ତେବେ ଆକାଉଣ୍ଟ୍ ଖୋଲିବାବେଳେ ବ୍ୟାଙ୍କ୍ କର୍ତୃପକ୍ଷ କେୱାଇସି ନିୟମାବଳୀର ଖୋଲା ଉଲ୍ଲଂଘନ କରିଛନ୍ତି। ଏନେଇ ଏଜିସିଏସ୍, ଭିଜିଲାନ୍ସ ଏସ୍ପି, ବ୍ୟାଙ୍କ୍ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଏଜିସିଏସ୍ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଅନିୟମିତତା ବିଷୟରେ ସ୍ବର ଉତ୍ତୋଳନ କରୁଥିବାରୁ ଚିଠି ମାଧ୍ୟମରେ ଧମକ ଦିଆଯାଉଛି। ଅଶ୍ରାବ୍ୟା ଭାଷାର ବ୍ୟବହାର କରାଯାଉଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।